ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ମୋବାଇଲ ଆପ୍, ୱେବସାଇଟ୍ ଓ ଅନଲାଇନ୍ ସପିଂ ପ୍ଲାଟଫର୍ମ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ନାମ, ମୋବାଇଲ ନମ୍ବର, ଇ-ମେଲ୍, ଠିକଣା, ଲୋକେସନ୍ ଓ କିଣାକିଣି ସମ୍ପର୍କିତ ତଥ୍ୟ ରହୁଛି। ଅନେକ ସମୟରେ ନିଜ ତଥ୍ୟ କେଉଁ କମ୍ପାନୀ କେଉଁ କାମରେ ବ୍ୟବହାର କରୁଛି, ତାହା ମଧ୍ୟ ୟୁଜରଙ୍କୁ ଜଣାପଡ଼େନି। ଏହା ଉପରେ ନିୟନ୍ତ୍ରଣ ଆଣିବାକୁ କେନ୍ଦ୍ର ସରକାର ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ (DPDP) ଆଇନ ଅଧୀନରେ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କନସେଣ୍ଟ ମ୍ୟାନେଜରଙ୍କ ପଞ୍ଜୀକରଣ ପାଇଁ ଅନଲାଇନ୍ ପୋର୍ଟାଲ ଆରମ୍ଭ ହୋଇଛି। ଏହାଦ୍ୱାରା ୟୁଜର ନିଜ ତଥ୍ୟ ବ୍ୟବହାର ପାଇଁ ଦେଇଥିବା ଅନୁମତି ଦେଖିବା ସହ ଆବଶ୍ୟକ ପଡ଼ିଲେ ତାହା ଫେରାଇ ନେଇପାରିବେ। କନସେଣ୍ଟ ମ୍ୟାନେଜର ହେବାକୁ ଚାହୁଁଥିବା ଭାରତରେ ପଞ୍ଜୀକୃତ କମ୍ପାନୀର ଅତିକମ୍ରେ ୨ କୋଟି ଟଙ୍କାର ନେଟ୍ୱର୍ଥ ରହିବା ଆବଶ୍ୟକ। ଆଇନର ଅନ୍ୟ ପ୍ରମୁଖ ନିୟମ ୧୩ ମେ ୨୦୨୭ରୁ ଲାଗୁ ହେବ।
କନସେଣ୍ଟ ମ୍ୟାନେଜର ହେଉଛି ଏକ ପଞ୍ଜୀକୃତ ସଂସ୍ଥା, ଯାହା ୟୁଜର ଓ ତାଙ୍କ ତଥ୍ୟ ବ୍ୟବହାର କରୁଥିବା କମ୍ପାନୀ ମଧ୍ୟରେ ମାଧ୍ୟମ ଭାବେ କାମ କରିବ। ଧରନ୍ତୁ, ଆପଣ କୌଣସି ସପିଂ ଆପ୍ କିମ୍ବା ବ୍ୟାଙ୍କିଂ ଆପ୍କୁ ନିଜ ତଥ୍ୟ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି ବ୍ୟବସ୍ଥାରେ କେଉଁ କମ୍ପାନୀକୁ କେଉଁ ଅନୁମତି ଦେଇଛନ୍ତି, ତାହାର ରେକର୍ଡ ଦେଖିପାରିବେ ଏବଂ ଚାହିଁଲେ ଅନୁମତି ପ୍ରତ୍ୟାହାର କରିପାରିବେ। ମୋବାଇଲ ଆପ୍ଗୁଡ଼ିକ ନାମ, ଫୋନ୍ ନମ୍ବର, ବୟସ, ଠିକଣା, ଲୋକେସନ୍ ସହ ଆପ୍ର ଆବଶ୍ୟକତା ଓ ଦିଆଯାଇଥିବା ଅନୁମତି ଅନୁସାରେ କ୍ୟାମେରା, ମାଇକ୍ରୋଫୋନ୍, କଣ୍ଟାକ୍ଟ ଲିଷ୍ଟ ଓ ଫଟୋ ଆକ୍ସେସ୍ ମଧ୍ୟ ମାଗିପାରନ୍ତି। ସେହିପରି ସୋସିଆଲ ମିଡିଆ ଆପ୍ ଆପଣଙ୍କ ପ୍ରୋଫାଇଲ୍ ଓ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ରଖିଥାଏ।
DPDP ଆଇନ ଅନୁଯାୟୀ, ୟୁଜରଙ୍କୁ ନିଜ ତଥ୍ୟ ବ୍ୟବହାର ପାଇଁ ଦେଇଥିବା ସହମତି ଫେରାଇବା, ନିଜ ତଥ୍ୟ ଦେଖିବା, ଭୁଲ୍ ତଥ୍ୟ ସଂଶୋଧନ କରିବା, ଡିଲିଟ୍ କରିବା ଏବଂ ଅଭିଯୋଗ କରିବାର ଅଧିକାର ମିଳିବ। ଅନୁମତି ଦେବା ଯେତିକି ସହଜ, ତାହା ଫେରାଇବା ପ୍ରକ୍ରିୟା ମଧ୍ୟ ସେତିକି ସହଜ ହେବା ଆବଶ୍ୟକ। ଯଦି କୌଣସି କମ୍ପାନୀ ନିୟମ ଉଲ୍ଲଂଘନ କରେ, ତେବେ ଡାଟା ପ୍ରୋଟେକ୍ସନ ବୋର୍ଡ ଅଫ୍ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ନେଇପାରିବ। ତଥ୍ୟ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ନକଲେ ସର୍ବାଧିକ ୨୫୦ କୋଟି, ଡାଟା ଲିକ୍ ସମ୍ପର୍କରେ ସୂଚନା ନଦେଲେ ୨୦୦ କୋଟି ଏବଂ ଅନ୍ୟ ନିୟମ ଉଲ୍ଲଂଘନ କଲେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ଏହି ଆଇନ ଦ୍ୱାରା ସୋସିଆଲ ମିଡିଆ, ଅନଲାଇନ୍ ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ଓ ଇ-କମର୍ସ ବ୍ୟବହାରକାରୀ ଉପକୃତ ହେବେ। କମ୍ପାନୀଗୁଡ଼ିକ କେଉଁ ତଥ୍ୟ ସଂଗ୍ରହ କରୁଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି, ତାହା ଜଣାଇବାକୁ ପଡ଼ିବ। ତେବେ ଆଇନରେ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ୟୁଜରଙ୍କ ସହମତି ବିନା ମଧ୍ୟ ତଥ୍ୟ ବ୍ୟବହାର କରିବାର ଛାଡ଼ ରହିଛି।
