Latest Odisha News

BREAKING NEWS

ନାରାୟଣ ସେବା ସଂସ୍ଥାନର ମାଗଣା ଚିକିତ୍ସା ଶିବିର: ୨୦୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ସାମିଲ

ପୁରୀ: ପୁରୀରେ ନାରାୟଣ ସେବା ସଂସ୍ଥାନ ପକ୍ଷରି ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଉଦୟପୁରର ନାରାୟଣ ସେବା ସଂସ୍ଥାନ ପକ୍ଷରୁ ଅଠରନଳା ସ୍ଥିତ ସିନି କନଭେନସନ୍‌ଠାରେ ଏକ ମାଗଣା ଚିକିତ୍ସା ପରୀକ୍ଷା, ଅସ୍ତ୍ରୋପଚାର ଚୟନ ଓ କୃତ୍ରିମ ଅଙ୍ଗ ମାପ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ଯୋଗ ଦେଇଥିବାବେଳେ ୫୧ ଜଣଙ୍କୁ ମାଗଣା ସଂଶୋଧନମୂଳକ ଅସ୍ତ୍ରୋପଚାର ପାଇଁ ଚୟନ କରାଯାଇଛି ।

ଶିବିରରେ ୭୬ ଜଣଙ୍କ ପାଇଁ କୃତ୍ରିମ ହାତ ଓ ଗୋଡ଼ ଏବଂ ୨୫ ଜଣଙ୍କ ପାଇଁ କ୍ୟାଲିପର୍ସର ମାପ ନିଆଯାଇଛି । ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମୁମ୍ବାଇ ଶାଖା ସଭାପତି ମହେଶ ଅଗ୍ରୱାଲ, ସମାଜସେବୀ କବିତା ଗୁପ୍ତା, ଇପ୍‌ସିତା ପୂଜାରୀ, ଚିନ୍ତାମଣି ସେଠୀ, ସ୍ୱାମୀ ସୁବୋଧାନନ୍ଦ ମହାରାଜ ଓ ସ୍ୱାମୀ ରାଘବେନ୍ଦ୍ରାଚାର୍ଯ୍ୟ ମହାରାଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଫେସର ମହାପାତ୍ର କହିଥିଲେ, ମାନବ ସେବା ହେଉଛି ଈଶ୍ୱରଙ୍କ ଆରାଧନାର ଏକ ଶ୍ରେଷ୍ଠ ମାଧ୍ୟମ। ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ନାରାୟଣ ସେବା ସଂସ୍ଥାନ ଅସହାୟଙ୍କ ଜୀବନରେ ଆଶା, ମର୍ଯ୍ୟାଦା ଓ ଆତ୍ମନିର୍ଭରଶୀଳତା ଆଣିପାରୁଛି। ମହେଶ ଅଗ୍ରୱାଲ କହିଥିଲେ, ଶାରୀରିକ ଅକ୍ଷମତା କାହାରି ଦକ୍ଷତା ଓ ଆକାଂକ୍ଷାର ପରିଚୟ ହୋଇପାରିବ ନାହିଁ। ଉପଯୁକ୍ତ ଚିକିତ୍ସା ଓ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଦିବ୍ୟାଙ୍ଗମାନେ ଆତ୍ମବିଶ୍ୱାସ ଓ ସ୍ୱାଧୀନତା ଫେରିପାଇପାରିବେ।

ସଂସ୍ଥାନର ନିର୍ଦ୍ଦେଶିକା ବନ୍ଦନା ଅଗ୍ରୱାଲ କହିଥିଲେ, ମାନବ ସେବା ସହିତ ପ୍ରତ୍ୟେକ ଜୀବ ପ୍ରତି କରୁଣା ଓ ସମ୍ବେଦନଶୀଳତା ରଖିବା ଆବଶ୍ୟକ। ଏବେ ସଂସ୍ଥାନ ପକ୍ଷରୁ ଚାଲିବାକୁ ଅକ୍ଷମ ଗୋମାତାଙ୍କୁ ମଧ୍ୟ କୃତ୍ରିମ ଅଙ୍ଗ ଯୋଗାଇ ସ୍ୱାଭାବିକ ଚଳପ୍ରଚଳରେ ସହାୟତା କରାଯାଉଛି। ଜାପାନ ଓ ଜର୍ମାନୀର ଜ୍ଞାନକୌଶଳରେ ପ୍ରସ୍ତୁତ ହାଲୁକା ଓ ଦୀର୍ଘସ୍ଥାୟୀ ନାରାୟଣ ମଡ୍ୟୁଲାର କୃତ୍ରିମ ଅଙ୍ଗ ପ୍ରତ୍ୟେକ ହିତାଧିକାରୀଙ୍କ ଶାରୀରିକ ଗଠନ ଅନୁଯାୟୀ ପ୍ରସ୍ତୁତ କରାଯାଏ। ଶିବିରରେ ମାପ ନିଆଯାଇଥିବା ହିତାଧିକାରୀଙ୍କୁ ପ୍ରାୟ ୪୦ ଦିନ ପରେ ପୁରୀରେ ଆୟୋଜିତ ହେବାକୁ ଥିବା ଫିଟିଂ ଶିବିରରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ।

ଶିବିରରେ ଡାକ୍ତରୀ ଦଳ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଅସ୍ତ୍ରୋପଚାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରିଥିବାବେଳେ ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ (ପି ଆଣ୍ଡ ଓ) ଦଳ କୃତ୍ରିମ ଅଙ୍ଗ ଓ କ୍ୟାଲିପର୍ସ ପାଇଁ ବୈଷୟିକ ମାପ ନେଇଥିଲେ।

ସନ୍ଧ୍ୟାରେ ଧ୍ୟାନ, ଯୋଗ ଓ ଆତ୍ମସଚେତନତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଓ ପୁରୀର ପ୍ରକୃତି ଓ ଧ୍ୟାନପ୍ରେମୀମାନେ ଯୋଗଦେଇ ସକାରାତ୍ମକ ଜୀବନଶୈଳୀ ଓ ମାନସିକ ସୁସ୍ଥତାର ବାର୍ତ୍ତା ଗ୍ରହଣ କରିଥିଲେ।

ସଂସ୍ଥାନର ନିର୍ଦ୍ଦେଶିକା ବନ୍ଦନା ଅଗ୍ରୱାଲ, ଜନସମ୍ପର୍କ ମୁଖ୍ୟ ଭଗବାନ ପ୍ରସାଦ ଗୌର, ସଂଯୋଜକ ରମେଶ ଶର୍ମା ଓ ଶିବିର ପ୍ରଭାରୀ ହରି ପ୍ରସାଦ ଲଡ୍ଡା ପାରମ୍ପରିକ ମେୱାଡ଼ି ଶୈଳୀରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ୨୫ ଜଣିଆ ଦଳ ଶିବିର ପରିଚାଳନା କରିଥିବାବେଳେ ଐଶ୍ୱର୍ଯ୍ୟା ତ୍ରିବେଦୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

୧୯୮୫ ମସିହାରେ ପ୍ରତିଷ୍ଠିତ ନାରାୟଣ ସେବା ସଂସ୍ଥାନ ଏପର୍ଯ୍ୟନ୍ତ ୪,୫୬,୦୯୭ରୁ ଊର୍ଦ୍ଧ୍ୱ ମାଗଣା ସଂଶୋଧନମୂଳକ ଅସ୍ତ୍ରୋପଚାର କରିବା ସହ ୪୧,୦୧୨ରୁ ଅଧିକ କୃତ୍ରିମ ଅଙ୍ଗ ପ୍ରଦାନ କରିଛି। ପ୍ରତିଷ୍ଠାତା ପଦ୍ମଶ୍ରୀ କୈଳାସ ‘ମାନବ’ଙ୍କ ମାର୍ଗଦର୍ଶନରେ ସଂସ୍ଥାନ ଚିକିତ୍ସା, ପୁନର୍ବାସ, ଶିକ୍ଷା ଓ ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛି। ଦିବ୍ୟାଙ୍ଗଙ୍କ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍ଥାନର ସଭାପତି ପ୍ରଶାନ୍ତ ଅଗ୍ରୱାଲ ୨୦୨୩ରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ।

Leave A Reply

Your email address will not be published.