Latest Odisha News

BREAKING NEWS

ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ନେଲା ନୂଆ ରୂପ

ଭୁବନେଶ୍ବର: ନୂତନ ରୂପରେ ସ୍ଥାନ ପାଇଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ଯାତ୍ରୀମାନେ ଏବେ ଓଡ଼ିଶାର କଳାତ୍ମକ ଓ ସାଂସ୍କୃତିକ ବିଭବର ଏକ ପ୍ରଦର୍ଶନୀ ମଧ୍ୟରେ ଯାତ୍ରା କରିବାର ଅନୁଭୂତି ପାଇବେ । ରାଜ୍ୟର ପ୍ରସିଦ୍ଧ ସ୍ଥାପତ୍ୟ ଏବଂ ପୁରାତନ ପରମ୍ପରାଗୁଡ଼ିକରୁ ପ୍ରେରଣା ନେଇ ଏହି ଟ୍ରେନର ବଗି ଗୁଡ଼ିକୁ କାରୁକାର୍ଯ୍ୟ କରାଯାଇଛି ।

କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ଚକ, ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଚିତ୍ରକଳା ଏବଂ ଆଦିବାସୀ କଳାକୃତିକୁ ପ୍ରମୁଖ ଭାବେ ପ୍ରଦର୍ଶିତ କରାଯାଇଛି । ଏହାକୁ ଭାରତୀୟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ଐତିହ୍ୟ-ଭିତ୍ତିକ ଶୈଳୀରେ ସଜ୍ଜିତ କରାଯାଇଛି ।

ଏହିକ୍ରମରେ ଭୁବନେଶ୍ୱର ରାଜଧାନୀର ନୂତନ ରୂପରେ ଉଜ୍ଜ୍ୱଳ ହଳଦିଆ ଏବଂ କେଶରୀ ରଙ୍ଗର ସମାହାର ଦେଖିବାକୁ ମିଳୁଛି । ଯାହା ଉପରେ ତରଙ୍ଗ ଆକୃତିର ସୂକ୍ଷ୍ମ ଡିଜାଇନ୍ ଗୁଡ଼ିକ ଚିତ୍ରିତ ହୋଇଛି । ଟ୍ରେନର ବାହ୍ୟ ଭାଗରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକର ଏକ ବିଶାଳ ଚିତ୍ର ମୁଖ୍ୟ ଆକର୍ଷଣ ଭାବରେ ରହିଛି । ଏହା ସହିତ ତଳ ଭାଗରେ ବିଭିନ୍ନ ମନ୍ଦିରର ଆକୃତି ଏବଂ ଓଡ଼ିଶା-ପ୍ରେରିତ ଅନ୍ୟାନ୍ୟ କଳାକୃତି ସ୍ଥାନ ପାଇଛି।

ଏହା ପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଏଭଳି ଏକ ସାଂସ୍କୃତିକ ପ୍ରଚାରମୂଳକ ପଦକ୍ଷେପ ନିଆଯାଇଥିଲା । ପାଟନା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ବଗି ଗୁଡ଼ିକୁ ବିହାରର ପାରମ୍ପରିକ ‘ମଧୁବନୀ ଚିତ୍ରକଳା’ ଦ୍ୱାରା ସଜ୍ଜିତ କରାଯାଇଥିଲା ।

Leave A Reply

Your email address will not be published.