Latest Odisha News

BREAKING NEWS

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ୧୬ତମ ଆନ୍ତର୍ଜାତିକ ଗୋଲଟେବୁଲ ବୈଠକ ଓ ଦ୍ୱିତୀୟ ଏସିଆ-ଆଫ୍ରିକା ସଂଳାପ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପରିସରରେ ‘ସମସାମୟିକ ବିଶ୍ୱରେ ଯୋଗାଯୋଗ ଏବଂ ଧାର୍ମିକ ମାନବବାଦ: ସଂଳାପ, ମର୍ଯ୍ୟାଦା ଓ ସାମାଜିକ ପରିବର୍ତ୍ତନର ପୋଷଣ’ ଶୀର୍ଷକ ୧୬ତମ ଏଆରସି (ARC) ଆନ୍ତର୍ଜାତିକ ଗୋଲଟେବୁଲ ବୈଠକ ଏବଂ ଦ୍ୱିତୀୟ ଏସିଆ-ଆଫ୍ରିକା ସମ୍ବାଦ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୋଲଟେବୁଲ ବୈଠକ ଏବଂ ୧୬ ତାରିଖରେ ଦ୍ୱିତୀୟ ଏସିଆ-ଆଫ୍ରିକା ସମ୍ବାଦ ଆୟୋଜିତ ହୋଇଥିଲା।

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଚାରିଦିନିଆ ସମ୍ମିଳନୀରେ ଥାଇଲ୍ୟାଣ୍ଡର ସେଣ୍ଟ ଜନ୍ସ ବିଶ୍ୱବିଦ୍ୟାଳୟସ୍ଥିତ ଏସିଆନ୍ ରିସର୍ଚ୍ଚ ସେଣ୍ଟର ଫର୍ ରିଲିଜିଅନ୍ ଆଣ୍ଡ୍ ସୋସିଆଲ୍ କମ୍ୟୁନିକେସନ୍ (ଏଆରସି), ଦକ୍ଷିଣ ଆଫ୍ରିକାର ୟୁନିଭର୍ସିଟି ଅଫ୍ ଦି ୱେଷ୍ଟର୍ଣ୍ଣ କେପ୍‌ସ୍ଥିତ ଡେସମଣ୍ଡ ଟୁଟୁ ସେଣ୍ଟର ଫର୍ ରିଲିଜିଅନ୍ ଆଣ୍ଡ୍ ସୋସିଆଲ୍ ଜଷ୍ଟିସ୍
ଏବଂ ଭାରତର ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ସହ-ଆୟୋଜକ ଭାବେ ଯୋଡ଼ି ହୋଇଥିଲେ। ନଭେମ୍ବର ୧୩ ତାରିଖ ଅପରାହ୍ଣ ୨ଟାରେ ଉଦଘାଟିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତର ଗବେଷକଙ୍କ ସମେତ ଦକ୍ଷିଣ ଆଫ୍ରିକା, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଆମେରିକା ଭଳି ୯ଟି ଦେଶରୁ ପ୍ରାୟ ୫୨ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

ଆୟୋଜକ କମିଟି ପକ୍ଷରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରି ଆନ୍ତଃସାଂସ୍କୃତିକ ସମ୍ବାଦ ମାଧ୍ୟମରେ ମାନବୀୟ ମର୍ଯ୍ୟାଦା ଓ ସାମାଜିକ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଦଘାଟନୀ ମୁଖ୍ୟବକ୍ତା ଭାବେ ପ୍ରଫେସର ଦେବ ନାଥନ୍ ଯୋଗଦେଇ ଆଦିବାସୀ ଧାର୍ମିକ ବିଶ୍ୱାସରୁ ଆଧୁନିକ ସମାଜ କିଭଳି ମାନବୀୟ ମର୍ଯ୍ୟାଦା ଓ ଜ୍ଞାନ ପ୍ରଣାଳୀ ଶିଖିପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ଅନୁଷ୍ଠିତ ଉଦଘାଟନୀ ଆଲୋଚନାଚକ୍ରରେ ବିଦ୍ୱାନମାନଙ୍କ ସାମାଜିକ ଦାୟିତ୍ୱବୋଧ, ଆଦିବାସୀ ଚିନ୍ତାଧାରା ଏବଂ ପରିବେଶ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ସମ୍ମିଳନୀର ୭ଟି ଅଧିବେଶନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଡିଜିଟାଲ୍ ନୈତିକତା, ପରିବେଶଗତ ସ୍ଥାୟିତ୍ୱ, ଆନ୍ତଃଧର୍ମୀୟ ସମ୍ବାଦ, ଲିଙ୍ଗଗତ ଓ ସାମାଜିକ ନ୍ୟାୟ, ଗଣମାଧ୍ୟମରେ ପ୍ରତିନିଧିତ୍ୱ ଏବଂ ଅବହେଳିତ ବର୍ଗର ଅନୁଭୂତି ଆଦି ବିଷୟବସ୍ତୁ ଉପରେ ମୋଟ ୩୧ଟି ଗବେଷଣାତ୍ମକ ନିବନ୍ଧ ଉପସ୍ଥାପିତ ହୋଇଥିଲା। ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ମିତା ମିଶ୍ର ପଣ୍ଡା ଦକ୍ଷିଣ ଓଡ଼ିଶାର ସଉରା ସମ୍ପ୍ରଦାୟର ଧାର୍ମିକ ପରିବର୍ତ୍ତନ ଓ ସାଂସ୍କୃତିକ ପରିଚୟ ଉପରେ ଏକ ଗବେଷଣା ପତ୍ର ପାଠ କରିଥିଲେ। ନଭେମ୍ବର ୧୪ ତାରିଖ ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଆରସି ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କୋଲକାତାର ଅତ୍ତୋଦୀପ ଡ୍ୟାନ୍ସ ଥିଏଟର ଏବଂ ଲୋଟସ୍ କମ୍ୟୁନିକେସନ୍ ନେଟୱାର୍କ ପକ୍ଷରୁ ନୃତ୍ୟ-ନାଟିକା ‘ବୁଦ୍ଧଚରିକା’ ପରିବେଷଣ କରାଯାଇଥିଲା।

ମନ୍ତ୍ରୋଚ୍ଚାରଣ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଗୌତମ ବୁଦ୍ଧଙ୍କ ଜୀବନୀ ଓ ଯାତ୍ରା ସମ୍ପର୍କରେ ଦେଶବିଦେଶର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ନଭେମ୍ବର ୧୬ ତାରିଖରେ ଓଡ଼ିଶାର ଐତିହ୍ୟ ସ୍ଥଳୀ ପରିଦର୍ଶନ ସହ ‘ଦ୍ୱିତୀୟ ଏସିଆ-ଆଫ୍ରିକା ସଂଳାପ’ ଅନୁଷ୍ଠିତ
ହୋଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡକ୍ଟର ଟାମି ୱିଲ୍କସ୍ କେନିଆର ନୁବିଆନ୍ ସମ୍ପ୍ରଦାୟ ଉପରେ ବାୟୋମେଟ୍ରିକ୍ ନଜରଦାରୀର ନକାରାତ୍ମକ ପ୍ରଭାବ ସମ୍ପର୍କରେ ମତ ରଖିଥିବା ବେଳେ ପ୍ରଫେସର ଜ୍ଞାନ ପାଟ୍ରିକ୍ ମିଳିତ ଔପନିବେଶିକ ଐତିହ୍ୟ ଏବଂ ଆଦିବାସୀ ବୌଦ୍ଧିକ ପରମ୍ପରାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଧଉଳି ଶାନ୍ତିସ୍ତୂପ ପରିଦର୍ଶନ ସହ ଏହି ଆନ୍ତର୍ଜାତିକ ସମ୍ମିଳନୀ ଉଦଯାପିତ ହୋଇଥିଲା। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଡକ୍ଟର ସୁଧାଂଶୁ ଶେଖର ବେହେରା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.