Naveen’s Foreign Tour Controversy: ବିଦେଶ ଗସ୍ତକୁ ନେଇ ଖୋଳତାଡ! ମୁହଁ ଖୋଲିଲେ ନବୀନ, କହିଲେ, ‘ମିଛ ଅଭିଯୋଗର ଦିଆଯିବ ଉଚିତ ଜବାବ’
ଭୁବନେଶ୍ୱର: ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଥିଲା? କେଉଁ ଉଦ୍ଦେଶ୍ୟରେ ହୋଇଥିଲା ଏହି ଗସ୍ତ? ଖର୍ଚ୍ଚର ହିସାବରେ ରହିଛି କି ଅନିୟମିତତା? ଏଭଳି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବାବେଳେ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଦେଶ ଗସ୍ତ ନେଇ ହୋଇଥିବା ଅଭିଯୋଗକୁ ମିଛ ବୋଲି କହିବା ସହ ଏହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି।
ସୋମବାର ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ନବୀନ କହିଛନ୍ତି, ସେ ଖୁବ୍ କମ୍ ଥର ବିଦେଶ ଗସ୍ତ କରିଛନ୍ତି। ଆଉ ଯେତେବେଳେ ବି ଯାଇଛନ୍ତି, ଓଡ଼ିଶାର ସ୍ୱାର୍ଥ ଓ ସମ୍ପର୍କିତ ବିଷୟ ପାଇଁ ଯାଇଛନ୍ତି। ତାଙ୍କ ବିଦେଶ ଗସ୍ତ ଏବଂ ଅଧିକାରୀଙ୍କ ଗସ୍ତକୁ ନେଇ କିଛି ମିଥ୍ୟା ଅଭିଯୋଗ ହୋଇଥିବା ସେ ଜାଣିଛନ୍ତି। ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ ନବୀନଙ୍କୁ ପ୍ରଶ୍ନ କରାଯାଇଥିଲା। ରାଜସ୍ଥାନର ଗ୍ରାମୀଣ ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ଓଡ଼ିଶାରେ ବିଜେପି ସରକାର ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇପାରନ୍ତି କି ବୋଲି ପଚରାଯିବାରୁ ନବୀନ କହିଥିଲେ, ଏହା ଏକ ସମ୍ଭାବନା। ରାଜସ୍ଥାନରେ ବିଜେପି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି ବୋଲି ସେ ମତ ଦେଇଥିଲେ।
ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଓ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ୨୦୨୨-୨୩ ଏବଂ ୨୦୨୩-୨୪ ମସିହାର ବିଦେଶ ଗସ୍ତକୁ ନେଇ ଅନିୟମିତତା ଓ ଖର୍ଚ୍ଚରେ ସ୍ୱଚ୍ଛତା ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆରଟିଆଇ (ସୂଚନା ଅଧିକାର ଆଇନ) ଜରିଆରେ ମିଳିଥିବା ତଥ୍ୟ ଆଧାରରେ କିଛି ସାମାଜିକ କର୍ମୀ ଅଭିଯୋଗ ଉଠାଇବା ପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ) ପକ୍ଷରୁ କୁହାଯାଇଛି। ଜାପାନ, ଇଟାଲୀ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ଦେଶକୁ ହୋଇଥିବା ଗସ୍ତରେ କେତେ ଅର୍ଥ ଖର୍ଚ୍ଚ ହୋଇଥିଲା, ତାହାକୁ ନେଇ ଅଭିଯୋଗକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ରେକର୍ଡରେ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଅସମ୍ପୂର୍ଣ୍ଣ ଓ ପରସ୍ପର ସହ ମେଳ ଖାଉନଥିବା ସେମାନଙ୍କ ଅଭିଯୋଗ। ଏପରିକି ବିଦେଶ ଗସ୍ତ ସମୟରେ ଦାମୀ ହୋଟେଲରେ ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚରେ ସରକାରୀ ଅର୍ଥ କେତେ ବ୍ୟୟ ହୋଇଛି, ତାହାର ମଧ୍ୟ ସ୍ପଷ୍ଟ ହିସାବ ଦାବି କରାଯାଇଛି।
ଏବେ ତଦନ୍ତ ଆରମ୍ଭ ହୋଇଥିବାବେଳେ ନବୀନଙ୍କ ଏହି ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ତଦନ୍ତରୁ କ’ଣ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
