ଗୁରୁଦାସପୁର: ନଭେମ୍ବର ୩ ରାଜସ୍ଥାନର ଏକ ରେଳଷ୍ଟେସନରେ ବିସ୍ଫୋରଣ ମାମଲାରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛିା ପଂଜାବ ଗୁରୁଦାସପୁରର ଦ୍ୱାଦଶ ପାସ୍ ମହକଦୀପ କୌରଙ୍କ ସମ୍ପୃକ୍ତି ଖୁଲାସା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ବଡ ଗୁମର । ପାକିସ୍ତାନ ଭିତ୍ତିକ ଏକ ଅପରାଧୀକ ନେଟ ୱାର୍କରେ ସାମିଲ ଥିଲେ କୌର । ପୋଲିସ ସୂଚନା ଅନୁସାରେ, ଦୋସ୍ତପୁର ଗାଁର ମହକଦୀପ ପାକିସ୍ତାନର ଶାହ ନାମକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ସିଧାସଳଖ ଶାହଙ୍କ ଯୋଗାଯୋଗରେ ଥିଲେ । ପରେ ଚୌର କଲାନର ଦେବିନ୍ଦର ସିଂହଙ୍କୁ ଘଟଣାରେ ସାମିଲ କରିଥିଲେ । ଏହି କାମ କରିବାକୁ ୧ଲକ୍ଷ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ରାଜସ୍ଥାନ ଯିବା, ପାକିସ୍ତାନରେ ଥିବା ସେହି ବ୍ୟକ୍ତିଙ୍କ ସହ ସମନ୍ୱୟ ରକ୍ଷା କରିବା ଓ ରେଳ ଧାରଣାରେ ଆଇଇଡି ବିସ୍ଫୋରଣ ଲଗାଇବା ଥିଲା ଉଭୟଙ୍କ କାମ । ରାଜସ୍ଥାନ ପୋଲିସ ଗୁରଦାସପୁର ଜିଲ୍ଲାର କଲାନୌର ଅଂଚଳରୁ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ମଧ୍ୟ ଜବତ ହୋଇଥିବା ସୂଚନା ମିଲିଛି ।
କେମିତି ପାକ୍ ନେଟୱାର୍କରେ ସାମିଲ ହେଲେ ମହକଦୀପ?
ସୀମା ପାର ଅପରାଧିକ ନେଟୱାର୍କ ସହ ମହକଦୀପ ଯୋଡି ହେବା ପଛରେ ତାଙ୍କ ପରିବାର ଓ ବୈବାହିକ ସମ୍ପର୍କ ଥିଲା ମୁଖ୍ୟ କାରଣ । ମହିଳାଙ୍କ ପୂର୍ବତନ ସ୍ୱାମୀ କରଣଦୀପ ସିଂହ ଓ ତାଙ୍କର ଜଣେ ସମ୍ପର୍କୀୟ ଭାଇ ପାକିସ୍ତାନ ଆଧାରିତ କାରବାରରେ ସମ୍ପୃକ୍ତ ଥିଲେ । ଏହି ସମ୍ପର୍କ ଜରିଆରେ ମହକଦୀପ ଶାହ ନାମକ ବ୍ୟକ୍ତିଙ୍କ ଯୋଗାଯୋଗରେ ଆସିଥିଲେ । ଟଙ୍କା ଲୋଭରେ ସିଧାସଳଖ ତାଙ୍କ ସହ କାମ କରିବା ଆରମ୍ଭ କଲେ । ତଦନ୍ତ ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସହ ଥିବା ସମ୍ଭାବ୍ୟ ସମ୍ପର୍କ ଉପରେ ନଜର ରଖିଛି ପୋଲିସ । ବର୍ଷେ ପୂର୍ବରୁ ମହକଦୀପଙ୍କ ପୂର୍ବତନ ସ୍ୱାମୀଙ୍କୁ ଏକ ନିଶା ସମ୍ବନ୍ଧୀୟ ମାମଲାରେ ଗିରଫ କରାଯାଇଥିଲା । ଯେଉଁଥିରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ମହକଦୀପ ତାଙ୍କ ପରିବାରଠାରୁ ଦୂରେଇ ରହୁଥିବା କହିଛନ୍ତା ତାଙ୍କ ମ।। ଘର ଲୋକଙ୍କ କଥା ଶୁଣୁନଥିଲେ, ଘରଲୋକଙ୍କ ଇଛା ବିରୋଧରେ ବିବାହ କରିଥିଲେ । କିନ୍ତୁ ଦୁଇ ବର୍ଷ ମଧ୍ୟରେ ହିଁ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇଥିଲେ ।
ଦେବିନ୍ଦର ସିଂହଙ୍କ ସହ କେମିତି ଗଢିଉଠିଲା ସମ୍ପର୍କ?
ତଦନ୍ତର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଦେବିନ୍ଦର ସିଂହଙ୍କ ସହ ମହକଦୀପଙ୍କ ସମ୍ପର୍କ । ଦେବିନ୍ଦରଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଗିରଫଦାରୀର ପ୍ରାୟ ୩ମାସ ପୂର୍ବରୁ ସେ ମହକଦୀପଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ତାଙ୍କ ମା ବଲଜିତ କୌର ଓ ପିଉସୀ ସୁଖବିନ୍ଦର କୌର ଅଭିଯୋଗ କରିଛନ୍ତି ଯେ, ମହକଦୀପ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଏହି ସମ୍ପର୍କକୁ ଟାଣିଥିଲେ । ପରେ ତାଙ୍କୁ ଏପରି କାମରେ ସାମିଲ କରିଥିଲେ । ପାକିସ୍ତାନସ୍ଥିତ ହ୍ୟାଣ୍ଡେଲର ଏବଂ ସ୍ଥାନୀୟ କର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମହକଦୀପ ଏକ ଯୋଗସୂତ୍ର ଭାବେ କାମ କରୁଥିଲେ । ଅନ୍ୟପଟେ ରାଜସ୍ଥାନ ଗସ୍ତ ବେଳେ ଦେବୀନ୍ଦର ତାଙ୍କ ସହ ଥିଲେ ଏବଂ କଥିତ ଭାବେ ଏହି କାମ ସମ୍ପାଦନ କରିବାରେ ସହାୟତା କରିଥିଲେ । ଉଭୟଙ୍କ ମଧ୍ୟରେ ଦାୟିତ୍ୱର ସଠିକ ବଂଟନ କିପରି ଥିଲା ତାର ତଦନ୍ତ ଚାଲିଛି ।
ବିସ୍ଫୋରଣ ପୂର୍ବରୁ ଓ ପରେ ଅସ୍ୱାଭାବିକ ଗତିବିଧି
ବିସ୍ଫୋରଣର ଦୁଇଦିନ ପୂର୍ବରୁ ମହକଦୀପ ଜଣେ ବନ୍ଧୁଙ୍କୁ ଭେଟିବାକୁ କହି ଘରୁ ବାହାରିଥିଲେ ଆଉ ବିସ୍ଫୋରଣର ୪-୫ ଦିନ ପରେ ଘରକୁ ଫେରିଥିଲେ । ଏବଂ ଅଧିକାଂଶ ସମୟ ନିଜ ରୁମରେ ରହୁଥିଲେ । କାହା ସହ ଫୋନରେ କଥା ହେଉଥିଲେ ବୋଲି ପରିବାର ଲୋକ କହିଛନ୍ତି । ଅନ୍ୟପଟେ ଦେବୀନ୍ଦରଙ୍କ ପରିବାର କହିଛନ୍ତି ଦେବିନ୍ଦର ଘରୁ ଦିଲ୍ଲୀ ଯାଉଛନ୍ତି କହି ବାହାରିଥିଲେ । ବିସ୍ଫୋରଣର ୨ଦିନ ପୂର୍ବରୁ ବାହାରିଥିଲେ ବିସ୍ଫୋରଣର ୩ଦିନ ପରେ ଘରକୁ ଫେରିଥିଲେ । ପୋଲିସ ମହକଦୀପକୁ ଅଟକ ରଖିବା ପରେ ଦେବିନ୍ଦରକୁ ଫୋନ କରି ବାହାରକୁ ଆସିବାକୁ କହିଥିଲୋ ଏଥିପାଇଁ ତାଙ୍କୁ ୧ଲକ୍ଷ ଟଙ୍କା ଦେବାର ପ୍ରଲୋଭନ ଦେଇଥିଲା । ସେମାନଙ୍କ କହିବା ଅନୁସାରେ ପରେ ଦେବିନ୍ଦରଙ୍କୁ ପୋଲିସ କାବୁ କରିଥିଲା ।
