Asia Power Index: ଏସିଆରେ ବଢ଼ିଲା ଭାରତର ଦବ୍ଦବା! ରୁଷ-ଜାପାନକୁ ପଛରେ ପକାଇଲା ଭାରତ, ମୋଦି ବି ଦ୍ୱିତୀୟ ପ୍ରଭାବଶାଳୀ ନେତା
ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ଆହୁରି ମଜଭୁତ ହେଉଛି ଭାରତର ସ୍ଥିତି। ସାମରିକ ଶକ୍ତିଠାରୁ ଆରମ୍ଭ କରି ଅର୍ଥନୀତି ଓ କୂଟନୈତିକ ପ୍ରଭାବ ପର୍ଯ୍ୟନ୍ତ, ଏସିଆରେ ଭାରତର ଦବ୍ଦବା ବଢ଼ୁଥିବା ନେଇ ଆସିଛି ଏକ ବଡ଼ ରିପୋର୍ଟ। ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଥିଙ୍କ ଟ୍ୟାଙ୍କ ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୬’ରେ ଭାରତ ତୃତୀୟ ସବୁଠାରୁ ଶକ୍ତିଶାଳୀ ଦେଶ ଭାବେ ସ୍ଥାନ ପାଇଛି। ଏହି ତାଲିକାରେ ଭାରତ ରୁଷ ଓ ଜାପାନକୁ ପଛରେ ପକାଇଛି।
୨୦୨୬ର ଏହି ଇଣ୍ଡେକ୍ସରେ ଭାରତର ପାୱାର ସ୍କୋର ୪୦.୫କୁ ବୃଦ୍ଧି ପାଇଛି। ଫଳରେ ଭାରତ ତୃତୀୟ ସ୍ଥାନରେ ନିଜର ସ୍ଥିତି ଆହୁରି ମଜଭୁତ କରିଛି। ତାଲିକାର ପ୍ରଥମ ସ୍ଥାନରେ ୭୮.୯ ପଏଣ୍ଟ ସହ ଆମେରିକା ରହିଥିବା ବେଳେ ୭୩.୬ ପଏଣ୍ଟ ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଜାପାନ ୩୮.୬ ପଏଣ୍ଟ ସହ ଚତୁର୍ଥ ଓ ରୁଷ ୩୨.୨ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଖସିଛି। ଅଷ୍ଟ୍ରେଲିଆ ୩୧.୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।
ଏସିଆରେ ଶୀର୍ଷ ୬ ଶକ୍ତିଶାଳୀ ଦେଶ ମଧ୍ୟରେ କିଛି ଏମିତି ରହିଛି ରାଙ୍କ୍…
୧. ଆମେରିକା – ୭୮.୯ ପଏଣ୍ଟ
୨. ଚୀନ – ୭୩.୬ ପଏଣ୍ଟ
୩. ଭାରତ – ୪୦.୫ ପଏଣ୍ଟ
୪. ଜାପାନ – ୩୮.୬ ପଏଣ୍ଟ
୫. ରୁଷ – ୩୨.୨ ପଏଣ୍ଟ
୬. ଅଷ୍ଟ୍ରେଲିଆ – ୩୧.୭ ପଏଣ୍ଟ
କେବଳ ଦେଶର ଶକ୍ତି ନୁହେଁ, ନେତୃତ୍ୱ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଆସିଛି ଖୁସି ଖବର। ଲୋୱି ଇନଷ୍ଟିଚ୍ୟୁଟ୍ର ରିପୋର୍ଟ ଅନୁସାରେ, ଏସିଆର ଦ୍ୱିତୀୟ ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ନେତା ଭାବେ ସ୍ଥାନ ପାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ସ୍ଥାନରେ ଥିବା ବବେଳେ ତାଙ୍କ ପରେ ମୋଦିଙ୍କୁ ଏହି ସ୍ଥାନ ମିଳିଛି।
ଅନ୍ୟପଟେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ମଧ୍ୟ ଆଶା ବଢ଼ିଛି। ବିଶ୍ୱବ୍ୟାଙ୍କ, ଆଇଏମ୍ଏଫ୍ ଓ ଏଡିବି ସମେତ ଅନେକ ପ୍ରମୁଖ ଅନୁଷ୍ଠାନ ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ଆକଳନକୁ ୭ ପ୍ରତିଶତରୁ ଅଧିକକୁ ବଢ଼ାଇଛନ୍ତି। କୋରିଆ ଇନଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ ପଲିସି (KIEP)ର ଦକ୍ଷିଣ ଏସିଆ ମୁଖ୍ୟ କ୍ୟୁଙ୍ଗହୁନ୍ କିମ୍ଙ୍କ ଆକଳନ ଅନୁସାରେ, ୨୦୩୦ ମସିହା ବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ହୋଇପାରେ।
ଏସିଆର ଶକ୍ତି ସମୀକରଣରେ ଭାରତର ଏହି ଉନ୍ନତି ଦେଶର ବଢ଼ୁଥିବା ଅନ୍ତର୍ଜାତୀୟ ପ୍ରଭାବକୁ ଦର୍ଶାଉଛି। ଏବେ ଆଗାମୀ ଦିନରେ ଭାରତ ଏହି ସ୍ଥିତିକୁ କେତେ ଆଗକୁ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
