Latest Odisha News

BREAKING NEWS

President in Bhubaneswar: ପହଞ୍ଚିଲେ ରାଷ୍ଟ୍ରପତି, ବୋଇତ ବନ୍ଦାଣ କରି ଆରମ୍ଭ କରିବେ ବାଲିଯାତ୍ରାର ମହାଆସର…ସୁରକ୍ଷା ଛାଉଣୀରେ ରୂପାର ସହର କଟକ!

ଭୁବନେଶ୍ୱର: ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଉତ୍ସବର ମାହୋଲ। ଏହି ଉତ୍ସବରେ ଯୋଗଦେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ସେ ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତର ମୁଖ୍ୟ ଆକର୍ଷଣ ରହିଛି କଟକର ପ୍ରସିଦ୍ଧ ବାଲିଯାତ୍ରା। ମଙ୍ଗଳବାର ଅପରାହ୍ନରେ ସେ କଟକ ଗସ୍ତ କରି ମହାନଦୀ କୂଳରେ ଆୟୋଜିତ ବାଲିଯାତ୍ରା ୨୦୨୬କୁ ଉଦ୍‌ଘାଟନ କରିବେ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ସ୍ମୃତି ବହନ କରୁଥିବା ଏହି ଐତିହାସିକ ମେଳାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ମୋଟ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ବାଲିଯାତ୍ରା ପଡ଼ିଆରେ ୩୮ଟି ୱାଚ୍‌ ଟାୱାର ଓ ୧୪୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ବାଲିଯାତ୍ରା ପଡ଼ିଆର ପାଞ୍ଚଟି ସ୍ଥାନକୁ ରାଷ୍ଟ୍ରପତି ଗସ୍ତ କରିବାକୁ ଥିବାରୁ ପ୍ରତ୍ୟେକ ସ୍ଥାନରେ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସୋମବାର ଓଡ଼ିଶା ପୋଲିସ ଡିଜି ଦାୟିତ୍ୱରେ ଥିବା ବିନୟତୋଷ ମିଶ୍ର ବାଲିଯାତ୍ରା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ସେହିପରି ଭୁବନେଶ୍ୱରରେ ବିମାନବନ୍ଦରରୁ ଲୋକଭବନ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କାରକେଡ୍‌ର ଟ୍ରାଏଲ୍‌ ରନ୍‌ କରାଯାଇଥିଲା।

ଭୁବନେଶ୍ୱର ଡିସିପି ସାରବଣା ବିବେକ ଏମ୍‌ କହିଛନ୍ତି, ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ ରଖିବାକୁ ସମସ୍ତ ପ୍ରସ୍ତୁତି ହୋଇଛି। ଆବଶ୍ୟକ ସ୍ଥଳେ କେବଳ କିଛି ସମୟ ପାଇଁ ଟ୍ରାଫିକ୍‌ କଟକଣା ଲାଗୁ କରାଯିବ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଉଭୟ ସହରରେ ସୁରକ୍ଷା ସହ ଟ୍ରାଫିକ୍‌ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସେପଟେ ବୁଧବାର ନଭେମ୍ବର ୨୫ ତାରିଖରେ ରାଷ୍ଟ୍ରପତି ପୁଣି ଭୁବନେଶ୍ୱର ଫେରିବେ। ଏଠାରେ ଡାକ୍ତର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ସମାବର୍ତ୍ତନ ଉତ୍ସବ ସହ ହୋମିଓପାଥି ସମ୍ପର୍କିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ସେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିବେ।

ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତକୁ ନେଇ ଏବେ ଚଳଚଞ୍ଚଳ କଟକ ଓ ଭୁବନେଶ୍ୱର। ଏପଟେ ବାଲିଯାତ୍ରାର ଉତ୍ସବ, ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଦୁଇ ସହରରେ ପ୍ରସ୍ତୁତି ଜୋରଦାର ହୋଇଛି।

Leave A Reply

Your email address will not be published.