Latest Odisha News

BREAKING NEWS

PM praises Balen Shah: ଭାରତ ବିନା ନେପାଳର ବିକାଶ ଅଧୁରା…ବାଲେନ ଶାହଙ୍କୁ ମୋଦୀଙ୍କ ପ୍ରଶଂସା, ୨୪ ହଜାର କୋଟିର ବଡ଼ ଉପହାର

ନୂଆଦିଲ୍ଲୀ: ଭାରତ ଓ ନେପାଳ ସମ୍ପର୍କରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ନେପାଳର ଯୁବ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କୁ ଖୋଲା ମଞ୍ଚରେ ପ୍ରଶଂସା କରିବା ସହ ନେପାଳର ବିକାଶ ପାଇଁ ବଡ଼ ସହଯୋଗ ଘୋଷଣା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦୀ କହିଛନ୍ତି, ଭାରତ ସବୁବେଳେ ନେପାଳର ଜଣେ ବିଶ୍ୱସ୍ତ ସହଯୋଗୀ ହୋଇ ରହିଆସିଛି। ନେପାଳର ପୁନର୍ନିର୍ମାଣ ଓ ଦୀର୍ଘମିଆଦୀ ବିକାଶ ପାଇଁ ୨୪ ହଜାର କୋଟି ନେପାଳୀ ଟଙ୍କାର ବିକାଶ ସହଯୋଗ ପ୍ୟାକେଜ୍ ଘୋଷଣା କରିଛି ଭାରତ।

ସୋମବାର ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ଦୁଇଦିନିଆ ଭାରତ ଗସ୍ତରେ ଥିବାବେଳେ ନୂଆଦିଲ୍ଲୀରେ ଦୁଇ ନେତାଙ୍କ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ମାର୍ଚ୍ଚ ୨୦୨୬ରେ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ବାଲେନଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ।

ଆଲୋଚନା ପରେ ମୋଦୀ କହିଛନ୍ତି, କିଛି ମାସ ପୂର୍ବରୁ ଜାତିସଂଘରେ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଲେନ ଶାହ ଦେଇଥିବା ଭାଷଣରୁ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ଝଲକ ମିଳିଥିଲା। ଆଜିର ଆଲୋଚନାରୁ ମଧ୍ୟ ନେପାଳର ଭବିଷ୍ୟତ ଏବଂ ଭାରତ-ନେପାଳ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ତାଙ୍କ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଛି। ଚଳିତ ବର୍ଷ ନେପାଳବାସୀ ବାଲେନଙ୍କୁ ଦେଇଥିବା ଐତିହାସିକ ଜନାଦେଶ ଦେଶର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ମୋଦୀ ଆହୁରି କହିଛନ୍ତି, ଭାରତ ଓ ନେପାଳର ସମ୍ପର୍କ କେବଳ ପଡ଼ୋଶୀ ଦେଶ ଭାବେ ସୀମିତ ନୁହେଁ। ଏହା ଆତ୍ମୀୟତା, ବିଶ୍ୱାସ ଓ ଐତିହାସିକ ସମ୍ପର୍କର ଏକ ଅତୁଟ ବନ୍ଧନ। ଦୁଇ ଦେଶ ପରସ୍ପରର ଖୁସି ଓ ସମସ୍ୟାରେ ସାଥୀ ହୋଇ ରହିଛନ୍ତି। ଅଗଷ୍ଟ ମାସରେ ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ଓ ଆକସ୍ମିକ ବନ୍ୟାରେ ଜୀବନ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ, ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଜୋର୍ ଦେଇଛନ୍ତି ଦୁଇ ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦୀ କହିଛନ୍ତି, ପ୍ରଭୁ ଶ୍ରୀରାମ ଓ ମାତା ସୀତା ଆମର ସାଧାରଣ ସଭ୍ୟତା ଓ ଆସ୍ଥାର ପ୍ରତୀକ। ନେପାଳ ବିନା ଭାରତର ତୀର୍ଥସ୍ଥଳୀ ଅଧୁରା ଏବଂ ନେପାଳ ବିନା ଆମର ରାମ ମଧ୍ୟ ଅଧୁରା।

ଏହି ଅବସରରେ ମୋଦୀ ଓ ବାଲେନ ଶାହ ମିଳିତ ଭାବେ ସରୟୁ-କମଳା ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଅଯୋଧ୍ୟା ଯାଉଥିବା ଶ୍ରଦ୍ଧାଳୁମାନେ ନେପାଳର ଜନକପୁର ଯାଇ ମାତା ସୀତାଙ୍କ ଦର୍ଶନ କରିବା ଅଧିକ ସହଜ ହେବ। ଏହାସହ ବୌଦ୍ଧ ଧର୍ମ ଓ ଶିବ-ଶକ୍ତି ପରମ୍ପରା ସହ ଜଡ଼ିତ ଲୁମ୍ବିନୀ ଓ ବୋଧଗୟା ଭଳି ଧାର୍ମିକ ସ୍ଥଳୀ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ଉପରେ ଦୁଇ ଦେଶ କାମ କରିବେ। କେବଳ ଧାର୍ମିକ ସମ୍ପର୍କ ନୁହେଁ, ସଡ଼କ, ରେଳ ଓ ସୀମାନ୍ତ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରାଯିବ। ବିଶେଷକରି ବିହାର ଓ ଉତ୍ତରପ୍ରଦେଶ ସହ ନେପାଳର ସଂଯୋଗକୁ ନୂଆ ଦିଗ ଦେବାକୁ ଯୋଜନା ରହିଛି।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ କହିଛନ୍ତି, ଭାରତ ସହ ଶତାବ୍ଦୀ ପୁରୁଣା ସମ୍ପର୍କକୁ ଆଧୁନିକ ଓ ଅଧିକ ମଜଭୁତ କରିବା ହେଉଛି ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବୁଝାମଣା ଓ ନୂଆ ପ୍ରକଳ୍ପ ନେପାଳର ଚାଷୀଙ୍କ ସମୃଦ୍ଧି, ଯୁବପିଢ଼ିଙ୍କ ପାଇଁ ରୋଜଗାର ଓ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ସହଯୋଗ ଦ୍ୱାରା ନେପାଳର ବ୍ୟବସାୟୀଙ୍କ ପାଇଁ ନୂଆ ବଜାର, ପୁଞ୍ଜିନିବେଶ ଓ ବ୍ୟବସାୟ ବିସ୍ତାରର ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଓ ନେପାଳ ମିଳିତ ଭାବେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି। ହିମାଳୟରୁ ବାହାରିଥିବା ନଦୀଗୁଡ଼ିକ ଉଭୟ ଦେଶ ସମେତ ସମଗ୍ର ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରା ହୋଇଥିବାରୁ ଏହାର ସୁରକ୍ଷା ଜରୁରୀ ବୋଲି ସେ ମତ ଦେଇଛନ୍ତି।

ଏହାସହ ବାଲେନ ଶାହ ଭାରତୀୟ ନିବେଶକମାନଙ୍କୁ ନେପାଳର ଅର୍ଥନୈତିକ ବିକାଶରେ ଭାଗୀଦାର ହେବାକୁ ଆମନ୍ତ୍ରଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେପାଳ ଗସ୍ତରେ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ସେହିପରି ଭାରତୀୟ ନାଗରିକମାନଙ୍କୁ ନେପାଳ ଆସି ଏହାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବାକୁ ଆହ୍ୱାନ ଦେଇଛନ୍ତି।

ସୋମବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ବାଲେନ ଶାହଙ୍କୁ ଔପଚାରିକ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହି ଗସ୍ତ ଭାରତ-ନେପାଳ ସମ୍ପର୍କକୁ ଅର୍ଥନୀତି, ଯୋଗାଯୋଗ, ଧର୍ମ ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ନୂଆ ଉଚ୍ଚତାକୁ ନେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.