ମୁମ୍ବାଇ: ୨୦୦୦ ମସିହାର ସୁପରହିଟ୍ ଫିଲ୍ମ ‘ଜୋସ୍’ରେ ଶାହରୁଖ ଖାନଙ୍କ ସହ ଦମଦାର ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ଶରଦ କପୁର ଏବେ ପୁଣି ଥରେ ଶିରୋନାମାରେ ଅଛନ୍ତି। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାର ଏବଂ ନିର୍ମାତାମାନଙ୍କୁ କାମ ଦେବା ପାଇଁ ଭାବପ୍ରବଣ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଭାଇରାଲ ଭିଡିଓ ଏବଂ ଚର୍ଚ୍ଚା ମଧ୍ୟରେ ଶରଦ କପୁର ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସେ ଖୁବ୍ ଶୀଘ୍ର ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ନିଜର ବର୍ତ୍ତମାନର ସ୍ଥିତି ଏବଂ ଭାଇରାଲ ଭିଡିଓ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଶରଦ କହିଛନ୍ତି ଯେ, ସେ ଗତ ସାତ ବର୍ଷ ଧରି ନ୍ୟୁୟର୍କରେ ରହୁଥିଲେ ଏବଂ ମାତ୍ର ବର୍ଷେ ତଳେ ଭାରତ ଫେରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଭିଡିଓଟି କାହାକୁ ସମାଲୋଚନା କରିବା ପାଇଁ ନଥିଲା, ବରଂ ସେ କେବଳ ଭଲ କାମର ସନ୍ଧାନରେ ଅଛନ୍ତି। ଏହା ସହ ବାର୍ସିଲୋନାରେ ଫୁଟବଲ୍ ଖେଳୁଥିବା ସମୟରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ ଦୁଇ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ସେ ସାମୟିକ ଭାବେ ନିଜର ଚାରୋଟି ପୋଷା କୁକୁରଙ୍କୁ ଏକ ଆନିମଲ୍ ସେଲଟରରେ ରଖିବାକୁ ବାଧ୍ୟ ହୋଇଛନ୍ତି।
ନିଜ କ୍ୟାରିୟରର ନୂଆ ଇନିଂସ ବିଷୟରେ ସୂଚନା ଦେଇ ଶରଦ କହିଛନ୍ତି ଯେ, ତାଙ୍କୁ ଏକ ହଲିଉଡ୍ ଫିଲ୍ମର ଅଫର୍ ମିଳିଛି, ଯାହାର ସୁଟିଂ ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବ। ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ହେବ। ତେବେ ହଲିଉଡରେ କାମ କରିବା ସତ୍ତ୍ୱେ ସେ ବଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେ ପୁଣି ଥରେ ସୁଟିଂ ସେଟକୁ ଫେରିବେ ଏବଂ ନିଜ ପୋଷା କୁକୁରମାନଙ୍କୁ ମଧ୍ୟ ଘରକୁ ଫେରାଇ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି।
