Latest Odisha News

BREAKING NEWS

Nitish Setu Clash: ନୀତୀଶ ସେତୁରେ ନାଁକୁ ନେଇ ନିଆଁ ! PM ମୋଦୀ ଫେରୁ ଫେରୁ ପୋଷ୍ଟର ଚିରିଲେ RJD ସମର୍ଥକ, ଭାଇରାଲ ହେଲା ଭିଡିଓ…

ପାଟନା: ବିହାରରେ ନୂଆ ସେତୁକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଟଣାଓଟରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନୀତୀଶ ସେତୁ’ର ଉଦଘାଟନ କରି ଫେରିବା ପରେ ପରେ ସେତୁ ଉପରେ ଦେଖିବାକୁ ମିଳିଛି ହଙ୍ଗାମା। RJD ସମର୍ଥକମାନେ ସେତୁରେ ଲାଗିଥିବା ପୋଷ୍ଟର ଚିରିବା ସହ ତେଜସ୍ୱୀ ଯାଦବଙ୍କ ସମର୍ଥନରେ ନାରାବାଜି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନୀତୀଶ ସେତୁର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସେତୁ ଉପରେ ବହୁ ସଂଖ୍ୟାରେ ପୋଷ୍ଟର ଲଗାଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଫେରିଯିବା ପରେ ସ୍ଥାନୀୟ RJD ସମର୍ଥକମାନେ ସେହି ପୋଷ୍ଟରଗୁଡ଼ିକୁ ଚିରିବା ଆରମ୍ଭ କରିଥିଲେ। ଏହି ସମୟରେ କିଛି ଯୁବକ ତେଜସ୍ୱୀ ଯାଦବ ଜିନ୍ଦାବାଦ ନାରା ଦେଇଥିଲେ। ଏପରିକି ନିଜେ ଏହି ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ବାସ୍ତବରେ କଚ୍ଚି ଦରଗାହ-ବିଦୁପୁର ସେତୁକୁ ‘ନୀତୀଶ ସେତୁ’ ନାମ ଦିଆଯିବା ପରଠାରୁ ଏହାକୁ ନେଇ ରାଜନୀତି ଜୋର ଧରିଛି। RJD ନେତା ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହି ସେତୁର ନାମ ଅକ୍ଷୟବଟ ରାୟଙ୍କ ନାମରେ ରଖିବାକୁ ଦାବି କରିଆସୁଛନ୍ତି। ଏହା ସହ ସେତୁ ନିର୍ମାଣରେ କେନ୍ଦ୍ର ସରକାରଙ୍କ ଅର୍ଥ ଯୋଗଦାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେଜସ୍ୱୀଙ୍କ ଅଭିଯୋଗ ଅନୁସାରେ, ସେତୁର ନାମ ଗୁରୁ ଗୋବିନ୍ଦ ସିଂହଙ୍କ ନାମରେ ରଖାଯିବ ବୋଲି ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ପରେ ଏହି ନିଷ୍ପତ୍ତି କାହିଁକି ବଦଳାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ RJD ଏହି ସେତୁ ନିର୍ମାଣକୁ ନିଜ ସରକାରର ଉପଲବ୍ଧି ବୋଲି ମଧ୍ୟ ଦାବି କରିଆସୁଛି।

ସେତୁ ନିର୍ମାଣର ଶ୍ରେୟକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନାହିଁ। ରବିବାର କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ଏକ ସଭାରେ RJDର ଶ୍ରେୟ ଦାବିକୁ ଭୁଲ ବୋଲି କହିଥିଲେ। ସେହିପରି ଜନ ସୁରାଜର ପ୍ରଶାନ୍ତ କିଶୋର ମଧ୍ୟ ଏହି ସେତୁ ନିର୍ମାଣରେ ନା ବିଜେପିର ଯୋଗଦାନ ଅଛି ନା RJDର ବୋଲି କହିଥିଲେ। ଏହା ନୀତୀଶ କୁମାରଙ୍କ ପ୍ରୟାସର ଫଳ ବୋଲି ସେ ମତ ଦେଇଥିଲେ। ଏହି ସେତୁ ତେଜସ୍ୱୀ ଯାଦବଙ୍କ ବିଧାନସଭା କ୍ଷେତ୍ର ରାଘୋପୁରକୁ ମଧ୍ୟ ସଂଯୋଗ କରୁଛି। ତେଣୁ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଶ୍ରେୟ ନେବାର ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ରବିବାର ବିହାର ଗସ୍ତରେ ଯାଇ ଗଙ୍ଗା ନଦୀ ଉପରେ ନିର୍ମିତ ଏହି ସେତୁର ଉଦଘାଟନ କରିବା ସହ ଅନେକ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ତେବେ ଏବେ ସେତୁର ନାମକରଣ ଓ ନିର୍ମାଣର ଶ୍ରେୟକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ପୂରା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ’ଣ ପ୍ରତିକ୍ରିୟା ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.