Latest Odisha News

BREAKING NEWS

Religious Population Projection: ୫୦ ବର୍ଷ ପରେ କେମିତି ରହିବ ଭାରତର ଜନସଂଖ୍ୟା? ହିନ୍ଦୁଙ୍କ ଅନୁପାତ କମିବ, ମୁସଲିମ୍ ଜନସଂଖ୍ୟା ବଢିବ! ରିପୋର୍ଟରେ ବଡ ଆକଳନ…

ନୂଆଦିଲ୍ଲୀ: ଆସନ୍ତା ୫୦ ବର୍ଷରେ ଭାରତର ଜନସଂଖ୍ୟା ସହ ଧାର୍ମିକ ଜନସଂଖ୍ୟାର ଅନୁପାତରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିପାରେ। ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟରର ନୂଆ ରିପୋର୍ଟ ଅନୁସାରେ, ୨୦୭୦ ସୁଦ୍ଧା ଭାରତର ମୋଟ ଜନସଂଖ୍ୟା ପ୍ରାୟ ୧୭୦ କୋଟିରେ ପହଞ୍ଚିପାରେ। ସେତେବେଳେ ଦେଶରେ ହିନ୍ଦୁଙ୍କ ସଂଖ୍ୟା ପ୍ରାୟ ୧୨୮.୯ କୋଟି ଏବଂ ମୁସଲିମ୍‌ଙ୍କ ସଂଖ୍ୟା ୩୩.୩ କୋଟି ହୋଇପାରେ। ଅର୍ଥାତ୍ ମୁସଲିମ୍ ଜନସଂଖ୍ୟାର ଅନୁପାତ ବଢ଼ିବ, କିନ୍ତୁ ହିନ୍ଦୁମାନେ ଭାରତର ସବୁଠାରୁ ବଡ଼ ଧାର୍ମିକ ସମ୍ପ୍ରଦାୟ ହୋଇ ରହିବେ।

ନଭେମ୍ବର ୧୮, ୨୦୨୬ରେ ପ୍ୟୁ ରିସର୍ଚ୍ଚ ସେଣ୍ଟର ‘ଦି ଫ୍ୟୁଚର ଅଫ୍ ୱାର୍ଲ୍ଡ ରିଲିଜନ୍ସ: ପପୁଲେସନ୍ ଗ୍ରୋଥ୍ ପ୍ରୋଜେକ୍ସନ୍ସ, ୨୦୨୦-୨୦୭୦’ ଶୀର୍ଷକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ବିଶ୍ୱର ୨୦୧ଟି ଦେଶ ଓ ଅଞ୍ଚଳରେ ସାତଟି ଧାର୍ମିକ ସମୂହର ଜନସଂଖ୍ୟାକୁ ନେଇ ଆକଳନ କରାଯାଇଛି। ରିପୋର୍ଟ ଅନୁସାରେ, ୨୦୩୫ ସୁଦ୍ଧା ଇସଲାମ୍ ଧର୍ମାବଲମ୍ବୀଙ୍କ ସଂଖ୍ୟା ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ନିକଟତର ହୋଇପାରେ ଏବଂ ପରବର୍ତ୍ତୀ ସମୟରେ ବିଶ୍ୱର ସବୁଠାରୁ ବଡ଼ ଧର୍ମ ହେବାର ସମ୍ଭାବନା ରହିଛି। ୨୦୭୦ରେ ଭାରତ ବିଶ୍ୱର ସର୍ବାଧିକ ହିନ୍ଦୁ ଜନସଂଖ୍ୟା ଥିବା ଦେଶ ରହିବା ସହ ମୁସଲିମ୍ ଜନସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିବ।

ରିପୋର୍ଟ ଅନୁସାରେ, ୨୦୨୦ରେ ଭାରତର ମୋଟ ଜନସଂଖ୍ୟାର ୭୯.୪ ପ୍ରତିଶତ ହିନ୍ଦୁ ଥିଲେ। ୨୦୭୦ରେ ଏହା ୭୫.୮ ପ୍ରତିଶତକୁ ଖସିପାରେ। ଅର୍ଥାତ୍ ୫୦ ବର୍ଷରେ ହିନ୍ଦୁଙ୍କ ଜନସଂଖ୍ୟା ଅନୁପାତ ୩.୬ ପ୍ରତିଶତ ପଏଣ୍ଟ ହ୍ରାସ ପାଇପାରେ। କିନ୍ତୁ ଏହାର ଅର୍ଥ ହିନ୍ଦୁଙ୍କ ସଂଖ୍ୟା କମିବ ନୁହେଁ। ୨୦୨୦ରେ ପ୍ରାୟ ୧୧୧.୪ କୋଟି ଥିବା ହିନ୍ଦୁଙ୍କ ସଂଖ୍ୟା ୨୦୭୦ରେ ୧୨୮.୯ କୋଟି ହୋଇପାରେ। ଅନ୍ୟପଟେ, ୨୦୨୦ରେ ମୁସଲିମ୍‌ଙ୍କ ଅନୁପାତ ୧୫.୨ ପ୍ରତିଶତ ଥିବାବେଳେ ୨୦୩୦ରେ ୧୬.୧, ୨୦୪୦ରେ ୧୬.୯, ୨୦୫୦ରେ ୧୭.୮ ଏବଂ ୨୦୬୦ରେ ୧୮.୭ ପ୍ରତିଶତ ହୋଇପାରେ। ୨୦୭୦ ସୁଦ୍ଧା ଏହା ୧୯.୬ ପ୍ରତିଶତରେ ପହଞ୍ଚିବାର ଆକଳନ କରାଯାଇଛି। ୨୦୨୦ରେ ପ୍ରାୟ ୨୧.୩ କୋଟି ଥିବା ମୁସଲିମ୍ ଜନସଂଖ୍ୟା ୨୦୭୦ରେ ୩୩.୩ କୋଟି ହୋଇପାରେ। ଅର୍ଥାତ୍ ଏହି ୫୦ ବର୍ଷ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ପ୍ରାୟ ୧୭.୫ କୋଟି ଏବଂ ମୁସଲିମ୍‌ଙ୍କ ସଂଖ୍ୟା ପ୍ରାୟ ୧୨ କୋଟି ବଢ଼ିପାରେ। ଏହି ସଂଖ୍ୟାଗୁଡ଼ିକ ରିପୋର୍ଟର ମୋଟ ଜନସଂଖ୍ୟା ଓ ଧାର୍ମିକ ଅନୁପାତ ଆଧାରରେ ଆକଳନ କରାଯାଇଛି।

ରିପୋର୍ଟ ଅନୁସାରେ, ଭାରତରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଅନୁପାତ ୨୦୨୦ରୁ ୨୦୭୦ ପର୍ଯ୍ୟନ୍ତ ପ୍ରାୟ ୨.୨ ପ୍ରତିଶତ ରହିପାରେ। ବୌଦ୍ଧଙ୍କ ଅନୁପାତ ୦.୭ରୁ ୦.୬ ପ୍ରତିଶତକୁ ଏବଂ ଅନ୍ୟ ଧର୍ମାବଲମ୍ବୀଙ୍କ ଅନୁପାତ ୨.୫ରୁ ୧.୮ ପ୍ରତିଶତକୁ ହ୍ରାସ ପାଇପାରେ।?

ପ୍ୟୁ ରିସର୍ଚ୍ଚ ଅନୁସାରେ, ଜନସଂଖ୍ୟାର ପରିବର୍ତ୍ତନ ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି। ପ୍ରଥମଟି ହେଉଛି ଜନ୍ମହାର, ଦ୍ୱିତୀୟଟି ହେଉଛି ଜନସଂଖ୍ୟାର ବୟସ ଗଠନ ଓ ମୃତ୍ୟୁହାର ଏବଂ ତୃତୀୟଟି ହେଉଛି ଦେଶାନ୍ତରଣ ଓ ଧର୍ମ ପରିବର୍ତ୍ତନ।

ରିପୋର୍ଟରେ ୨୦୨୦-୨୦୨୫ ଅବଧି ପାଇଁ ବିଶ୍ୱସ୍ତରରେ ମୁସଲିମ୍ ମହିଳାଙ୍କ ହାରାହାରି ଜନ୍ମହାର ୩.୧ ସନ୍ତାନ ଥିବାବେଳେ ଅଣମୁସଲିମ୍ ମହିଳାଙ୍କ କ୍ଷେତ୍ରରେ ଏହା ୨ ରହିଛି। ସେହିପରି ମୁସଲିମ୍ ସମ୍ପ୍ରଦାୟର ହାରାହାରି ବୟସ ୨୪ ବର୍ଷ ଏବଂ ଅଣମୁସଲିମ୍‌ଙ୍କ କ୍ଷେତ୍ରରେ ୩୩ ବର୍ଷ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଏହା ବିଶ୍ୱସ୍ତରୀୟ ତଥ୍ୟ, କେବଳ ଭାରତର ନୁହେଁ। ଭାରତରେ ମଧ୍ୟ ମୁସଲିମ୍ ମହିଳାଙ୍କ ଜନ୍ମହାର ହିନ୍ଦୁ ମହିଳାଙ୍କ ତୁଳନାରେ ଅଧିକ ବୋଲି ରିପୋର୍ଟ କହିଛି। ହିନ୍ଦୁ ମହିଳାଙ୍କ ହାରାହାରି ଜନ୍ମହାର ପ୍ରାୟ ୧.୯ ଥିବାବେଳେ ମୁସଲିମ୍ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ। ତେବେ ଗତ କିଛି ଦଶନ୍ଧି ମଧ୍ୟରେ ସବୁ ସମ୍ପ୍ରଦାୟର ଜନ୍ମହାର ହ୍ରାସ ପାଇଛି। ପ୍ରାୟ ତିନି ଦଶନ୍ଧି ପୂର୍ବେ ହିନ୍ଦୁ ମହିଳାଙ୍କ ଜନ୍ମହାର ୩.୩ ଥିବାବେଳେ ଏବେ ଏହା ୧.୯କୁ ଖସିଛି। ଏହାସହ କୌଣସି ସମ୍ପ୍ରଦାୟରେ ସନ୍ତାନ ଜନ୍ମ ଦେବା ବୟସର ମହିଳାଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଭବିଷ୍ୟତରେ ସେହି ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇପାରେ। ଏହି କାରଣରୁ ଜନ୍ମହାର କମିବା ପରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ଜାରି ରହିପାରେ ବୋଲି ଏହି ରିପୋର୍ଟ ଦାବି କରିଛି।

 

Leave A Reply

Your email address will not be published.