Latest Odisha News

BREAKING NEWS

‘Remembering Humane Sagar’ ସ୍ୱର ନୀରବ, ଗୀତ ଆଜିବି ଗୁଂଜରିତ: ସ୍ମୃତିପଟରେ ଏବେବି ଜୀବିତ ହ୍ୟୁମାନ

ବ୍ୟୁରୋ: ମଂଚରେ ଆଉ ଶୁଭୁନି ତାଙ୍କ ସ୍ୱର, ଫିଲ୍ମରେ ଆଉ ଶୁଣିବାକୁ ମିଳୁନି କଣ୍ଠର ଯାଦୁଗରୀ । କି ନିଶା ଥିଲା ଯେ ତାଙ୍କ ସ୍ୱରରେ ଆଜିବି ଓଡିଶାର ପ୍ରତ୍ୟେକଟି ହୃଦୟ ତାଙ୍କ ପାଇଁ କାନ୍ଦୁଛି । ଯେଉଁ ଷ୍ଟୁଡିଓରୁ ଗୀତର ଯାତ୍ରା ଆରମ୍ଭ କରିଥିଲେ, ଆଜି ସେ ଷ୍ଟୁଡିଓ ଝୁରୁଛିା ଯେଉଁ ମା ଦଶ ମାସ ଗର୍ଭଯନ୍ତ୍ରଣା ସହି ତାଙ୍କୁ ଜନ୍ମ ଦେଇଥିଲା, ତା ଆଖିରୁ ବର୍ଷ ତମାମ ଶୁଖୁନି ଲୁହ, ସରୁନି କୋହ । ଆଉ ସଙ୍ଗୀତ ନିର୍ଦ୍ଦେଶକ ସାଥୀ କଳାକାର ବି ତାଙ୍କ ସହ ବିତେଇଥିବା ସେ ଅଭୁଲା ଦିନକୁ ଭୁଲିପାରୁନାହାନ୍ତି ।

ହ୍ୟୁମାନ ସାଗର… ଏ ନାଁ ଶୁଣିଲେ ଆଖିରୁ ଆପେ ଆପେ ଲୁହ ଝରିଯାଉଛି । ଭାରି ମନେ ପଡୁଛନ୍ତି ସବୁ ଓଡିଆଙ୍କ ପ୍ରୀୟ ସଙ୍ଗୀତର ଲଭ୍ ଡାଏରୀ । ଓଡିଆ ସଙ୍ଗୀତର ଏମିତି ଗୋଟିଏ ନାଁ ଯାହାକୁ ଭୁଲିବା ଭାରି କଷ୍ଟ । ଆଖିରୁ ହ୍ୟୁମାନ ଉଭାନ ହୋଇଯାଇଛନ୍ତି ସତ, ହେଲେ ମନରେ ଚୀର ଦିନ ପାଇଁ ରହିଯାଇଛନ୍ତି ସେ ଆଉ ତାଙ୍କ ଅସରନ୍ତୀ ଗୀତର ଭଣ୍ଡାର । ସ୍ୱତନ୍ତ୍ର ସ୍ୱର, ସ୍ୱତନ୍ତ୍ର ଗାୟନ ଶୈଳୀ ଆଉ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀରେ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ତାଙ୍କର ପ୍ରତ୍ୟେକଟି ଗୀତରେ ରହିଥିଲା ଭାବନାର ମାଦକତା । ସେ ରୋମାଂଟିକ ହେଉ କି ଇମୋସନାଲ ଟ୍ରାକ୍‌, ସବୁଥିରେ ସୁନ୍ଦର ଗାୟନ ଶୈଳୀ ପାଇଁ ସେ ଗୀତ ହୋଇଯାଇଛି ସୃତିମଧୁର, ହୃଦୟସ୍ପର୍ଶୀ ଆଉ ଚୀର ସ୍ମରଣୀୟ । ସଙ୍ଗୀତ ଜଗତରେ ତାଙ୍କ ପ୍ରବେଶ ପରେ ବାହାର କଣ୍ଠଶିଳ୍ପୀଙ୍କ ପାଇଁ ଦ୍ୱାର ଗୋଟେପ୍ରକାର ବନ୍ଦ ହୋଇଯାଇଥିଲା କହିଲେ ଅତ୍ୟୁକ୍ତି ହେବନି । ହ୍ୟୁମାନଙ୍କ ସ୍ୱର ସବୁ ସଙ୍ଗୀତ ନିର୍ଦ୍ଦେଶକ ଓ ଶ୍ରୋତାଙ୍କୁ ଯେମିତି କିମିଆ କରିଦେଇଥିଲା ।

ଠିକ୍ ବର୍ଷେ ତଳେ ଆଜିର ଦିନରେ ହ୍ୟୁମାନ ଚୀରନିଦ୍ରାରେ ଚାଲିଗଲେ । ଆରପାରିକୁ ଚାଲିଗଲେ ପରଦେଶୀ ଚଢେଇ । ହେଲେ ଜନ୍ମମାଟିରୁ ଯୁଇ ଯାଏଁ, ଆକାଶ, ପାଣି ପବନ ତାଙ୍କର ଶେଷ ଦର୍ଶନ ପାଇଁ ହୋଇ ଯାଇଥିଲେ ଏକାକାର । କମ୍ ବୟସରେ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିଣିବା ପାଇଁ ଯେମିତି ସେ ଧରାପୃଷ୍ଠକୁ ଆସିଥିଲେ । ଆଉ ଅଳ୍ପ ଦିନର ମୋହ ଲଗାଇ ସମସ୍ତଙ୍କୁ ଛାଡି ଚାଲିଗଲେ । ସଙ୍ଗୀତରେ କ୍ୟାରିଅର ଆରମ୍ଭ କରିବାଠାରୁ ଶେଷ ନିଶ୍ୱାସ ଯାଏ ସେ କାମ କରିଚାଲିଲେ କେବଳ ତାଙ୍କ ପ୍ରଶଂସକଙ୍କ ଭଲପାଇବା ପାଇଁ । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି ସମସ୍ତେ ।

 

Leave A Reply

Your email address will not be published.