Modi’s Gifts to Nepal PM: ଖାଲି ହାତରେ ଫେରିଲେନି ବାଲେନ୍ ଶାହ, ସାଙ୍ଗରେ ନେଲେ ଭାରତ-ନେପାଳ ସଂସ୍କୃତିର ଅନନ୍ୟ ନିଦର୍ଶନ; ଜାଣନ୍ତୁ କ’ଣ ଉପହାର ଦେଲେ ମୋଦି?
ନୂଆଦିଲ୍ଲୀ: ଭାରତ ଗସ୍ତ ସାରି ନେପାଳ ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ ବାଲେନ୍ ଶାହ। ଦୁଇଦିନିଆ ଭାରତ ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତକାର ସମୟରେ ମୋଦି ତାଙ୍କୁ ଏମିତି କିଛି ଉପହାର ଦେଇଛନ୍ତି, ଯାହାର ରହିଛି ବିଶେଷ ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ଏହି ଉପହାର ମଧ୍ୟରେ ରହିଛି କଲମକାରୀ ଶୈଳୀରେ ଅଙ୍କିତ ସମ୍ପୂର୍ଣ୍ଣ ରାମାୟଣର ପେଣ୍ଟିଂ, ବନାରସୀ ବ୍ରୋକେଡ୍ ଷ୍ଟୋଲ୍ ଏବଂ କାଶୀର ପବିତ୍ର ଗଙ୍ଗାଜଳ।
ମୋଦି ବାଲେନ୍ ଶାହଙ୍କୁ ଉପହାର ଦେଇଥିବା ପେଣ୍ଟିଂରେ ଭଗବାନ ଶ୍ରୀରାମଙ୍କ ଜୀବନର ପ୍ରମୁଖ ଘଟଣାଗୁଡ଼ିକୁ ଚିତ୍ରିତ କରାଯାଇଛି। ଏଥିରେ ଶ୍ରୀରାମଙ୍କ ଜନ୍ମ, ବନବାସ, ରାବଣ ବଧଠାରୁ ଆରମ୍ଭ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଘଟଣା ସ୍ଥାନ ପାଇଛି। ଆନ୍ଧ୍ରପ୍ରଦେଶର ପାରମ୍ପରିକ ଶ୍ରୀକାଳହସ୍ତୀ ଶୈଳୀରେ ଏହି କଳାକୃତି ପ୍ରସ୍ତୁତ ହୋଇଛି। ସୂତା କପଡ଼ା ଉପରେ ବାଉଁଶ କଲମ ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଏହାକୁ ହାତରେ ଅଙ୍କାଯାଇଛି। ଏହି ଉପହାର କେବଳ ଏକ କଳାକୃତି ନୁହେଁ, ବରଂ ଭାରତ ଓ ନେପାଳ ମଧ୍ୟରେ ଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ। ଅଯୋଧ୍ୟା ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ହୋଇଥିବାବେଳେ ଜନକପୁର ମାତା ସୀତାଙ୍କ ଜନ୍ମସ୍ଥଳୀ ଭାବେ ପରିଚିତ। ତେଣୁ ଏହି ପେଣ୍ଟିଂ ଦୁଇ ଦେଶର ସାଧାରଣ ସାଂସ୍କୃତିକ ଐତିହ୍ୟ ଓ ବନ୍ଧୁତ୍ୱକୁ ପ୍ରତିଫଳିତ କରୁଛି।
ଏହାବ୍ୟତୀତ ମୋଦି ବାଲେନ୍ ଶାହଙ୍କୁ ଆଉ ଏକ ଖାସ୍ ଉପହାର ଦେଇଛନ୍ତି। ତାହା ହେଉଛି ବନାରସୀ ବ୍ରୋକେଡ୍ ଷ୍ଟୋଲ୍। ଏହାକୁ ଗୁଜରାଟର ପାରମ୍ପରିକ ‘ସଦେଲି’ ବାକ୍ସରେ ରଖାଯାଇ ଉପହାର ଦିଆଯାଇଛି। ବାରାଣସୀର କୁଶଳୀ କାରିଗରମାନେ ଏହି ରେଶମୀ ଷ୍ଟୋଲ୍ରେ ସୂକ୍ଷ୍ମ କାରୁକାର୍ଯ୍ୟ ସହ ଚମକଦାର ଜରି କାମ କରିଛନ୍ତି। ଅନ୍ୟପଟେ ସଦେଲି ବାକ୍ସରେ କାଠର ସୂକ୍ଷ୍ମ ନକ୍ସା ଓ ଜ୍ୟାମିତିକ ଡିଜାଇନ୍ ରହିଛି। ଏହା ଭାରତର ବିଭିନ୍ନ ଅଞ୍ଚଳର ପାରମ୍ପରିକ ହସ୍ତଶିଳ୍ପକୁ ଏକାଠି ପ୍ରଦର୍ଶିତ କରୁଛି।
ସବୁଠାରୁ ଖାସ୍ ଉପହାର ହେଉଛି ବାରାଣସୀରୁ ଅଣାଯାଇଥିବା ପବିତ୍ର ଗଙ୍ଗାଜଳ। ଏହାକୁ ଏକ ପିତ୍ତଳ କଳସରେ ରଖି ବାଲେନ୍ ଶାହଙ୍କୁ ଭେଟି ଦେଇଛନ୍ତି ମୋଦି। କାଶୀ ବିଶ୍ୱନାଥ ମନ୍ଦିର ନିକଟସ୍ଥ ଗଙ୍ଗା ନଦୀରୁ ଏହି ଜଳ ସଂଗ୍ରହ କରାଯାଇଥିବା କୁହାଯାଇଛି। ଏହି ଗଙ୍ଗାଜଳ ଉପହାର ପଛରେ ମଧ୍ୟ ରହିଛି ଏକ ବିଶେଷ ଆଧ୍ୟାତ୍ମିକ ସନ୍ଦେଶ। ବାରାଣସୀର ବାବା ବିଶ୍ୱନାଥ ଓ କାଠମାଣ୍ଡୁର ଭଗବାନ ପଶୁପତିନାଥଙ୍କ ମଧ୍ୟରେ ଥିବା ଧାର୍ମିକ ସମ୍ପର୍କକୁ ଏହା ଦର୍ଶାଉଛି। ଉଭୟ ଭଗବାନ ଶିବଙ୍କ ପୂଜନୀୟ ସ୍ୱରୂପ। ଏହି ଉପହାର ଭାରତ ଓ ନେପାଳ ମଧ୍ୟରେ ଥିବା ପ୍ରାଚୀନ ସଭ୍ୟତା, ଧର୍ମ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିବାର ବାର୍ତ୍ତା ଦେଉଛି।
ତେବେ ଏହି ଗସ୍ତ ସମୟରେ ଅଯୋଧ୍ୟା ଓ ନେପାଳର ଜନକପୁର ମଧ୍ୟରେ ରେଳ ସେବାକୁ ମଧ୍ୟ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିସହ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୮ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଦୁଇଦିନିଆ ଗସ୍ତ ଶେଷ କରି ସୋମବାର ସନ୍ଧ୍ୟାରେ ବାଲେନ୍ ଶାହ ନେପାଳ ଫେରିଯାଇଛନ୍ତି।
