ବର୍ଷା ଯୋଗୁଁ ବ୍ଲାଇଣ୍ଡ ଏସିଆ କପ୍ ଫାଇନାଲ୍ ବାତିଲ୍: ବିନା ମ୍ୟାଚ୍ରେ ପାକିସ୍ତାନକୁ ବିଜେତା ଘୋଷଣା, ପୁରସ୍କାର ବିତରଣ ଉତ୍ସବ ବର୍ଜନ କଲା ଭାରତ
ଢାକା: ବାଂଲାଦେଶର ଢାକାଠାରେ ଆୟୋଜିତ ପୁରୁଷ ବ୍ଲାଇଣ୍ଡ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିବା ସତ୍ତ୍ୱେ ପାକିସ୍ତାନକୁ ବିଜେତା ଘୋଷଣା କରାଯିବାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଭାରତୀୟ ବ୍ଲାଇଣ୍ଡ କ୍ରିକେଟ୍ ଦଳ ଶୁକ୍ରବାର (ନଭେମ୍ବର ୨୦) ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବକୁ ବର୍ଜନ କରିଛି । ଏହାସହ ବିବାଦର ସମାଧାନ ନହେବା ପର୍ୟ୍ୟନ୍ତ ଭବିଷ୍ୟତରେ ପାକିସ୍ତାନ ବିପକ୍ଷରେ କୌଣସି ମ୍ୟାଚ୍ ନଖେଳିବାକୁ ଭାରତୀୟ ଦଳ ଏବଂ ‘କ୍ରିକେଟ୍ ଆସୋସିଏସନ୍ ଫର୍ ଦି ବ୍ଲାଇଣ୍ଡ ଇନ୍ ଇଣ୍ଡିଆ’ ପକ୍ଷରୁ ଚେତାବନୀ ଦିଆଯାଇଛି । ବର୍ଷା କାରଣରୁ ଫାଇନାଲ୍ ମ୍ୟାଚ୍ ଖେଳାଯାଇ ପାରିନଥିଲା । ନିୟମ ଅନୁଯାୟୀ ରିଜର୍ଭ ଡେ’ ନଥିଲେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବା କଥା । କିନ୍ତୁ ମ୍ୟାଚ୍ ରେଫରି ନେଟ୍ ରନ୍ ରେଟ୍ ଆଧାରରେ ପାକିସ୍ତାନକୁ ଚାମ୍ପିଅନ୍ ଘୋଷଣା କରିଥିଲେ । ଅଭିଯୋଗ ଅନୁଯାୟୀ, ବିଶ୍ୱ ବ୍ଲାଇଣ୍ଡ କ୍ରିକେଟ୍ ପରିଷଦର ବୈଷୟିକ କମିଟି ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ବ୍ଲାଇଣ୍ଡ କ୍ରିକେଟ୍ ପରିଷଦ ମୁଖ୍ୟ ସୁଲତାନ ଶାହା ଏହି ନିଷ୍ପତ୍ତିକୁ ଓଲଟାଇ ପାକିସ୍ତାନକୁ ବିଜେତା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଘଟଣାକୁ ନେଇ ଭାରତୀୟ ବ୍ଲାଇଣ୍ଡ କ୍ରିକେଟ ଆସୋସିଏଶନ ସମ୍ପାଦକ ଶୈଳେନ୍ଦ୍ର କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପଡ଼ିଆରେ ଜିତି ନପାରି ପାକିସ୍ତାନ ନିଜ ପ୍ରଭାବ ବିସ୍ତାର କରି ଏବଂ ବାଂଲାଦେଶ ପରିସ୍ଥିତିର ଫାଇଦା ଉଠାଇ ଜୋରଜବରଦସ୍ତ ନିଜକୁ ବିଜେତା ଘୋଷଣା କରିଛି । ଗୋଟିଏ ବି ବଲ୍ ନଖେଳି ଫାଇନାଲ୍ ଜିତିବା ଅତ୍ୟନ୍ତ ଲଜ୍ଜାଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନେଟ୍ ରନ୍ ରେଟ୍ କେବଳ ଲିଗ୍ ପର୍ୟ୍ୟାୟରେ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ବ୍ୟବହୃତ ହୁଏ, ଫାଇନାଲ୍ ମ୍ୟାଚ୍ର ବିଜେତା ନିର୍ଣ୍ଣୟ ପାଇଁ ନୁହେଁ । କୌଣସି ଦଳ ବା ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଖେଳର ନିୟମ ବଦଳାଇ ପାରିବେ ନାହିଁ । ଭାରତୀୟ ଖେଳାଳିମାନେ ମଧ୍ୟ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ କହିବାନୁଯାୟୀ, ମ୍ୟାଚ୍ ସମୟରେ ହଠାତ୍ ସେମାନଙ୍କୁ ରନ୍ ରେଟ୍ ଆଧାରରେ ପାକିସ୍ତାନ ବିଜେତା ଏବଂ ଭାରତ ରନର୍ସଅପ୍ ହୋଇଥିବା ସୂଚନା ଦିଆଯାଇଥିଲା । ପୂର୍ବରୁ ଅଧିନାୟକଙ୍କ ବୈଠକରେ ଏଭଳି କୌଣସି ନିୟମ ବିଷୟରେ ଆଲୋଚନା ହୋଇନଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୧୬ରେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲା ଏବଂ ଚଳିତ ସଂସ୍କରଣର ସେମିଫାଇନାଲ୍ରେ ବାଂଲାଦେଶକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ।
