ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ (Cyclone Akvan)ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ SRC କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ରାତି ୩ଟା ପର୍ଯ୍ୟନ୍ତ ରହି ବାତ୍ୟାର ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ତନ୍ନତନ୍ନ ଯାଞ୍ଚ କରିଥିଲେ।
ଶୂନ୍ୟ ମୃତାହତ’ (Zero Casualty) ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟାର ଗତିପଥ, ଲୋକଙ୍କ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ଏବଂ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅଧିକାରୀଙ୍କଠାରୁ ସବିଶେଷ ତଥ୍ୟ ନେଇଥିଲେ। ଏହାସହ ଗଞ୍ଜାମ ଓ ପୁରୀ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ସମ୍ଭାବ୍ୟ ପ୍ରଭାବିତ ୨୦ଟି ଜିଲ୍ଲାର ତଳିଆ ଓ ଅସୁରକ୍ଷିତ ଅଞ୍ଚଳରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ୪,୧୭୦ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ଓ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୩୧୭ ଜଣ ଶିଶୁ ଜନ୍ମ ଦେଇଛନ୍ତି। ରାଜ୍ୟରେ ମୋଟ ୯,୩୪୧ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୨,୬୨୩ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇସାରିଛି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୪୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୬୦ଟି ଓଡ୍ରାଫ୍ (ODRAF), ୧୪ଟି ଏନ୍ଡିଆର୍ଏଫ୍ (NDRF), ୨୧୬ଟି ଅଗ୍ନିଶମ ବାହିନୀ ଏବଂ ୧୨୮ଟି ଗଛକଟା ଟିମ୍ ସାମିଲ ଅଛନ୍ତି।
ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଭଳି ୬ଟି ଜିଲ୍ଲାର ୯୪୧ଟି ଭୂସ୍ଖଳନ ପ୍ରବଣ ଗ୍ରାମକୁ ଚିହ୍ନଟ କରାଯାଇ ସେଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସମୟରେ ଟେଲି ଯୋଗାଯୋଗ ବଜାୟ ରଖିବା ପାଇଁ ୧୭ଟି ସାଟେଲାଇଟ୍ ଫୋନ୍ ଏବଂ ‘ସେଲ୍ସ ଅନ୍ ହ୍ୱିଲ୍ସ’ (CoW) ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୪୭ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ୨୮ଟି ଟ୍ରେନ୍ର ସମୟ ପରିବର୍ତ୍ତନ କରାଯାଇଛି। ସମୁଦ୍ରରେ ଫସି ରହିଥିବା ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ସହାୟତାରେ ଗଞ୍ଜାମ ଉପକୂଳକୁ ସୁରକ୍ଷିତ ଭାବେ ଅଣାଯାଉଛି। ଏହା ସହ ପୁରୀରେ ଥିବା ହବିଷ୍ୟାଳୀମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଆଜି (ଶୁକ୍ରବାର) ଅପରାହ୍ଣରେ ଗୋପାଳପୁର ନିକଟସ୍ଥ ହରିପୁରଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
