Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା: ଭୂସ୍ଖଳନ ଆଶଙ୍କା ଥିଲେ କରାଯିବ ସ୍ଥାନାନ୍ତର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧୀରେ ଧୀରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏହାର ସମ୍ଭାବ୍ୟ ଗତିପଥ ଆକଳନ କରାଯାଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ରାଜସ୍ବ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। IMD ଆକଳନ ଅନୁଯାୟୀ ଜିଲ୍ଲାପାଳଙ୍କୁ ସଜାଗ କରାଯାଇଛି। ମନ୍ତ୍ରୀ ସୁରେଶ ପୂଜାରୀକହିଛନ୍ତି, ବର୍ଷା ଓ ବନ୍ୟା ଅପେକ୍ଷା ଭୂସ୍ଖଳନ ସମସ୍ୟାକୁ ଗୁରୁତ୍ବ ଦେଉଛୁ। ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

IMD ଆକଳନ ଅନୁଯାୟୀ, ଏହା ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏକ ‘ଅତି ଭୀଷଣ ବାତ୍ୟା’ ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୁର ଏବଂ ଟୁନି ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟ୍‌କା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି । ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା ହେବ। ସେଥିଲାଗି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ଭାବ୍ୟ ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳ ଛୁଇଁନଥିଲେ ମଧ୍ୟ ଏହାର ପ୍ରଭାବରେ ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ- ନଭେମ୍ବର ୧୮: ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନଭେମ୍ବର ୧୯: ଏହି ଦିନ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

 

Leave A Reply

Your email address will not be published.