ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ମହାପାତ୍ର ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଆ ଗଣମାଧ୍ୟମ ଜଗତର ଜଣେ ସୁପରିଚିତ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ର। ତାଙ୍କର ଅକାଳ ବିୟୋଗରେ ସମଗ୍ର ଓଡ଼ିଆ ଟେଲିଭିଜନ ଓ ଛାପା ଗଣମାଧ୍ୟମ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ଶିକ୍ଷା ସମାପ୍ତ କରିବା ପରେ ସେ ‘ଦୈନିକ ଆଶା’ ଖବରକାଗଜରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରେ ଜଣେ ଘୋଷକ ଭାବେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ୨୦୧୫ରୁ କଳିଙ୍ଗ ଟିଭିରେ କିଛି ବର୍ଷ ଲାଗି କାର୍ଯ୍ୟ କରିଥିଲେ।
ନିଜର ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ସେ ଓଡ଼ିଶାର ବହୁ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଖବର ପ୍ରସାରଣ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିଷ୍ଠା, ଦକ୍ଷତା ଏବଂ ଅବଦାନ ସର୍ବଦା ଅତୁଳନୀୟ ହୋଇ ରହିବ । ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ।
