ପ୍ରକୃତିର ଅଦ୍ଭୁତ ଦୃଶ୍ୟ: ଆମେରିକାର ଏହି ସହରରେ ଅସ୍ତ ହେଲା ସୂର୍ୟ୍ୟ, ଏବେ ସିଧାସଳଖ ୬୫ ଦିନ ପରେ ହେବ ଆଗାମୀ ସକାଳ!
ୱାଶିଂଟନ: ପ୍ରକୃତିର ଏକ ବିରଳ ତଥା ଅଦ୍ଭୁତ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଆମେରିକାର ସବୁଠାରୁ ଉତ୍ତର ଭାଗରେ ଅବସ୍ଥିତ ଆଲାସ୍କାର ଉତ୍କିଆଗ୍ୱିକ୍ ସହରରେ ଚଳିତ ବର୍ଷର ଶେଷ ସୂର୍ୟ୍ୟାସ୍ତ ହୋଇସାରିଛି । ଗତ ନଭେମ୍ବର ୧୮ ତାରିଖରେ ସୂର୍ୟ୍ୟ ଅସ୍ତ ହେବା ପରେ ଏହି ସହର ଏବେ ନିଜର ବାର୍ଷିକ ‘ପୋଲାର ନାଇଟ୍’ ବା ଦୀର୍ଘ ରାତିରେ ପ୍ରବେଶ କରିଛି । ଆଗାମୀ ପ୍ରାୟ ୬୫ ଦିନ ପର୍ୟ୍ୟନ୍ତ ଏଠାରେ ସୂର୍ୟ୍ୟୋଦୟ ହେବ ନାହିଁ ଏବଂ ଏବେ ସିଧାସଳଖ ୨୦୨୭ ଜାନୁଆରୀ ୨୩ ତାରିଖରେ ହିଁ ସୂର୍ୟ୍ୟ ପୁଣି ଦୃଶ୍ୟମାନ ହେବେ । ପୃଥିବୀ ନିଜ ଅକ୍ଷରେ ଢଳି ରହିଥିବାରୁ ପ୍ରତ୍ୟେକ ବର୍ଷ ନଭେମ୍ବରରୁ ଜାନୁଆରୀ ମଧ୍ୟରେ ଉତ୍ତର ମେରୁ ଅଞ୍ଚଳରେ ଏହି ପ୍ରାକୃତିକ ଘଟଣା ଘଟିଥାଏ । ପୋଲାର ନାଇଟ୍’ର ଅର୍ଥ ନୁହେଁ ଯେ ୬୫ ଦିନ ଯାକ ଏଠାରେ ସମ୍ପୂର୍ଣ୍ଣ ଘନ ଅନ୍ଧକାର ରହିବ । ପ୍ରକୃତରେ ଏହି ସମୟ ମଧ୍ୟରେ ସୂର୍ୟ୍ୟ ଦିଗବଳୟ ଉପରକୁ ଆସନ୍ତି ନାହିଁ ।
ଦିନ ସମୟରେ କିଛି ଘଣ୍ଟା ପାଇଁ ଆକାଶରେ ସନ୍ଧ୍ୟା କିମ୍ବା ପାହାନ୍ତିଆ ଭଳି ହାଲୁକା ଆଲୋକ ଦେଖାଯାଏ, କିନ୍ତୁ ସିଧାସଳଖ ସୂର୍ୟ୍ୟକିରଣ ପଡ଼େ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ବରଫାବୃତ୍ତ ଉତ୍କିଆଗ୍ୱିକ୍ ସହରର ଘରଗୁଡ଼ିକରେ ଲାଇଟ୍ ଜଳୁଥିବା ଏବଂ ରାସ୍ତାରେ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି । ପ୍ରବଳ ଥଣ୍ଡା ଓ ଦୀର୍ଘ ଅନ୍ଧାର ସତ୍ତ୍ୱେ ସ୍ଥାନୀୟ ବାସିନ୍ଦାମାନେ ହିଟର, କୃତ୍ରିମ ଆଲୋକ ଓ ସ୍ୱତନ୍ତ୍ର ପ୍ରସ୍ତୁତି ସହ ନିଜର ଦୈନନ୍ଦିନ କାମ ସ୍ୱାଭାବିକ ଭାବେ ଜାରି ରଖନ୍ତି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ଋତୁରେ ଏହି ସହରରେ ଲଗାତାର ପ୍ରାୟ ୮୦ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ହୁଅନ୍ତି ନାହିଁ, ଯାହାକୁ ‘ମିଡ୍ନାଇଟ୍ ସନ୍’ କୁହାଯାଏ । ଏହି ଖବର ଭାଇରାଲ ହେବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାର ମଜାଦାର ଓ ଆଶ୍ଚର୍ୟ୍ୟଜନକ ପ୍ରତିକ୍ରିୟା ଦେଉଛନ୍ତି ।
