Latest Odisha News

BREAKING NEWS

ଦିଲ୍ଲୀ ଏୟାରପୋର୍ଟରେ ସିଜେପି ନେତା ସୌରଭ ଦାସ ହଟହଟା, ୟୁକେ ଯିବାକୁ ଦେଲେନି ଇମିଗ୍ରେସନ ଅଫିସର

ଦିଲ୍ଲୀ: ବ୍ରିଟେନରେ ଥିଲା କାର୍ଯ୍ୟକ୍ରମ, ଦିଲ୍ଲୀରୁ ଛାଡିଦେଲେନି । ଏପରି ଅଭିଯୋଗ କରିଛନ୍ତି କକରୋଚ୍ ଜନତା ପାର୍ଟି ନେତା ସୌରଭ ଦାସ । ୟୁକେରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ ସିଜେପି ନେତା ସୌରଭ । ସେଠାରେ ତାଙ୍କ ପାସପୋର୍ଟରେ ସମସ୍ୟା ଅଛି କହି ବ୍ରିଟେନ ଫ୍ଲାଇଟରେ ଚଢିବାକୁ ଅଟକାଯାଇଥିବା ଅଭିଯୋଗ କରିଛନ୍ତି । ମଙ୍ଗଳବାର ସକାଳୁ ସକାଳୁ ଏପରି ହଟହଟାର ଶିକାର ହୋଇଛନ୍ତି ସୌରଭ । ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇଦେଇଥିବା ସେ କହିଛନ୍ତି । ସୌରଭଙ୍କ ପାସର୍ପୋଟକୁ ତାଲିକା ଭୁକ୍ତ କରାଯାଇଥିବାରୁ ତାଙ୍କୁ ଇମିଗ୍ରେସନ ଅଫିସର ଅଟକାଇଥିବା ସୂଚନା ମିଳିଛି । ତେବେ ସୌରଭଙ୍କ ପାସପୋର୍ଟ କାହିଁକି ଫ୍ଲାଗ୍ କରାଯାଇଛି ତାହା ସ୍ପଷ୍ଟ ହୋଇନି । ଚଳିତ ବର୍ଷ ଆରମ୍ଭରେ ଜେନ-ଜୀଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିଲେ ସୌରଭ । ସେହି ଆନ୍ଦୋଳନ ସମ୍ପର୍କରେ କହିବା ପାଇଁ ତାଙ୍କୁ ଅକ୍ସଫୋର୍ଡ ୟୁନିଅନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । କେମ୍ବ୍ରିଜ ଓ ଏଡିନବର୍ଗର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ତାଙ୍କ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଥିଲା । ଭାରତୀୟ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ନିଜର ସର୍ବସ୍ୱ ଲଗାଇଦେଇଥିଲେ । ସରକାର ତାଙ୍କର ଏହି ଗସ୍ତ ଏବଂ ଆନ୍ଦୋଳନ ସମ୍ପର୍କରେ ବକ୍ତବ୍ୟକୁ ନେଇ ଭୟଭୀତ ହୋଇ ପାସପୋର୍ଟ ଆଳରେ ୟୁକେ ଛାଡିଦେଇନଥିବା ଅଭିଯୋଗ କରିଛନ୍ତି ସୌରଭ । କେବଳ ସୌରଭ ନୁହନ୍ତି ସିଜେପିର ରତ୍ନ ସିଂଙ୍କୁ ମଧ୍ୟ ୟୁକେରୁ ନିମନ୍ତ୍ରଣ ଥିଲା । ହେଲେ ଭିସା ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବାରୁ ସେ ଯାଇପାରିନଥିଲେ ।

ସାମ୍ବାଦିକତା କ୍ଷେତ୍ରରୁ ସିଜେପିର ମୁଖ୍ୟ ଚେହେରା ବନିଥିବା ସୌରଭ ସିଜେପିକୁ ଏକ ବ୍ୟଙ୍ଗାତ୍ମକ ଭାବେ ତିଆରି କରିବାର ଉଦ୍ୟମ କରିଥିଲେ ମଧ୍ୟ ପରେ ଯୁବକଙ୍କ ନେତୃତ୍ୱରେ ଏକ ଚାପସୃଷ୍ଟିକାରୀ ଗୋଷ୍ଠୀ ଭାବେ ଉଭା ହୋଇଛି ସିଜେପି । ଜୁଲାଇରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ସିଜେପିର ବିକ୍ଷୋଭ ଫଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଅକ୍ଟୋବରରେ ନିର୍ବାଚନ ତାଲିକାରେ ଅନିୟମିତତା ଅଭିଯୋଗକୁ ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରିଥିଲା ସିଜେପି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହୋଇଥିବା ବେଳେ ସିଜେପି ନେତା ଆଶୁତୋଷ ରଙ୍କାଙ୍କୁ ଗିରଫ କରି ୭ଦିନ ଜେଲରେ ରଖାଯାଇଥିଲା । ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ କହିଛନ୍ତି ସୌରଭ ଯଦି ବ୍ୟାଙ୍କ ଲୁଟ୍ କରିଥାନ୍ତେ ତେବେ ତାଙ୍କୁ ୟୁକେ ଯିବାକୁ ଦିଆ ଯାଇନଥାନ୍ତା । କିନ୍ତୁ ଏଠି ବ୍ୟାଙ୍କ ଲୁଟି ଭାରତ ଛାଡି ବଡବଡିଆ ଚାଲି ଯାଉଛନ୍ତି ଆମକୁ କାହିଁକି ଅଟକା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।

 

Leave A Reply

Your email address will not be published.