ବ୍ରେଜା ପାଇଁ ଭାଙ୍ଗିଲା ବାହାଘର: ମିଳିଲାନି ୧୩ ଲକ୍ଷର କାର୍, ପୂରଣ ହେଲାନି ପୋଲିସ ବରର ଡିମାଣ୍ଡ, ବାହାଘର ବାତିଲ ପରେ ଥାନାର ଦ୍ୱାରସ୍ଥ କନ୍ୟା ପରିବାର …
ହରୟାଣା: ଏବେବି ବଂଚିଛି ଯୌତୁକ ପ୍ରଥା । ଏବେବି ଡିମାଣ୍ଡ ପୂରଣ ନହେଲେ ଭାଙ୍ଗିଯାଉଛି ବାହାଘର । ଏମିତି ଏକ ବିବାହ ବାତିଲର ଖବର ଆସିଛି ହରୟାଣା ସୋନିପତରୁ । ଏକ ବିବାହ ଉତ୍ସବ ଏକ ଦୁଃଖଦ ପରିସ୍ଥିତିରେ ପରିଣତ ହୋଇଯାଇଛି । ବର ମାରୁତି ବ୍ରେଜା କାର୍ ଦାବି କରିଥିଲେ କନ୍ୟା ଘର ଔରା କାର୍ ଦେଉଥିବାରୁ ବାହାହେବାକୁ ମନା କରିଦେଲା ସୌଖୀନ ବର । ବାହାଘର ଦିନ ପରିବାର ସହ ଘରକୁ ଫେରିଯାଇଥିବା ଖବର ଏବେ ଖୁବ ଚର୍ଚ୍ଚାରେ । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ କୁଲଦୀପଙ୍କ ବିବାହ ସୋନିପତର କନ୍ୟା ହୀୀନାଙ୍କ ସହ ଠିକ୍ ହୋଇଥିଲା । କନ୍ୟା ଘର ବର ପାଇଁ ୯.୫ ଲକ୍ଷର ହୁଣ୍ଡାଇ ଔରା ବୁକ୍ କରିଥିଲେ । ହେଲେ ବରକୁ ୧୩ ଲକ୍ଷର ବ୍ରେଜା କାର ଦରକାର କହି ଜିଦ୍ ଧରି ବିବାହ ବାତିଲ୍ କରିଦେଇଥିବା ଅଭିଯୋଗ କିରଛନ୍ତି କନ୍ୟା ବାପା । ଏନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି କନ୍ୟା ଘରଲୋକ । ବିବାହ ଆୟୋଜନ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି କନ୍ୟା ଘରଲୋକ । ଏ ପରିସ୍ଥିତିରେ ବିବାହ ଭାଙ୍ଗିଦେଇଥିବାରୁ ସମ୍ପୃକ୍ତ ବର ଓ ତାଙ୍କ ପରିବାର ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି କନ୍ୟା ପିତା ।
ସୂଚନା ଅନୁସାରେ ପ୍ରାୟ ୬ମାସ ପୂର୍ବରୁ କୁଲଦୀପ ଓ ହୀନାଙ୍କ ବିବାହ ସ୍ଥିର ହୋଇଥିଲା । ନଭେମ୍ବର ୨୦ରେ ବିବାହ ହେବାର ଥିଲା । ବିବାହର ସବୁପ୍ରକାର କଥା ସ୍ଥିର ହେବା ପରେ ବର ପକ୍ଷରୁ ଗାଡି ଓ ସୁନା ଗହଣା ଦାବି କରାଯାଇଥିଲା । ବର ପାଇଁ ପୂର୍ବରୁ ହିଁ ଔରା କାର୍ ବୁକ୍ କରିସାରିଥିଲେ ହୀନାଙ୍କ ବାପା । ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସେ ମଧ୍ୟସ୍ଥିଙ୍କ ଜରିଆରେ ଜାଣିବାକୁ ପାଇଥିଲେ ଯେ କୁଲଦୀପ ଏହି ଗାଡିରେ ସନ୍ତୁଷ୍ଟ ନୁହନ୍ତି ଏବଂ ଏହା ବଦଳରେ ଏକ ମାରୁତି ବ୍ରେଜା ଚାହିୁଁଛନ୍ତି । ସଙ୍ଗେସଙ୍ଗେ ବୁକ୍ ହୋଇଥିବା କାର୍ କ୍ୟାନସଲ କରି ବର ଚାହୁଁଥିବା କାର୍ ବୁକ୍ କରାଗଲା । ହେଲେ ବର ପକ୍ଷରୁ କୁହା ଯାଇଥିଲା ନିର୍ଦ୍ଧାରିତ ସମୟରେ କାର୍ ନମିଳିଲେ ବିବାହ ଭାଙ୍ଗିଦେବୁ । ଏହି ଅଭିଯୋଗ କେବଳ କାର୍ରେ ସୀମିତ ନଥିଲା , ବର ପାଇଁ ଦୁଇ ଭରିର ସୁନା ଚେନ୍, ବର ମାଙ୍କ ପାଇଁ ୪ଭରିର ସୁନା କାନ ଫୁଲ ଓ ରୁପା ପାଉଁଜି ଦାବି ରଖିଥିଲେ । ବରର ବଡଭାଇ ଏବଂ ଭାଉଜଙ୍କ ପାଇଁ ମଧ୍ୟ ସୁନା ଅଳଙ୍କାର ଦାବି କରାଯାଇଥିଲା । ପରେ କନ୍ୟା ପକ୍ଷ ସେହି ଅଳଙ୍କାର ପାଇଁ ଅର୍ଡର ମଧ୍ୟ ଦେଇଥିଲେ । ବିବାହ ପାଇଁ ଆସବାବପତ୍ର ଓ ଘରକରଣା ସମାଗ୍ରୀ ମଧ୍ୟ ବ୍ୟବସ୍ଥା ହୋଇଥିଲା । ହେଲେ ମାମଚାନ୍ଦ ବାଟିକାରେ ବିବାହ ଉତ୍ସବ ଦିନ ବରବେଷରେ ଆସିନଥିଲେ କୁଲଦୀପ । ମାଙ୍କ ସହ ସାଧା ପୋଷାକରେ ଆସି କାର୍ ବିଷୟରେ ପଚାରିଥିଲେ ତାପରେ ହୋଇଥିଲା ଯୁକ୍ତିତର୍କ । କନ୍ୟା ପକ୍ଷ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସମ୍ପର୍କୀୟ ବାରମ୍ବାର ହାତ ଯୋଡିି ନେହୁରା ହୋଇଥିଲେ ବି ମାନି ନଥିଲେ କୁଲଦୀପ । ଶେଷରେ କନ୍ୟାକୁ ବାହାବେଦିରେ ବସିଥିବାର ଛାଡି ବର ଫେରିଗଲା ତା ଘରକୁ । ଘଟଣା ପରେ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ହୀନାଙ୍କ ବାପା । ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
