ନୂଆଦିଲ୍ଲୀ: ପ୍ରକୃତି ଜଗତରେ ଏକ ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଛି ‘ଆଲାଙ୍ଗ’ ନାମକ ଏକ ଅମୁର ଫାଲକନ୍ (ବାଜ ପକ୍ଷୀ) । ମଣିପୁରରୁ ଉଡ଼ାଣ ଆରମ୍ଭ କରିଥିବା ଏହି ପକ୍ଷୀଟି ଲଗାତାର ୧୦୧ ଘଣ୍ଟା ଧରି ବିନା କୌଣସି ବିଶ୍ରାମରେ ୫,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଆଫ୍ରିକୀୟ ଦେଶ ସୋମାଲିଆରେ ପହଞ୍ଚିଛି । ଅନ୍ୟପଟେ ତା’ର ସାଥୀ ‘ଅପାପାଙ୍ଗ’ ମଧ୍ୟ ଲଗାତାର ୯୫ ଘଣ୍ଟାରେ ୪,୧୦୦ କିଲୋମିଟର ପଥ ଅତିକ୍ରମ କରି ଆଫ୍ରିକା ଅଭିମୁଖେ ଉଡ଼ାଣ ଜାରି ରଖିଛି । ତାମିଲନାଡୁର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି । ସେ ଜଣାଇଛନ୍ତି ଯେ ଆଲାଙ୍ଗ ଆରବ ସାଗର ଉପରେ ଲଗାତାର ୧୦୧ ଘଣ୍ଟା ଉଡ଼ି ୫,୭୦୦ କିଲୋମିଟର ଯାତ୍ରା ଶେଷ କରି ସୋମାଲିଆରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସେ ବାଟରେ କେଉଁଠି ବି ଅଟକି ନଥିଲା କିମ୍ବା ତଳକୁ ଓହ୍ଲାଇ ନଥିଲା ।
ସେହିପରି ତା’ର ସାଥୀ ଅପାପାଙ୍ଗ ମଧ୍ୟ ୯୫ ଘଣ୍ଟା ଧରି ନିରନ୍ତର ଉଡ଼ି ୪,୧୦୦ କିଲୋମିଟର ଅତିକ୍ରମ କରିସାରିଛି ଏବଂ ଆଗକୁ ବଢ଼ୁଛି । ନଭେମ୍ବର ୨୦୨୫ରେ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବୈଜ୍ଞାନିକମାନେ ଏହି ଦୁଇଟି ଅମୁର ଫାଲକନଙ୍କୁ ସାଟେଲାଇଟ୍ ଟ୍ୟାଗ୍ ଲଗାଇଥିଲେ । ସେବେଠାରୁ ବୈଜ୍ଞାନିକମାନେ ଏମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି । ଆଫ୍ରିକାରୁ ଏସିଆ ପର୍ଯ୍ୟନ୍ତ ପ୍ରାୟ ୨୩ଟି ଦେଶର ଯାତ୍ରା ଶେଷ କରି ଗତ ଅକ୍ଟୋବର ୨୨ ତାରିଖରେ ଉଭୟ ପକ୍ଷୀ ଉତ୍ତର-ପୂର୍ବ ଚୀନରୁ ଉଡ଼ି ମଣିପୁରରେ ପହଞ୍ଚିଥିଲେ । ସେତେବେଳେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏମାନଙ୍କର ଫଟୋ ସେୟାର କରି ଏମାନଙ୍କୁ ‘ଗ୍ଲୋବାଲ୍ ସିଟିଜେନ୍’ (ବିଶ୍ୱ ନାଗରିକ) ବୋଲି କହିଥିଲେ । ମଣିପୁରର ତାମେଙ୍ଗଲୋଙ୍ଗ ଜିଲ୍ଲା ଅନ୍ତର୍ଗତ ଚିଉଲୁଆନଠାରେ ପ୍ରାୟ ୨୫ ଦିନ ବିତାଇବା ପରେ ‘ମଣିପୁର ଅମୁର ଫାଲକନ୍ ଟ୍ରାକିଂ ପ୍ରୋଜେକ୍ଟ ଫେଜ୍-୨’ ଅଧୀନରେ ଥିବା ଏହି ଦୁଇ ପକ୍ଷୀ ପୁଣି ଥରେ ନିଜର ବାର୍ଷିକ ପ୍ରବାସ ଯାତ୍ରାରେ ବାହାରିଛନ୍ତି। ତାଜା ଟ୍ରାକିଂ ମ୍ୟାପ୍ ଅନୁଯାୟୀ, ୪ ଦିନରୁ ଅଧିକ ସମୟ ଧରି ଲଗାତାର ଉଡ଼ି ଆଲାଙ୍ଗ ସୋମାଲିଆରେ ପହଞ୍ଚିଥିବା ବେଳେ ଅପାପାଙ୍ଗର ଯାତ୍ରା ଏବେ ବି ଜାରି ରହିଛି।
