Latest Odisha News

BREAKING NEWS

Rahul Gandhi Criticised EC: ‘ଆମକୁ ଭିତିରି ତଥ୍ୟ ଦେଉଛନ୍ତି ନିର୍ବାଚନ କମିଶନର ଅଧିକାରୀ’…କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ: ଆମେ ନିର୍ବାଚନ ହାରିଲେ ବି ନିର୍ବାଚନ ବର୍ଜନ କରିବୁ ନାହିଁ। କାରଣ ନିର୍ବାଚନରୁ ଓହରିଗଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଦୁର୍ବଳ ହୋଇଯିବ। ଆମେ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁନାହୁଁ। ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଭଳି କହି ବିରୋଧୀଙ୍କ ନିର୍ବାଚନୀ ରଣନୀତି ସ୍ପଷ୍ଟ କରିଛନ୍ତି। ଏହା ସହ ନିର୍ବାଚନ କମିଶନଙ୍କ ଭିତରୁ ବିରୋଧୀଙ୍କୁ ତଥ୍ୟ ମିଳୁଥିବା ମଧ୍ୟ ସେ ଦାବି କରିଛନ୍ତି। ଏଥିସହିତ ରାହୁଲ ପୁଣି ଥରେ ନିର୍ବାଚନ କମିଶନରଙ୍କୁ ସମାଲୋଚନା କରିଛନ୍ତି । କାରଣ ପୂର୍ବରୁ ନଭେମ୍ବର ୧୮ରେ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଥିଲେ ଯେ, ନିର୍ବାଚନ କମିଶନ ଭିତରୁ ହିଁ ତାଙ୍କୁ ସୂଚନା ମିଳୁଛି। କମିଶନର କିଛି ବରିଷ୍ଠ ଅଧିକାରୀ ମଧ୍ୟ ବର୍ତ୍ତମାନର କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୁଷ୍ଟ ଥିବା ସେ ଦାବି କରିଥିଲେ।

ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପ୍ରଫେସର ରବର୍ଟ ପେପ୍‌ଙ୍କ ସହ ଆଲୋଚନା ବେଳେ ରାହୁଲ ଗାନ୍ଧୀ ଭାରତର ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ପୁଣି ପ୍ରଶ୍ନ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ନିର୍ବାଚନ କମିଶନଙ୍କ ଭିତରେ ଥିବା କିଛି ବରିଷ୍ଠ ଅଧିକାରୀ ବର୍ତ୍ତମାନର ପରିସ୍ଥିତିରେ କାମ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଭିତିରି ତଥ୍ୟ ବିରୋଧୀଙ୍କୁ ଜଣାଉଛନ୍ତି। ଏପରିକି ନିର୍ବାଚନ କମିଶନଙ୍କ ବ୍ୟବସ୍ଥା ଭିତରୁ ଭାଙ୍ଗିବା ସ୍ଥିତିରେ ପହଞ୍ଚିଥିବା ବୋଲି ସେ ମତ ଦେଇଛନ୍ତି।

ରାହୁଲ କହିଛନ୍ତି, ଦେଶର ଗଣତନ୍ତ୍ର ବିରୋଧୀଙ୍କ ପାଇଁ ପବିତ୍ର। ତେଣୁ ଶତ ପ୍ରତିଶତ ପ୍ରମାଣ ନଥିଲେ ସେ ଭାରତୀୟ ଗଣତନ୍ତ୍ରରେ ସମସ୍ୟା ଥିବା କଥା ମଧ୍ୟ କହିବାକୁ ଚାହାନ୍ତି ନାହିଁ। ତାଙ୍କ କହିବା ଅନୁସାରେ, ନିର୍ବାଚନରେ ଭାଗ ନନେବାକୁ ଘୋଷଣା କଲେ ଗଣତନ୍ତ୍ରର ମୂଳ ଢାଞ୍ଚା ହିଁ ଭାଙ୍ଗିଯିବ। ସେଥିପାଇଁ ବିରୋଧୀ ନିର୍ବାଚନ ବର୍ଜନ କରିବା ପରିବର୍ତ୍ତେ କଥିତ ଅନିୟମିତତାକୁ ଲୋକଙ୍କ ସାମ୍ନାକୁ ଆଣିବେ ଏବଂ ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜାରି ରଖିବେ।

ସେ ଆହୁରି କହିଛନ୍ତି, ବିରୋଧୀ ଯଦି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରନ୍ତି, ତେବେ ଲୋକଙ୍କ ନଜରରେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ବୈଧତା ଉପରେ ପ୍ରଶ୍ନ ଉଠିବ। ବିରୋଧୀ ଏଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହାନ୍ତି। ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ବଡ଼ କ୍ଷତି ସହିଥିଲେ ମଧ୍ୟ ଗଣତାନ୍ତ୍ରିକ ଓ ନିର୍ବାଚନୀ ବ୍ୟବସ୍ଥାକୁ ଭାଙ୍ଗିବା ଭଳି ପଦକ୍ଷେପ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହା ପୂର୍ବରୁ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ‘ଭୋଟ୍ ଚୋରି’ ଅଭିଯୋଗ ଉଠାଇଥିଲେ। ତାଙ୍କର ସେହି ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଥିଲା। ଏବେ ଚିକାଗୋରେ ନିର୍ବାଚନ କମିଶନଙ୍କ ଭିତରୁ ତଥ୍ୟ ମିଳୁଥିବା ଦାବି ସହ ନିର୍ବାଚନ ବର୍ଜନ ନକରିବାର କାରଣ ଓ ବିରୋଧୀଙ୍କ ଆଗାମୀ ରଣନୀତି ବିଷୟରେ ରାହୁଲଙ୍କ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାକୁ ନୂଆ ଦିଗ ଦେଇଛି।

Leave A Reply

Your email address will not be published.