Latest Odisha News

BREAKING NEWS

ତିରୁପତି ମନ୍ଦିରରେ ଯୋଡି ହେବ ନୂଆ ଇତିହାସ, ୧୨୧ କେଜି ସୁନା ଅଳଙ୍କାର ଦାନ କରିବେ ଭକ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ମନ୍ଦିରରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଜଣେ ଭକ୍ତ ପ୍ରାୟ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଦାନ କରିବାକୁ ଯାଉଛନ୍ତି। ଏହି ଅଳଙ୍କାରଗୁଡ଼ିକର ମୂଲ୍ୟ ପ୍ରାୟ ୧୬୦ କୋଟି ଟଙ୍କା ଆକଳନ କରାଯାଇଛି। ଆସନ୍ତା ନଭେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ତିରୁମାଳା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ଏହି ଦାନ ଗ୍ରହଣ କରିବ । ତିରୁପତି ବାଲାଜୀ ମନ୍ଦିର ଇତିହାସରେ ଏହା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦିଆଯାଉଥିବା ସବୁଠାରୁ ବଡ଼ ସୁନା ଦାନ ବୋଲି କୁହାଯାଉଛି।

ସରକାରୀ ଓ ଟିଟିଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଣେ ଭକ୍ତ ଭଗବାନ ଭେଙ୍କଟେଶ୍ୱରଙ୍କ ମୂଳ ବିଗ୍ରହ ପାଇଁ ପ୍ରାୟ ୧୨୧ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହି ଅଳଙ୍କାରଗୁଡ଼ିକର ଆନୁମାନିକ ମୂଲ୍ୟ ୧୬୦ କୋଟି ଟଙ୍କା । ଦାତାଙ୍କ ନାମ ଏଯାଏଁ ଗୋପନ ରଖାଯାଇଛି ।

ଏହି ଦାନରେ ମୋଟ ୪୫ଟି ଭିନ୍ନ ଭିନ୍ନ ସୁନା ଅଳଙ୍କାର ରହିଛି । ଏଗୁଡ଼ିକୁ ୯ଟି ସେଟ୍‌ରେ ପ୍ରସ୍ତୁତ କରାଯାଇଛି । ଚେନ୍ନାଇର ଏକ ପ୍ରତିଷ୍ଠିତ ଗହଣା ନିର୍ମାଣକାରୀ ସଂସ୍ଥା ଏହି ଅଳଙ୍କାରଗୁଡ଼ିକ ତିଆରି କରିଥିବା ସୂଚନା ମିଳିଛି ।

ନିକଟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି ଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଆମେରିକାରେ ରହୁଥିବା ଜଣେ ଭକ୍ତ ଭଗବାନ ବାଲାଜୀଙ୍କ ମୂଳ ବିଗ୍ରହ ପାଇଁ ସମସ୍ତ ଅଳଙ୍କାର ଦାନ କରିବାକୁ ଇଚ୍ଛା ଜଣାଇଥିବା ସେ କହିଥିଲେ।

ଟିଟିଡି ସୂତ୍ର ଅନୁସାରେ, ଭକ୍ତ ଏହି ଦାନ ସମ୍ପର୍କରେ ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିସାରିଛନ୍ତି। ନଭେମ୍ବର ୨୬ ତାରିଖରେ ଆନୁଷ୍ଠାନିକ ଭାବେ ଅଳଙ୍କାରଗୁଡ଼ିକ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି। ସେହିଦିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ତିରୁମାଳା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଉପସ୍ଥିତିରେ ଏହି ଅଳଙ୍କାର ଭଗବାନଙ୍କୁ ଅର୍ପଣ କରାଯିବ ।

ଦୁଇ ବର୍ଷରେ ଅନ୍ନପ୍ରସାଦମ୍‌ ଟ୍ରଷ୍ଟକୁ ୧,୧୦୦ କୋଟି ଦାନ

ଅନ୍ୟପକ୍ଷରେ, ଟିଟିଡିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭେଙ୍କୟା ଚୌଧୁରୀ ଗୁରୁବାର କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ତିରୁମାଳାର ‘ଏସ୍‌ଭି ଅନ୍ନପ୍ରସାଦମ୍‌ ଟ୍ରଷ୍ଟ’କୁ ୧,୧୦୦ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି। ଏହି ରାଶି ଟିଟିଡିକୁ ମିଳିଥିବା ମୋଟ ଦାନର ୫୩ ପ୍ରତିଶତରୁ ଅଧିକ।

ଏହାଦ୍ୱାରା ଟ୍ରଷ୍ଟର ମୋଟ ପାଣ୍ଠି ପ୍ରାୟ ୩,୧୦୦ କୋଟି ଟଙ୍କାରେ ପହଞ୍ଚିଛି। ୧୯୮୫ରେ ଆରମ୍ଭ ହୋଇଥିବା ଅନ୍ନଦାନ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାୟ ୨,୦୦୦ ଲୋକଙ୍କୁ ଭୋଜନ ଦିଆଯାଉଥିଲା। ସମୟକ୍ରମେ ଏହି କାର୍ଯ୍ୟକ୍ରମର ପରିସର ବଢ଼ିବା ସହ ଏହା ଏକ ବଡ଼ ସେବା କାର୍ଯ୍ୟକ୍ରମରେ ପରିଣତ ହୋଇଛି।

Leave A Reply

Your email address will not be published.