Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହାରିବା ପରେ ଗାଁରୁ ଖୋଲାଗଲା ୫୦ଟି ଷ୍ଟ୍ରିଟ୍ ଲାଇଟ୍

ଜୟପୁର: ରାଜସ୍ଥାନର ଟୋଙ୍କ ଜିଲ୍ଲା ଅନ୍ତର୍ଗତ ପିପଲୁ ପଞ୍ଚାୟତ ସମିତିରେ ଏକ ଅଭାବନୀୟ ଓ ବିବାଦୀୟ ଘଟଣା ସାମ୍ନାକୁ ଆସିଛି। ପଞ୍ଚାୟତ ସମିତି ନିର୍ବାଚନରେ ବିଜେପି ପ୍ରାର୍ଥୀ ପରାଜିତ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଗାଁ ରାସ୍ତାରେ ଲାଗିଥିବା ପ୍ରାୟ ୫୦ଟି ଷ୍ଟ୍ରିଟ୍ ଲାଇଟ୍ ଖୋଲି ନିଆଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ରାଜନୈତିକ ବୟାନବାଜି ଜୋର ଧରିଛି ଏବଂ ସାଧାରଣରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପିପଲୁ ପଞ୍ଚାୟତ ସମିତିର ୨ ନମ୍ବର ୱାର୍ଡରୁ ନିୱାଇର ବିଜେପି ବିଧାୟକ ରାମ ସହାୟ ବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଆଲୋକ ଶର୍ମାଙ୍କ ପତ୍ନୀ ପ୍ରିୟଙ୍କା ଶର୍ମା ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିଲେ। ତେବେ ଶୁକ୍ରବାର ପ୍ରକାଶିତ ଫଳାଫଳରେ ସେ କଂଗ୍ରେସ ପ୍ରାର୍ଥୀ ଧନ୍ନା ଲାଲଙ୍କଠାରୁ ୭୫୧ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ନିର୍ବାଚନ ପ୍ରଚାର ସମୟରେ ଅକ୍ଟୋବର ୨୪ ତାରିଖରେ ଅନ୍ଧାରିଆ ଗଳି ଓ ବସ୍ତିକୁ ଆଲୋକିତ କରିବା ପାଇଁ ଏହି ଷ୍ଟ୍ରିଟ୍ ଲାଇଟଗୁଡ଼ିକ ଲଗାଯାଇଥିଲା। କିନ୍ତୁ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଗାଡ଼ି ଧରି ହଠାତ୍ ପହଞ୍ଚିଥିଲେ ଏବଂ ସମସ୍ତ ଲାଇଟ୍ ଖୋଲି ନେଇଯାଇଥିଲେ।

ଅନ୍ୟପକ୍ଷରେ, ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଗୋବର୍ଦ୍ଧନ ଚୌଧୁରୀ ସଫେଇ ଦେଇ କହିଛନ୍ତି ଯେ ଏହି *ଲାଇଟଗୁଡ଼ିକ ବିନା ଅନୁମତିରେ ଅବୈଧ ଭାବେ ଲଗାଯାଇଥିଲା, ତେଣୁ ନିୟମ ଅନୁଯାୟୀ ଏହାକୁ ହଟାଯାଇଛି। ତେବେ ନିର୍ବାଚନ ପୂର୍ବରୁ ଲାଇଟ୍ ଲାଗିବା ବେଳେ ବିଭାଗ କାହିଁକି ଚୁପ୍ ଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ବିଧାୟକ ରାମ ସହାୟ ବର୍ମା ଏହି ଘଟଣାରେ ତାଙ୍କର କିମ୍ବା ତାଙ୍କ ପିଏଙ୍କର କୌଣସି ସମ୍ପୃକ୍ତି ନଥିବା କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭୋଟ୍ ନମିଳିବାରୁ ଜାଣିଶୁଣି ବିକାଶମୂଳକ ସୁବିଧା ଛଡ଼ାଇ ନିଆଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହାର ଏକ ବ୍ୟାପକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.