ବାଲି: ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବୋର୍ଡ ବୈଠକରେ ୨୦୩୫ ପର୍ୟ୍ୟନ୍ତ ପୁରୁଷ କ୍ରିକେଟ୍ର ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଇଁ ସମୟସୀମା ଏବଂ ଫର୍ମାଟ୍କୁ ଅନୁମୋଦନ ମିଳିଛି । ଏହି ନୂତନ କ୍ୟାଲେଣ୍ଡରରେ ଦିନିକିଆ ବିଶ୍ୱକପ୍, ଟି୨୦ ବିଶ୍ୱକପ୍, ଚାମ୍ପିୟନ୍ସ ଟ୍ରଫି ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ସାମିଲ ରହିଛି । ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା କହିଛନ୍ତି ଯେ, ଦୀର୍ଘମିଆଦୀ ସୂଚୀ ସ୍ଥିର ହେବା ଦ୍ୱାରା ଖେଳାଳି ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଉନ୍ନତ ପ୍ରସ୍ତୁତି, ହାଇ-ପରଫର୍ମାନ୍ସ ପ୍ରୋଗ୍ରାମ ଏବଂ ଏକ ସୁବ୍ୟବସ୍ଥିତ କ୍ରିକେଟ୍ କ୍ୟାଲେଣ୍ଡର ପ୍ରସ୍ତୁତ କରିବାରେ ବେଶ୍ ସହାୟକ ହେବ ।
ଭାରତ ପାଇଁ ବଡ଼ ଖବର: ଭାରତ ଏକକ ଭାବେ ୨୦୨୯ ଅକ୍ଟୋବର ୯ ରୁ ୨୮ ତାରିଖ ପର୍ୟ୍ୟନ୍ତ ଆଇସିସି ପୁରୁଷ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ । ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ବିଶ୍ୱକପ୍ ଖେଳାଯିବା ପରେ ୨୦୩୧ରେ ଏହା ପୁଣି ଉପମହାଦେଶକୁ ଫେରିବ । ଭାରତ ଏବଂ ବାଂଲାଦେଶ ମିଳିତ ଭାବେ ୨୦୩୧ ଅକ୍ଟୋବର ୯ ରୁ ନଭେମ୍ବର ୨୩ ପର୍ୟ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବେ ।
୨୦୨୮ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ (ଅକ୍ଟୋବର ୧୨ – ନଭେମ୍ବର ୧୨) ଏବଂ ୨୦୩୦ରେ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଓ ଆୟର୍ଲାଣ୍ଡରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ସେହିପରି ୨୦୩୨ ଓ ୨୦୩୪ ସଂସ୍କରଣ ପାଇଁ ଆୟୋଜକ ଦେଶଙ୍କ ନାମ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ।ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ପ୍ରତି ଦୁଇ ବର୍ଷରେ ଥରେ ଜୁନ୍ ମାସରେ ଖେଳାଯିବ । ୨୦୨୯ (ଜୁନ୍ ୮-୧୨) ଏବଂ ୨୦୩୧ (ଜୁନ୍ ୧୨-୧୬) ଫାଇନାଲ୍ ଇଂଲଣ୍ଡରେ ଖେଳାଯିବ । ଏହା ବ୍ୟତୀତ ୨୦୩୩ ଚାମ୍ପିୟନ୍ସ ଟ୍ରଫି (ଅକ୍ଟୋବର) ଏବଂ ୨୦୩୫ ଦିନିକିଆ ବିଶ୍ୱକପ୍ (ଅକ୍ଟୋବର ୨ – ନଭେମ୍ବର ୧୮) ପାଇଁ ତାରିଖ ଚୂଡ଼ାନ୍ତ ହୋଇଥିବା ବେଳେ ଆୟୋଜକ ଦେଶ ଚୟନ ବାକି ରହିଛି ।
