୯ ଲକ୍ଷର କାରକୁ ‘ଟ୍ୟାକ୍ସି’ କହି ବାହାଘର ଭାଙ୍ଗିଲେ ପୋଲିସ ବର: ୧୩ ଲକ୍ଷର ବ୍ରେଜା କାର୍ ନ ମିଳିବାରୁ ବେଦୀରୁ ଫେରିଗଲେ
ହରିୟାଣା : ହରିୟାଣାର ସୋନିପତରୁ ଏକ ଲଜ୍ଜାଜନକ ଯୌତୁକ ଜନିତ ଘଟଣା ସାମ୍ନାକୁ ଆସିଛି। ଯୌତୁକରେ ୧୩ ଲକ୍ଷ ଟଙ୍କାର ମାରୁତି ବ୍ରେଜା କାର ନ ମିଳିବାରୁ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ ବାହାଘର ଦିନ ବରଯାତ୍ରୀ ନେଇ ଫେରିଯାଇଛନ୍ତି। ସେପଟେ କନ୍ୟା ବିବାହ ବେଦୀରେ ବରକୁ ଅପେକ୍ଷା କରି ରହିଯାଇଥିଲେ।
ସୂଚନା ଅନୁଯାୟୀ, ସୋନିପତର ରାମନଗର ନିବାସୀ ସୁଭାଷ କୁମାରଙ୍କ ଝିଅ ହିନାଙ୍କ ବିବାହ ୬ ମାସ ପୂର୍ବେ ଗୋହାନାର ବାସିନ୍ଦା ତଥା ଦିଲ୍ଲୀ ପୋଲିସ କନଷ୍ଟେବଳ କୁଲଦୀପଙ୍କ ସହ ସ୍ଥିର ହୋଇଥିଲା। ନଭେମ୍ବର ୨୦ ତାରିଖରେ ବିବାହ ହେବାର ଥିଲା। କନ୍ୟା ପକ୍ଷ ବର ପାଇଁ ପ୍ରାୟ ସାଢ଼େ ୯ ଲକ୍ଷ ଟଙ୍କାର ଅରା କାର ବୁକ୍ କରିଥିଲେ। କିନ୍ତୁ ବାହାଘରର ଗୋଟିଏ ଦିନ ପୂର୍ବରୁ ଅରା କାରକୁ “ଟ୍ୟାକ୍ସି ଗାଡ଼ି” କହି କୁଲଦୀପ ଏହାକୁ ନାପସନ୍ଦ କରିଥିଲେ ଏବଂ ୧୩ ଲକ୍ଷ ଟଙ୍କାର ବ୍ରେଜା କାର ଦାବି କରିଥିଲେ।
ସମୟ କମ୍ ଥିବାରୁ କନ୍ୟା ପିତା ବ୍ରେଜା କାରର ବ୍ୟବସ୍ଥା କରିପାରିନଥିଲେ। ବିବାହ ଦିନ ସୋନିପତର ମାମଚାନ୍ଦ ବାଟିକାରେ ୧୨୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା। ମାତ୍ର ବର କୁଲଦୀପ ବରବେଶ ପରିବର୍ତ୍ତେ ସାଧା ପୋଷାକରେ ସେଠାରେ ପହଞ୍ଚି ବ୍ରେଜା କାର ଖୋଜିଥିଲେ। ଗାଡ଼ି ନ ମିଳିବାରୁ ସେ କନ୍ୟା ପକ୍ଷଙ୍କୁ ଗାଳିଗୁଲଜ କରିବା ସହ ପୋଲିସ ପାୱାର ଦେଖାଇ ଧମକ ଦେଇଥିଲେ ଏବଂ ବରଯାତ୍ରୀଙ୍କୁ ନେଇ ଫେରିଯାଇଥିଲେ।
ଏହି ଘଟଣା ପରେ କନ୍ୟା ପରିବାର ସମାଜରେ ସେମାନଙ୍କ ସମ୍ମାନ ହାନି ହୋଇଥିବା କହିଛନ୍ତି। ବାହାଘର ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କନ୍ୟା ପିତା ସୁଭାଷ କୁମାର ଏବେ ସେକ୍ଟର-୨୭ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି।
