Latest Odisha News

BREAKING NEWS

Vehicle over Loan: କିସ୍ତି ବାକି ଥିଲେ ବି ଗୁଣ୍ଡା ଲଗାଇ ଗାଡ଼ି ଉଠାଇପାରିବେନି ଫାଇନାନ୍ସ କମ୍ପାନୀ! ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ…

ପ୍ରୟାଗରାଜ: ଗାଡ଼ିର ଋଣ କିସ୍ତି ପୈଠ ନକଲେ ଆଉ ମନମାନି କରିପାରିବେନି ଫାଇନାନ୍ସ କମ୍ପାନୀ। ଋଣ ଆଦାୟ ନାଁରେ ଗୁଣ୍ଡା କିମ୍ବା ରିକଭରି ଏଜେଣ୍ଟଙ୍କ ଜରିଆରେ ଜୋରଜବରଦସ୍ତି ଗାଡ଼ି ଜବତ କରିବା ଆଇନସମ୍ମତ ନୁହେଁ। ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏକ ମାମଲାର ଶୁଣାଣି କରି ଏଚଡିବି ଫାଇନାନ୍ସିଆଲ ସର୍ଭିସେସ୍‌କୁ ଗାଡ଼ି ଫେରାଇବା ସହ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏଥିସହ ବକେୟା ଋଣକୁ ବିନା ଦଣ୍ଡନୀୟ ସୁଧରେ ପୁନର୍ଗଠନ କରିବାକୁ ମଧ୍ୟ କହିଛନ୍ତି।

ଏହି ମାମଲା ସାଦାବ ଅହମ୍ମଦଙ୍କ ଆବେଦନ ସହ ଜଡ଼ିତ। ସେ ଡିସେମ୍ବର ୨୦୨୩ରେ ଟାଟା କମ୍ପାନୀର ଏକ ମାଲବାହୀ ଗାଡ଼ି କିଣିଥିଲେ। ଏହି ଗାଡ଼ି ପାଇଁ ଏଚଡିବି ଫାଇନାନ୍ସିଆଲ ସର୍ଭିସେସ୍‌ଠାରୁ ଋଣ ନେଇଥିଲେ। ଚୁକ୍ତି ଅନୁଯାୟୀ, ୪୫ଟି କିସ୍ତିରେ ୬୪,୦୫୯ ଟଙ୍କା ଲେଖାଏଁ ଋଣ ପରିଶୋଧ କରିବାର ବ୍ୟବସ୍ଥା ଥିଲା। ତେବେ ଆବେଦନ ଅନୁଯାୟୀ, ୯ ଅଗଷ୍ଟ ୨୦୨୬ରେ ଚନ୍ଦୌଲି ଅଞ୍ଚଳରେ ଫାଇନାନ୍ସ କମ୍ପାନୀ ପାଇଁ କାମ କରୁଥିବା କିଛି ବ୍ୟକ୍ତି ସାଦାବଙ୍କୁ ରାସ୍ତାରେ ଅଟକାଇଥିଲେ। ଅଭିଯୋଗ ହୋଇଛି ଯେ, ବନ୍ଧୁକ ମୁନରେ ଧମକ ଦେଇ ତାଙ୍କଠାରୁ ଗାଡ଼ି ଛଡ଼ାଇ ନିଆଯାଇଥିଲା। ଏହାପରେ ଜବତ ହୋଇଥିବା ସମ୍ପତ୍ତିର ତାଲିକାରେ ତାଙ୍କଠାରୁ ଦସ୍ତଖତ ମଧ୍ୟ କରାଇ ନିଆଯାଇଥିଲା।

ଏହି ଘଟଣା ପରେ ସାଦାବ ଫାଇନାନ୍ସ କମ୍ପାନୀ ସହ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଗାଡ଼ି ଫେରସ୍ତ ପାଇଁ ସେ ଆହ୍ଲାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଜେଜେ ମୁନିର ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ ଶୁକ୍ଳଙ୍କ ଖଣ୍ଡପୀଠ କରିଥିଲେ। ଅଦାଲତ ସ୍ପଷ୍ଟ କରିଥିଲେ ଯେ, ଋଣ ଚୁକ୍ତି ଅନୁଯାୟୀ ଫାଇନାନ୍ସ କମ୍ପାନୀକୁ ଗାଡ଼ି ଭଳି ଚଳନ୍ତି ସମ୍ପତ୍ତି ଫେରସ୍ତ ନେବାର ଅଧିକାର ଥାଇପାରେ। କିନ୍ତୁ ଏହି ଅଧିକାରର ବ୍ୟବହାର ଆଇନ ଅନୁଯାୟୀ ହେବା ଆବଶ୍ୟକ। ଋଣ ଆଦାୟ ନାଁରେ ରିକଭରି ଏଜେଣ୍ଟ କିମ୍ବା ଗୁଣ୍ଡାଙ୍କ ସହାୟତାରେ ଗାଡ଼ି ଜବତ କରିବାକୁ କମ୍ପାନୀକୁ ଅନୁମତି ଦିଆଯାଇପାରିବ ନାହିଁ। ଏଥିପାଇଁ ସିଭିଲ କୋର୍ଟ କିମ୍ବା ମଧ୍ୟସ୍ଥତା ଭଳି ଆଇନଗତ ମଞ୍ଚର ସହାୟତା ନେବାକୁ ପଡ଼ିବ।

ହାଇକୋର୍ଟ କହିଛନ୍ତି, ଯଦି ଋଣ ଚୁକ୍ତିର ସର୍ତ୍ତକୁ ମନମୁଖୀ ଭାବରେ ବ୍ୟାଖ୍ୟା କରି ଜୋରଜବରଦସ୍ତି ଆଦାୟକୁ ଅନୁମତି ଦିଆଯାଏ, ତେବେ ଏକ ବେସରକାରୀ କମ୍ପାନୀକୁ ରାଜ୍ୟର ଦମନକାରୀ କ୍ଷମତା ପ୍ରଦାନ କରିବା ସହ ସମାନ ହେବ। କୌଣସି ଋଣଗ୍ରହୀତାଙ୍କୁ ରାସ୍ତାରେ ଅଟକାଇ ଜୋରଜବରଦସ୍ତି ଗାଡ଼ି ଛଡ଼ାଇ ନେବା ଆଇନ ଅନୁଯାୟୀ ଠିକ୍ ନୁହେଁ ବୋଲି ଅଦାଲତ କହିଛନ୍ତି।

ଏହି ମାମଲାରେ ଅଦାଲତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଧ୍ୟାନ ଦେଇଥିଲେ। ସାଦାବ ଅହମ୍ମଦ ୪୫ଟି କିସ୍ତି ମଧ୍ୟରୁ ୩୧ଟି କିସ୍ତି ପୈଠ କରିସାରିଥିଲେ। ତଥାପି ତାଙ୍କ ଗାଡ଼ିକୁ ରାଜପଥରେ ବନ୍ଧୁକ ମୁନରେ ଜବତ କରାଯାଇଥିଲା। ଏହି ଅଭିଯୋଗକୁ ଫାଇନାନ୍ସ କମ୍ପାନୀ ପକ୍ଷରୁ କେବେ ବି ଖଣ୍ଡନ କରାଯାଇନଥିଲା। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏଚଡିବି ଫାଇନାନ୍ସିଆଲ ସର୍ଭିସେସ୍‌କୁ ସାଦାବ ଅହମ୍ମଦଙ୍କ ଗାଡ଼ି ବିନା କୌଣସି ପୂର୍ବ ସର୍ତ୍ତରେ ତୁରନ୍ତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବକେୟା ଋଣକୁ ବିନା ଦଣ୍ଡନୀୟ ସୁଧରେ ପୁନର୍ଗଠନ କରିବାକୁ କମ୍ପାନୀକୁ କହିଛନ୍ତି। ଅଦାଲତ ଫାଇନାନ୍ସ କମ୍ପାନୀ ଉପରେ ୧୦ ହଜାର ଟଙ୍କା କ୍ଷତିପୂରଣ ମଧ୍ୟ ଲଗାଇଛନ୍ତି। ଏହି ରାୟ ମାଧ୍ୟମରେ ଋଣ ଆଦାୟ ନାଁରେ ଗ୍ରାହକଙ୍କୁ ହଇରାଣ କରୁଥିବା ଫାଇନାନ୍ସ କମ୍ପାନୀ ଏବଂ ରିକଭରି ଏଜେଣ୍ଟଙ୍କୁ ହାଇକୋର୍ଟ ଏକ କଡ଼ା ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.