Latest Odisha News

BREAKING NEWS

Baba Dhabaleswar: ୨୧ରୁ ଧବଳେଶ୍ୱର ପୀଠରେ ସାଧାରଣ ଦର୍ଶନ ପୁନଃ ଆରମ୍ଭ;ଶ୍ରଦ୍ଧାଳୁଙ୍କ ଯାନବାହନ ପାଇଁ ସ୍ୱତନ୍ତ୍ର ପାର୍କିଂ ଯୋଜନା ପ୍ରସ୍ତୁତ

ଆଠଗଡ଼:୨୧ ରୁ ଧବଳେଶ୍ୱର ପୀଠରେ ସାଧାରଣ ଦର୍ଶନ ପୁନଃ ଆରମ୍ଭ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ନଭେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ସାଧାରଣ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତିକାନ୍ତି ପାରମ୍ପରିକ ରୀତିନୀତି ଅନୁଯାୟୀ ସୁଚାରୁରୂପେ ସମ୍ପନ୍ନ କରାଯାଇଥିଲା। ଏହାସହ ଶ୍ରଦ୍ଧାଳୁମାନେ ଘରେ ରହି ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଦେଖିବାର ସୁଯୋଗ ପାଇବା ନିମନ୍ତେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆଜି ଧବଳେଶ୍ୱର ପୀଠରୁ ସମସ୍ତ ନୀତିକାନ୍ତିର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା। ଏହି ସିଧାପ୍ରସାରଣ କଟକ ଜିଲ୍ଲା ପ୍ରଶାସନର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍‌ ମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ମନ୍ଦିରକୁ ଯାଇ ପ୍ରତ୍ୟକ୍ଷ ଦର୍ଶନ କରିବା ସମ୍ଭବ ନ ହୋଇଥିଲେ ମଧ୍ୟ ଦୂରଦୂରାନ୍ତରେ ଥିବା ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ମହାପ୍ରଭୁଙ୍କ ନୀତିକାନ୍ତି ଦର୍ଶନ କରିବାର ସୁଯୋଗ ପାଇଥିଲେ। ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଓ ସୁବିଧାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଏହି ବିକଳ୍ପ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

ବର୍ତ୍ତମାନ ବାତ୍ୟାର ସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ଆସନ୍ତା ନଭେମ୍ବର ୨୧ ତାରିଖଠାରୁ ଧବଳେଶ୍ୱର ପୀଠରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ପୁନଃ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ପଞ୍ଚକ ଓ ବଡ଼ଓଷା ଅବସରରେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ଯାନବାହନ ପାଇଁ ସ୍ୱତନ୍ତ୍ର ପାର୍କିଂ ଯୋଜନା ପ୍ରସ୍ତୁତ କରାଯାଇଛି। ଦର୍ଶନ ପଥରେ ଶୃଙ୍ଖଳା ଓ ସୁରକ୍ଷା ପାଇଁ ସମସ୍ତ ବ୍ୟାରିକେଡ୍‌ରେ ସମ୍ପୂର୍ଣ୍ଣ ଛାତ ବ୍ୟବସ୍ଥା କରାଯାଇଛି। ଶୌଚାଳୟ ସୁବିଧା ନିମନ୍ତେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ୪୦ଟି ଶୌଚାଳୟ ସହ କେଏମ୍‌ସି/କେଡିଏ ପକ୍ଷରୁ ଅତିରିକ୍ତ ୫୫ଟି ମୋବାଇଲ୍ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଗତବର୍ଷ ତୁଳନାରେ ଅଧିକ ସୁଦୃଢ଼ କରାଯାଇଥିବାବେଳେ ପାର୍କିଂ ସ୍ଥଳରେ ମଧ୍ୟ ପାନୀୟ ଜଳ ଉପଲବ୍ଧ କରାଯିବ। ଶ୍ରଦ୍ଧାଳୁଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ୩ଟି ମେଡିକାଲ୍ ଟିମ୍ ଓ ୩ଟି ଆମ୍ବୁଲାନ୍ସ ନିୟୋଜିତ ରହିବ। ସେହିପରି ପାର୍କିଂ ସ୍ଥଳରୁ ପୀଠ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଯାତାୟାତ ସୁବିଧା ନିମନ୍ତେ ୧୨ଟି ବ୍ୟାଟେରୀ ଚାଳିତ ଓ ଇଲେକ୍ଟ୍ରିକ୍ ଯାନର ବ୍ୟବସ୍ଥା କରାଯାଇଛି। ପୀଠ ଓ ପାର୍କିଂ ସ୍ଥଳରେ ଗତବର୍ଷ ତୁଳନାରେ ଅଧିକ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଜରୁରୀକାଳୀନ ପରିସ୍ଥିତି ଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ସହ ଅଗ୍ନିଶମ ବିଭାଗର ୨୫ ଜଣ କର୍ମଚାରୀ, ଅଗ୍ନିଶମ ଗାଡ଼ି ଓ ଉଦ୍ଧାରକାରୀ ଡଙ୍ଗା ମୁତୟନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ଝୁଲାପୋଲ ଉପରେ ଯାତାୟାତ ନିଷେଧ କରାଯିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଅନୁଯାୟୀ ଆବଶ୍ୟକ ନିଷେଧାଦେଶ ଜାରି କରାଯାଇଛି।

ପୀଠରେ ପ୍ଲାଷ୍ଟିକ୍ ବ୍ୟବହାର ନିୟନ୍ତ୍ରଣ ଓ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆଠଗଡ଼ ଏନ୍‌ଏସି, ଯୋଗାଣ ବିଭାଗ ଓ କେଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ପ୍ରବର୍ତ୍ତନକାରୀ ଦଳ ନିୟୋଜିତ କରାଯାଇଛି। ଏଥିସହ ଆର୍‌ସିସି ସେତୁ ଉପରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧା ପାଇଁ ଷ୍ଟିଲ୍ ହ୍ୟାଙ୍ଗର୍ ବ୍ୟବସ୍ଥା କରାଯାଇଛି।

ଶ୍ରଦ୍ଧାଳୁମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥଳ ବ୍ୟବହାର କରିବା ସହ ପ୍ରଶାସନ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶାବଳୀ ଓ ନିୟୋଜିତ କର୍ମଚାରୀଙ୍କ ପରାମର୍ଶ ପାଳନ କରି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.