Latest Odisha News

BREAKING NEWS

ଭାରତ-ଏ ଦଳର ରେକର୍ଡ ବିଜୟ: ନେପାଳକୁ ୨୬ ରନ୍‌ରେ ଅଲ୍‌ଆଉଟ୍ କଲା ଟିମ୍ ଇଣ୍ଡିଆ, ୩୦୬ ରନ୍‌ରେ ମାରିଲା ବାଜି 

ଦୋହା: ଏସିସି ମେନ୍ସ ରାଇଜିଂ ଷ୍ଟାର୍ସ ଏସିଆ କପ୍ ୨୦୨୬ର ଏକ ମୁକାବିଲାରେ ଭାରତ-ଏ ଦଳ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି  ।  ଶୁକ୍ରବାର (ନଭେମ୍ବର ୨୦) ଦୋହାର ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୨ ରନ୍ କରିଥିଲା । ଜବାବରେ ନେପାଳ ଦଳ ମାତ୍ର ୧୧.୩ ଓଭରରେ ୨୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଏହା ଲିଷ୍ଟ-ଏ କ୍ରିକେଟ୍ ଇତିହାସର ଅନ୍ୟତମ ସର୍ବନିମ୍ନ ଦଳଗତ ସ୍କୋର ଭାବେ ରେକର୍ଡ ହୋଇଛି । ଟସ୍ ଜିତି ନେପାଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଭାରତୀୟ ଦଳର ଆରମ୍ଭ ସେତେଟା ଭଲ ନଥିଲା ଏବଂ ମାତ୍ର ୪୨ ରନ୍ ଭିତରେ ୩ଟି ୱିକେଟ୍ ଖସିଯାଇଥିଲା । ବୈଭବ ସୂର‌୍ୟ୍ୟବଂଶୀ ୨୬ ରନ୍, ଅଭିଷେକ ଶର୍ମା ୯ ରନ୍ ଏବଂ ଆୟୁଷ ବଦୋନୀ ୨ ରନ୍ କରି ଆଉଟ୍ ହୋଇଥିଲେ । ଏହି ସଙ୍କଟ ସମୟରେ ଅଧିନାୟକ ତିଳକ ବର୍ମା ଏବଂ କୁମାର କୁଶାଗ୍ର ଦଳର ଇନିଂସକୁ ସମ୍ଭାଳିଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୨୦୬ ରନ୍‌ର ଏକ ବିଶାଳ ଭାଗିଦାରୀ ଗଢ଼ିଥିଲେ ।  କୁମାର କୁଶାଗ୍ର ଆକ୍ରମଣାତ୍ମକ ବ୍ୟାଟିଂ କରି ୧୦୨ ବଲ୍‌ରୁ ୧୦ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୭ ରନ୍ କରିଥିଲେ । ଅନ୍ୟପଟେ ତିଳକ ବର୍ମା ୧୧୩ ବଲ୍‌ରୁ ୬ଟି ଚୌକା ଓ ୪ଟି ଛକା ବଳରେ ୧୦୭ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ । ଶେଷ ଭାଗରେ ସୂର‌୍ୟ୍ୟାଂଶ ଶେଡଗେ ମାତ୍ର ୧୪ ବଲ୍‌ରୁ ଅପରାଜିତ ୩୬ ରନ୍ (୪ ଚୌକା ଓ ୪ ଛକା) କରି ଦଳକୁ ୩୩୨ ରନ୍‌ରେ ପହଞ୍ଚାଇଥିଲେ । ନେପାଳ ପକ୍ଷରୁ ସନ୍ଦୀପ ଲାମିଛାନେ ଓ ଲଲିତ ରାଜବଂଶୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ନନ୍ଦନ ଯାଦବ ୨ଟି ୱିକେଟ୍ ହାସଲ କରିଥିଲେ ।

୩୩୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନେପାଳ ବ୍ୟାଟ୍ସମ୍ୟାନ୍ ଭାରତୀୟ ଦ୍ରୁତ ବୋଲରଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ । ଇନିଂସର ତୃତୀୟ ବଲ୍‌ରେ ହିଁ ହର୍ଷିତ ରାଣା ଅର୍ଜୁନ କୁମାଲଙ୍କୁ ଆଉଟ୍ କରି ନେପାଳକୁ ପ୍ରଥମ ଝଟକା ଦେଇଥିଲେ । ଏହାପରେ ପ୍ରିନ୍ସ ଯାଦବ ଓ ହର୍ଷିତ ରାଣା ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ନେପାଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପ୍ରିନ୍ସ ଯାଦବ ୫ ଓଭରରେ ମାତ୍ର ୬ ରନ୍ ଦେଇ ୫ଟି ୱିକେଟ୍ ଦଖଲ କରିଥିବା ବେଳେ ହର୍ଷିତ ରାଣା ୬ ଓଭରରେ ୧୬ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ଅନ୍ୟ ୱିକେଟ୍‌ଟି ଶାହବାଜ ଅହମ୍ମଦ ନେଇଥିଲେ । ନେପାଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ ଏବଂ ଦଳ ମାତ୍ର ୨୬ ରନ୍‌ରେ ସୀମିତ ରହିଯାଇଥିଲା ।

Leave A Reply

Your email address will not be published.