Latest Odisha News

BREAKING NEWS

Toxic Fairness Cream ! ଗୋରା ହେବାକୁ ଦାବି କରୁଥିବା କ୍ରିମ୍ କିଡ୍‌ନୀ ଖରାପ କରୁଛି କି? ଜାଣନ୍ତୁ କେରଳରେ କ’ଣ ହୋଇଛି …

ବ୍ୟୁରୋ : ସୁନ୍ଦର ଏବଂ ଦାଗହୀନ ଚେହେରା ପାଇବା ପାଇଁ ବଜାରରେ ଉପଲବ୍ଧ ହେଉଛି ଅନେକ ବ୍ୟୁଟି ପ୍ରଡକ୍ଟ । ଏବଂ ଯୁବପିଢୀ ସେସବୁ ପ୍ରଡକ୍ଟ ବ୍ୟବହାର କରନ୍ତି । ଆଂଟି ପିଗମେଂଟେସନ ଏବଂ ବ୍ରଣ ହଟାଇବା ପାଇଁ କ୍ରିମ୍ ତ ବେଶି ବ୍ୟବହାର ହେଉଛି । ସୋସିଆଲ ମିଡିଆରେ ବିଭିନ୍ନ ବିଜ୍ଞାପନ ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପ୍ରଚାର ସେହି ପ୍ରଡକ୍ଟ ପ୍ରତି ବେଶି ଆକୃଷ୍ଟ କରୁଛି । କିନ୍ତୁ କେବେ ଭାବିଛନ୍ତି ଚେହେରା ଚମକାଇବାକୁ ଯେଉଁ କ୍ରିମ୍ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ କିଡନୀକୁ ପ୍ରଭାବିତ କରିପାରେ ବୋଲି । କେରଳର ଏକ ମାମଲା ଏହି ବିପଦ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନିକଟରେ କେରଳର ମଲପୁରମ୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା । ଜଣେ ଯୁବତୀ ସୋସିଆଲ ମିଡିଆରେ ବିଜ୍ଞାପନ ଦେଖିବା ପରେ ଏକ ଫେୟାରନେସ୍ କ୍ରିମ୍ କିଣି ବ୍ୟବହାର କରିଥିଲେ । କ୍ରିମର ପ୍ରଚାରରେ କୁହାଯାଇଥିଲା ନିୟମିତ ବ୍ୟବହାର କଲେ ତ୍ୱଚାରୁ ଦାଗ ବ୍ରଣ ସବୁ ଦୂର ହୋଇଯିବ ଏବଂ ତ୍ୱଚାକୁ ସୁନ୍ଦର ଏବଂ ଗୋରା ଲୁକ ଦେବ । ଅଗଷ୍ଟ ୨୦୨୫ରୁ କ୍ରିମ ବ୍ୟବହାର ଆରମ୍ଭ କରିଥିଲେ ସେ । ପ୍ରଥମେ ପ୍ରଥମେ ମୁହଁରେ ପ୍ରଭାବ ଦେଖିବାକୁ ମିଳିଥିଲା । କିନ୍ତୁ କିଛିଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଲା । ବିପି କମ୍ ହେବା ସହ ବେହୋସ ହୋଇଯାଉଥିଲେ ଗୋଡ ଫୁଲିବା ଆରମ୍ଭ ହୋଇଥିଲା । ହସ୍ପିଟାଲ ନେଲା ପରେ କିଡନୀ ସମ୍ବନ୍ଧୀୟ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଲା । ଯାଂଚ ପରେ ଜଣାପଡିଲା ଯୁବତୀଙ୍କ ଶରୀରରେ ମରକ୍ୟୁରି ବା ପାରଦର ମାତ୍ରା ବହୁତ ଥିଲା । ଯେଉଁ କ୍ରିମ୍ ସେ ବ୍ୟବହାର କରୁଥିଲେ ତାର ଟେଷ୍ଟିଂ ପରେ ସେଥିରେ ମଧ୍ୟ ପାରଦ ସ୍ତର ୧୨,୫୦୦ ପିପିଏମ (ପାର୍ଟସ ପର୍ ମିଲିଅନ) ଥିବା ଜଣାପଡିଥିଲା ।

ପାରଦ ଏକ ବିଷାକ୍ତ ଧାତୁ । ଏହାକୁ କିଛି ଅବୈଧ କିମ୍ବା ଭେଜାଲ ଦ୍ରବ୍ୟରେ ତ୍ୱଚାକୁ ଗୋରା କରିବାକୁ ବ୍ୟବହାର କରାଯାଏ । ଏହା ଚର୍ମରେ ମେଲାନିନ ଉତ୍ପାଦନକୁ ପ୍ରଭାବିତ କରେ । ଯାହା ଗମ୍ଭୀର ସ୍ୱାସ୍ଥ୍ୟ ପରିଣାମ ଆଣିପାରେ । ପାରଦ ଯୁକ୍ତ କ୍ରିମକୁ ବାରମ୍ବାର ଚର୍ମରେ ପ୍ରୟୋଗ କରିବା ଦ୍ୱାରା ଏହାର କିଛି କଣିକା ଶରୀରରେ ଶୋଷିତ ହୋଇପାରେ । ତାପରେ ପାରଦ ରକ୍ତ ପ୍ରବାହ ମାଧ୍ୟମରେ ଶରୀରର ଅନ୍ୟ ଅଂଶକୁ ଯାଏ । କିଡନୀର କାମ ରକ୍ତରୁ ଅପବ୍ୟବହାର ପଦାର୍ଥକୁ ଛାଣି ପରିସ୍ରା ମାଧ୍ୟମରେ ବାହାର କରିବା । ହେଲେ ପାରଦର ସଂସ୍ପର୍ଶରେ ଆସିବା ବୃକକର ଛଣା ପ୍ରକ୍ରିୟା ବା ଅଂଶକୁ କ୍ଷତି ପହଂଚାଇପାରେ । ଫଳରେ ଗମ୍ଭୀର କିଡନୀ ରୋଗ ହୋଇପାରେ ।

ଫେୟାରନେସ୍ କ୍ରିମ୍ କିଣିଲା ବେଳେ ଧ୍ୟାନ ଦିଅନ୍ତୁ:-
ପ୍ରତ୍ୟେକ ଫେୟାରନେସ୍ କ୍ରିମ୍‌ରେ ପାରଦ ନଥାଏ, କିମ୍ବା ପ୍ରତ୍ୟେକ ପ୍ରସାଧନ ସାମଗ୍ରୀରେ ବୃକକ କ୍ଷତିକାରକ ଧାତୁ ନଥାଏ । ପାରଦ ବା ମରକ୍ୟୁରି ଥିବା ଉତ୍ପାଦ ଗୁଡିକ କ୍ଷତିକାରକ । ତେଣୁ ଯେକୌଣସି ଫେୟାରନେସ୍ ପ୍ରଡକ୍ଟ କିଣିଲା ବେଳେ ତାର ଯାଂଚ ଭଲଭାବରେ କରିନିଅନ୍ତୁ । ଉପଯୁକ୍ତ ସୂଚନା, ନିର୍ମାତା ଓ ନିର୍ଭରଯୋଗ୍ୟ ଗୁଣବତ୍ତା ଯାଂଚ ବିନା ଅନଲାଇନ ହେଉ କି ଅଫଲାଇନ ସାମଗ୍ରୀ କିଣନ୍ତୁ ନାହିଁ । ଚର୍ମ ସମସ୍ୟା ପାଇଁ ଯେକୌଣସି କ୍ରିମ୍ କିଣିବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ଜରୁରୀ । ବିଶ୍ୱସ୍ତ ବ୍ରାଣ୍ଡ ଓ ଅଧିକାରପ୍ରାପ୍ତ ବିକ୍ରେତାଙ୍କଠାରୁ କସମେଟିକ୍ସ ଉତ୍ପାଦ କିଣନ୍ତୁ । ସୋସିଆଲ ମିଡିଆ ପ୍ରଭାବଶାଳୀ ବିଜ୍ଞାପନ ଉପରେ ଆଧାର କରି କ୍ରିମ ସୁରକ୍ଷିତ ବୋଲି ଭାବନ୍ତୁ ନାହିଁ । ଆପଣଙ୍କ ଚର୍ମକୁ ହାଲୁକା କରିବା କିମ୍ବା କିଛିଦିନରେ ଦାଗ ଦୂର କରିବା ଦାବି କରୁଥିବା ଉତ୍ପାଦଠାରୁ ଦୂରେଇ ରୁହନ୍ତୁ । ଏବଂ ସବୁବେଳେ କ୍ରିମ୍‌ର ପ୍ୟାକେଜିଂ, ନିର୍ମାତାଙ୍କ ନାମ, ଉପାଦାନ ଓ ଆବଶ୍ୟକୀୟ ନିୟାମକ ସୂଚନା ଯାଂଚ କରନ୍ତୁ ।

 

Leave A Reply

Your email address will not be published.