ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ IAS ଅଧିକାରୀ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ।
ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ IAS ଅଧିକାରୀ ଏବଂ IPS ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ବିଭିନ୍ନ RTI ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ।
ସୂଚନାଥାଉକି, ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟ ଗୁଡ଼ିକର ତାଳ-ମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
