ନୂଆଦିଲ୍ଲୀ: ଯମୁନାକୁ ନେଇ ଏତେ ରାଜନୀତି, ତଥାପି ଭରି ରହିଛି ବିଷାକ୍ତ ପାଣି । ବିଷାକ୍ତ ଫେଣରେ ଭର୍ତ୍ତି ହୋଇଛି ଯମୁନା ପାଣି ତାରି ଭିତରେ ବି ଚାଲିଛି ଛଟ୍ ପୂଜା । ସୋମବାର ଆପ୍ ଆଣିଛି ବଡ ଅଭିଯୋଗ । ଯମୁନା ସଫା କରିବାରେ ବିଜେପି ସରକାର ଫେଲ୍ ବୋଲି କହିଛି ଆପ୍ । ସେପଟେ ଯମୁନା ସଫା ଅଛି କହି ନଦୀର ସ୍ଥିତି ସମ୍ପର୍କରେ ମିଥ୍ୟା ତଥ୍ୟ ଉପସ୍ଥାପନ କରୁଥିବା ଉଭୟ ଉଭୟଙ୍କ ଉପରେ କାଦୁଅ ଫିଙ୍ଗିଛନ୍ତି । ସେପଟେ କିନ୍ତୁ ପୂର୍ବାଂଚଳର ହଜାର ହଜାର ମହିଳା ଯମୁନାର ବିଷାକ୍ତ ଫେଣ ପାଣି ଭିତରେ ଛଟ୍ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ରେଖା ଗୁପ୍ତାଙ୍କ ସରକାର ଯମୁନା ସଫା ଅଛି କହୁଥିବା ବେଳେ ଛଟ୍ ପୂଜା ବେଳେ ଯମୁନାର ଫେଣ ବିଜେପିର ମିଛ ପଦାରେ ପକେଇଦେଇଛି । ସୋସିଆଲ ମିଡିଆ ଏକ୍ସରେ ଯମୁନାର ଦୂଷିତ ପାଣି ଭିତରେ ଛଟ୍ ପୂଜା ପାଳନର ଭିଡିଓ ପୋଷ୍ଟ କରି ଆପ୍ କହିଛି, ବିଜେପି ଏବେ ଚତୁର୍ଥ ଇଂଜିନ କଥା ଦାବି କରୁଥିବା ବେଳେ ୪ଇଂଜିନ ବିଶିଷ୍ଟ ସରକାର ଯମୁନାକୁ କିପରି ସଫା କରିପାରୁନାହାନ୍ତି ବୋଲି କରିଛି ଆପ୍ । ପୋଷ୍ଟରେ ଲେଖା ହୋଇଛି ଏହା ଏଆଇ ନୁହେଁ ବରଂ ଛଟ୍ ପୂଜା ବେଳେ ଯମୁନାର ପ୍ରକୃତ ଚିତ୍ର । ବିଜେପି ଶାସିତ ସରକାରରେ ଏ ହେଉଛି ଯମୁନାର ସ୍ଥିତି ।
ସେପଟେ ବିଜେପି କହିଛି ପୂର୍ବ ଆପ୍ ସରକାରରେ ଯମୁନା ସଫା ହୋଇନଥିଲା ତେଣୁ ଯମୁନାରେ ଛଟ୍ ପୂଜା ବନ୍ଦ ଥିଲା । ଏବେ ୨ବର୍ଷରେ ବିଜେପି ସରକାର ଅଧାରୁ ଅଧିକ ଯମୁନା ପାଣି ସଫା କରିବା ପରେ ସନାତନୀ ଭକ୍ତ ଛଟ୍ ପୂଜା ଆଡମ୍ବର ସହକାରେ ପାଳନ କରୁଛନ୍ତି ବୋଲି ବିଜେଡି ଯୁକ୍ତି ବାଢିଛି । ସେପଟେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଦିଲ୍ଲୀରେ ବହୁ ବର୍ଷ ପରେ ଛଟ୍ ପୂଜା ଦିବ୍ୟ ଓ ଭବ୍ୟ ଆକାରରେ ପାଳନ ହେଉଛି । ଯମୁନାର ପବିତ୍ର କୂଳରୁ ନେଇ ୧୪ଶହ ଛଟ୍ ଘାଟ ଛଟ୍ ଗୀତ ଓ ପ୍ରବଳ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହେଉଛି । ଯାହା ପୁରା ରାଜଧାନୀକୁ ଆସ୍ଥାର ରଙ୍ଗରେ ରଙ୍ଗେଇ ଦେଇଛି । ତେବେ ପୂର୍ବାଂଚଳରେ ଯମୁନାରେ ଫେଣ ପାଣିକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଚଳିତ ବର୍ଷ ମହା ଆଡମ୍ବର ଓ ବିନା ଦ୍ୱିଧାରେ ଛଟ୍ ପୂଜା ପାଇଁ ଅନେକ ବ୍ୟବସ୍ଥା କରାଇଥିଲି, ଯଦି କେଉଁଠି କୌଣସି ତ୍ରୁଟି ରହିଛି, କ୍ଷମା କରନ୍ତୁ, ଆଗାମୀ ବର୍ଷ ଆହୁରି ସୁନ୍ଦର ଓ ସୁଗମ ଭାବେ ଛଟ୍ ପୂଜା ପାଳନ କରିବା ବୋଲି ସେ ଆହ୍ୱାନ ଦେଇଛନ୍ତି ।
