ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ଉପକୂଳରେ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରିଛି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ। ଜଙ୍ଗଲ, ବନ୍ୟଜନ୍ତୁ ଏବଂ ବିଭାଗୀୟ ଭିତ୍ତିଭୂମିର ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ଲକ୍ଷ୍ୟରେ ସମସ୍ତ ଆଞ୍ଚଳିକ ଓ ବନ୍ୟପ୍ରାଣୀ ବନଖଣ୍ଡକୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସହ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ଆବଶ୍ୟକ ଉପକରଣ ସହ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରଖିବା, ଜରୁରୀ ଔଷଧ ଓ ପଶୁ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ସହ ପ୍ରାଣୀ ଉଦ୍ୟାନ ଏବଂ ବିପଦସଙ୍କୁଳ ସ୍ଥାନରେ ରହୁଥିବା ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା ଉପରେ ନିର୍ଦ୍ଦେଶନାମାରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା, ବନ ବିଭାଗୀୟ ଭିତ୍ତିଭୂମିର ସୁରକ୍ଷା ସହ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ନିରାପତ୍ତା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସମସ୍ତ ବନଖଣ୍ଡର ନିୟନ୍ତ୍ରଣ କକ୍ଷକୁ ସକ୍ରିୟ ରଖିବା ସହ VHF ଓ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ ନିମନ୍ତେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବିଭାଗ ସହ ସମନ୍ୱୟ ରକ୍ଷା କରିବେ।
