Latest Odisha News

BREAKING NEWS

ପିଲାବେଳର ଫଟୋରୁ ଏଆଇ ତିଆରି କଲା ବର୍ତ୍ତମାନର ଚେହେରା; ୫ ବର୍ଷ ପରେ ଉଦ୍ଧାର ହେଲେ ନିଖୋଜ ମହିଳା

ସୋନଭଦ୍ର: ଆଧୁନିକ ଜ୍ଞାନକୌଶଳ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ସାହାଯ୍ୟରେ ଉତ୍ତରପ୍ରଦେଶର ସୋନଭଦ୍ର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ପ୍ରାୟ ୫ ବର୍ଷ ଧରି ନିଖୋଜ ଥିବା ଜଣେ ୩୫ ବର୍ଷୀୟା ମହିଳାଙ୍କୁ ପୋଲିସ ରାଜସ୍ଥାନର ଚୁରୁ ଜିଲ୍ଲାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହି ମାମଲାରେ ମହିଳାଙ୍କ ସାମ୍ପ୍ରତିକ ଫଟୋ ନଥିବାରୁ ପୋଲିସ ଜେନେଟିକ ଫେସିଆଲ ଫ୍ୟୁଚର୍ସ  ଏଆଇର ସହାୟତା ନେଇ ତାଙ୍କୁ ଖୋଜି ବାହାର କରିଛି ।  ତଦନ୍ତ ସମୟରେ ପୋଲିସ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ଥିଲା ଯେ ନିଖୋଜ ମହିଳାଙ୍କ ବାପଘର କିମ୍ବା ଶାଶୂଘର ଲୋକଙ୍କ ପାଖରେ ତାଙ୍କର କୌଣସି  ଫଟୋ ନଥିଲା । ବହୁ ଖୋଜାଖୋଜି ପରେ ପୋଲିସ ତାଙ୍କର ପୂର୍ବତନ ସ୍କୁଲର ୨୦୦୭ ମସିହାର ଚତୁର୍ଥ ଶ୍ରେଣୀ ଛାତ୍ରବୃତ୍ତି ଫର୍ମରୁ ଏକ ପିଲାବେଳର ଫଟୋ ପାଇଥିଲା ।

ତେବେ ପ୍ରାୟ ଦୁଇ ଦଶନ୍ଧି ପୁରୁଣା ପିଲାବେଳର ଫଟୋରୁ ବର୍ତ୍ତମାନର ୩୦-୩୫ ବର୍ଷୀୟା ମହିଳାଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏହି ସମସ୍ୟାର ସମାଧାନ ପାଇଁ ପୋଲିସ କନଷ୍ଟେବଳ ବିଜୟ ପାଣ୍ଡେ ଏଆଇ ଟୁଲ୍ସ— ବିଶେଷକରି ଜେମିନି ଏଆଇ, ଚ୍ୟାଟଜିପିଟର ସାହାୟତା ନେଇଥିଲେ । ସେ ମହିଳାଙ୍କ ୨୦୦୭ ମସିହାର ପିଲାବେଳର ଫଟୋ ସହିତ ତାଙ୍କ ବାପା-ମାଆ ଏବଂ ଭଉଣୀଙ୍କ ଫଟୋକୁ ଏଆଇରେ ବ୍ୟବହାର କରିଥିଲେ । ପାରିବାରିକ ମୁଖମଣ୍ଡଳର ଗଠନ ଆଧାରରେ ଏଆଇ ମହିଳା ଜଣକ ବର୍ତ୍ତମାନ କିପରି ଦେଖାଯାଉଥିବେ, ତାହାର ଏକ ସମ୍ଭାବ୍ୟ ଫଟୋ ପ୍ରସ୍ତୁତ କରିଥିଲା । ଏଆଇ ଦ୍ୱାରା ପ୍ରସ୍ତୁତ ଏହି ନୂଆ ଫଟୋ ଆଧାରରେ ସୋନଭଦ୍ର ପୋଲିସ ରାଜସ୍ଥାନର ଚୁରୁ ଜିଲ୍ଲା ଅନ୍ତର୍ଗତ ଏକ ଥାନା ଅଞ୍ଚଳରୁ ମହିଳାଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ଉଦ୍ଧାର କରିଛି ।

Leave A Reply

Your email address will not be published.