Latest Odisha News

BREAKING NEWS

ଯୁଦ୍ଧକ୍ଷେତ୍ର ହରମୁଜ୍ ପ୍ରଣାଳୀରେ ୧୫ କିଲୋମିଟର ପହଁରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ବ୍ରିଟିଶ ସନ୍ତରଣକାରୀ

ଲଣ୍ଡନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାମୁଦ୍ରିକ ପରିବେଶ ଉପରେ ପଡୁଥିବା ଭୟାବହ ପ୍ରଭାବ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି ୫୬ ବର୍ଷୀୟ ବ୍ରିଟିଶ ସନ୍ତରଣକାରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ‘ପ୍ୟାଟ୍ରନ୍ ଅଫ୍ ଦି ଓସେନ୍ସ’ ଲୁଇସ୍ ପ୍ୟୁ। ଯୁଦ୍ଧଗ୍ରସ୍ତ ହରମୁଜ୍ ପ୍ରଣାଳୀରେ ସେ ତିନି ଦିନ ଧରି ପ୍ରାୟ ୧୫ କିଲୋମିଟର (୯.୩ ମାଇଲ୍) ପହଁରି ପରିବେଶ ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି।

ଓମାନ୍ ଉପକୂଳବର୍ତ୍ତୀ ମୁସାନ୍ଦାମ ଉପଦ୍ୱୀପରୁ ଯାତ୍ରା ଆରମ୍ଭ କରି କେପ୍ ଅଫ୍ ହରମୁଜ୍ ପର୍ଯ୍ୟନ୍ତ ପହଁରିଥିବା ଲୁଇସ୍ ପ୍ୟୁ ଏହି ଅଭିଯାନ ସମୟରେ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲେ। ସେ ପାଣିରେ ପଶିବାର ମାତ୍ର ୩୦ ମିନିଟ୍ ପରେ କିଛି କିଲୋମିଟର ଦୂରରେ ଏକ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିଲା। ପ୍ରଚଣ୍ଡ ବିସ୍ଫୋରଣରେ ସମୁଦ୍ର ଥରି ଉଠିଥିବା ବେଳେ ଆକାଶରେ ଲଢ଼ୁଆ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସେହିପରି ଦ୍ୱିତୀୟ ଦିନରେ ସେ ଜଳୁଥିବା ଏକ ଏଲପିଜି ଜାହାଜ ନିକଟ ଦେଇ ଅତିକ୍ରମ କରିଥିଲେ, ଯେଉଁଠାରେ ସମୁଦ୍ର ପାଣିରେ ନିଆଁ ଲାଗିବା ସହ ଚାରିଆଡ଼େ ରାସାୟନିକ ଧୂଆଁ ବ୍ୟାପି ରହିଥିଲା।

ଲୁଇସ୍ ପ୍ୟୁ କହିଛନ୍ତି ଯେ, ଯୁଦ୍ଧରେ ମଣିଷର ଜୀବନହାନି ଓ କ୍ଷୟକ୍ଷତି ଉପରେ ସମସ୍ତେ ଧ୍ୟାନ ଦିଅନ୍ତି, କିନ୍ତୁ ପ୍ରକୃତି ଓ ସାମୁଦ୍ରିକ ଜୀବଜଗତର ଅପୂରଣୀୟ କ୍ଷତି ପ୍ରତି କାହାର ନଜର ନଥାଏ । ହରମୁଜ୍ ପ୍ରଣାଳୀ କେବଳ ଏକ ବାଣିଜ୍ୟିକ ଜଳପଥ ନୁହେଁ, ବରଂ ଏହା ଡଲଫିନ୍, ସାମୁଦ୍ରିକ କଇଁଛ, ଏବଂ ଅନ୍ୟ ସାମୁଦ୍ରିକ ଜୀବଙ୍କ ବାସସ୍ଥଳୀ। କ୍ଷତିଗ୍ରସ୍ତ ଜାହାଜରୁ ନିର୍ଗତ ତୈଳ ଓ ରାସାୟନିକ ପ୍ରଦୂଷଣ ଏହି ଜୈବ ବିବିଧତାକୁ ଦଶନ୍ଧି ଦଶନ୍ଧି ଧରି ନଷ୍ଟ କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଯୁଦ୍ଧ ବନ୍ଦ କରିବା, ହରମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ଏବଂ ସମୁଦ୍ରରୁ ପ୍ରଦୂଷଣ ସଫା କରିବା ପାଇଁ ସେ ବିଶ୍ୱ ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.