Latest Odisha News

BREAKING NEWS

ବଦଳିବ ପଶ୍ଚିମବଙ୍ଗର ନାଁ, ଇଂରାଜୀ ନାମ ପରିବର୍ତ୍ତନ ପାଇଁ ସରକାରଙ୍କ ନିଷ୍ପତ୍ତି

କୋଲକାତା: ଦୀର୍ଘ ଦିନର ଅପେକ୍ଷାର ଘଟିବ ଅନ୍ତ। ଶେଷରେ ପଶ୍ଚିମବଙ୍ଗର ଇଂରାଜୀ ନାମ ୱେଷ୍ଟବେଙ୍ଗଲ୍ ନାମ ପରିବର୍ତ୍ତନ ହେବ। ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ନାମ ଇଂରାଜୀରେ ମଧ୍ୟ ‘West Bengal’ ବଦଳରେ ‘Paschim Banga’ (ପଶ୍ଚିମବଙ୍ଗ) କରିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୨୩, ୨୦୨୬ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବର୍ତ୍ତମାନ ବଙ୍ଗଳା ଭାଷାରେ ରାଜ୍ୟକୁ ‘ପଶ୍ଚିମ ବଙ୍ଗ’ କୁହାଯାଉଥିବା ବେଳେ ଇଂରାଜୀରେ ‘West Bengal’ ଲେଖାଯାଉଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଓ ହିନ୍ଦୀ ସମେତ ସବୁ ଭାଷାରେ ରାଜ୍ୟର ନାମ କେବଳ Paschim Banga ହିଁ ଲେଖାଯିବ। ୧୯୪୭ ମସିହା ଜୁନ୍ ୨୦ ତାରିଖରେ ବଙ୍ଗ ବିଭାଜନ ସହ ଜଡ଼ିତ ଇତିହାସକୁ ସମ୍ମାନ ଜଣାଇବା ପାଇଁ ଏହି ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଧାନସଭାରେ ଏହି ସଂକଳ୍ପ ପାରିତ ହେବା ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଭାରତୀୟ ସମ୍ବିଧାନର ଧାରା ୩ (Article 3) ଅନୁଯାୟୀ, ସଂସଦରେ ବିଲ୍ ପାରିତ ହେବା ଏବଂ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ହିଁ ରାଜ୍ୟର ନାମ ଆନୁଷ୍ଠାନିକ ଭାବେ ପରିବର୍ତ୍ତନ ହେବ।

ବର୍ତ୍ତମାନ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ସରକାର ଥିବାରୁ, ଅତୀତ ତୁଳନାରେ ଏଥର ଏହି ପ୍ରକ୍ରିୟା କେବଳ ଏକ ଔପଚାରିକତା ମାତ୍ର ହୋଇ ରହିବ ବୋଲି ଆଶା କରାଯାଉଛି। ମେ’ ମାସରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିବା ପୂର୍ବରୁ, ତୃଣମୂଳ କଂଗ୍ରେସ ସେଠାରେ ୧୫ ବର୍ଷ ଧରି ଶାସନ କରିଥିଲା। ୨୦୧୧ ମସିହାରେ ତୃଣମୂଳ କଂଗ୍ରେସ ରାଜ୍ୟର ନାମ ବଦଳାଇ ‘ପଶ୍ଚିମ ବଙ୍ଗୋ’ (Paschim Bango) ରଖିବାକୁ ପ୍ରସ୍ତାବ ଦେଇଥିଲା।

୨୦୧୬ ମସିହାରେ, ମମତା ବାନାର୍ଜୀଙ୍କ ସରକାର ଭାଷା ଅନୁଯାୟୀ ତିନୋଟି ଭିନ୍ନ ନାମ ପ୍ରସ୍ତାବ କରିଥିଲେ — ବଙ୍ଗଳା ଭାଷାରେ ‘ବଙ୍ଗଳା’ (Bangla), ଇଂରାଜୀରେ ‘ବେଙ୍ଗଲ’ (Bengal) ଏବଂ ହିନ୍ଦୀରେ ‘ବଙଗାଲ’ (Bangal)। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହା ପରେ ୨୦୧୮ ମସିହାରେ, ରାଜ୍ୟ ବିଧାନସଭା ସର୍ବସମ୍ମତି କ୍ରମେ ରାଜ୍ୟର ନାମ ସମସ୍ତ ଭାଷା ପାଇଁ ‘ବଙ୍ଗଳା’ (Bangla) ରଖିବାକୁ ଏକ ପ୍ରସ୍ତାବ ପାରିତ କରିଥିଲା। କିନ୍ତୁ ଏହାକୁ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିପାରି ନଥିଲା। ଏଥର, ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ (ଅନୁମୋଦନ) ମିଳିବାରେ କୌଣସି ଅସୁବିଧା ହେବାର ସମ୍ଭାବନା ନାହିଁ।

Leave A Reply

Your email address will not be published.