Latest Odisha News

BREAKING NEWS

Nepal PM Shah To Visit India:ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ବାଲେନ୍ଦ୍ର ଶାହ;ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ:ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଶୁକ୍ରବାର ଦିନ ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ ଏବଂ ୨୩ ତାରିଖରେ ଭାରତକୁ ଦୁଇ ଦିନିଆ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ନଭେମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ହେବାକୁ ଥିବା ଏହି ଗସ୍ତ, ୨୦୨୬ ମସିହା ମାର୍ଚ୍ଚ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ୍ଦ୍ର ଶାହଙ୍କର ଭାରତକୁ ପ୍ରଥମ ଗସ୍ତ ହେବ। ଏହି ଗସ୍ତ ଭାରତ-ନେପାଳ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଏହି ଗସ୍ତ ସମୟରେ, ନେପାଳର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ। ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେପାଳର ପ୍ରଧାନମନ୍ତ୍ରୀ ଭାରତ-ନେପାଳ ସମ୍ପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବେ। ଏହା ସହିତ ସେମାନେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ନିଜର ମତାମତ ଆଦାନପ୍ରଦାନ କରିବେ। ଶୁକ୍ରବାର ଦିନ ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାୟ ଏହି ଗସ୍ତ ସମ୍ବନ୍ଧୀୟ ଆନୁଷ୍ଠାନିକ ବିବରଣୀ ପ୍ରଦାନ କରିଛନ୍ତି।

ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାୟ କାଠମାଣ୍ଡୁରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବାଲେନ୍ ଶାହ ନଭେମ୍ବର ୨୨ ତାରିଖରେ ନେପାଳ ଏୟାରଲାଇନ୍ସର ଏକ ବିମାନ ଯୋଗେ ନୂଆଦିଲ୍ଲୀ ପହଞ୍ଚିବେ। ତାଙ୍କ ସହ ୩୪ ଜଣିଆ ଏକ ସରକାରୀ ପ୍ରତିନିଧି ଦଳ ରହିବେ । ନେପାଳ ପିଏମ୍ ଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗଲେ, ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା କୁମାର ବ୍ୟଞ୍ଜନକର ପ୍ରମୁଖ ରହିବେ ।

ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୩ ତାରିଖରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଲେନ ଶାହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିପାରନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ନେପାଳୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଆନୁଷ୍ଠାନିକ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ। ଏହା ବ୍ୟତୀତ, ବାଲେନ୍ ଶାହ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ମଧ୍ୟ ଭେଟିବେ।

ଭାରତର ‘ପଡ଼ୋଶୀ ପ୍ରଥମ’ (Neighbourhood First) ନୀତି ଅଧୀନରେ, ନେପାଳ ସହ ସମ୍ପର୍କକୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଏହି ଗସ୍ତ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ଭାଗୀଦାରୀ ଆହୁରି ସୁଦୃଢ଼ ​​ହେବ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ସହଯୋଗକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି। ବାଲେନ୍ ଶାହ ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ କାଠମାଣ୍ଡୁ ଫେରିବେ।

 

Leave A Reply

Your email address will not be published.