Latest Odisha News

BREAKING NEWS

ବାତ୍ୟା, ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ଦିଅ କ୍ଷତିପୂରଣ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେଡିର ୧୫ ଦଫା ଦାବିପତ୍ର

ଗଂଜାମ: ଗଂଜାମରେ ବିଜେଡିର ପ୍ରତିବାଦ ଶୋଭାଯାତ୍ରା । ଜିଲ୍ଲାପାଳଙ୍କୁ ଦେଲେ ୧୫ଦଫା ଦାବିପତ୍ର । ବାତ୍ୟା ଅର୍ଣ୍ଣବ ଓ ଅକ୍ୱାନରେ ଗଂଜାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶୀଘ୍ର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଦାବି କରିଛି ଗଂଜାମ ଜିଲ୍ଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ୧୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ବାତ୍ୟା ପରେ ବନ୍ୟା ଚାଷଜମି ଜଳମଗ୍ନ କରିବା ସହ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇଦେଇଛି । ଆର୍ଥିକ ଓ ମାନସିକ ସ୍ତରରେ ଗଭୀର ଆଘାତ ପାଇଛନ୍ତି ଗଂଜାମର ଚାଷୀକୂଳ । ଛୋଟ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ନିସ୍ତାର ପାଇନାହାନ୍ତି । ବିପର୍ଯ୍ୟୟ ପରେ ଯାହା ଫସଲ ଅମଳ ହୋଇଥାନ୍ତା, ଅକ୍ୱାନ ବାତ୍ୟା ବେଡି ଉପରେ କୋରଡା ସାଜିଲା ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ନଭେମ୍ବର ୭ରେ ପ୍ରଭାବିତ ଅଂଚଳ ବୁଲିବା ସହ ଚାଷୀଙ୍କ ସହ କଥା ହୋଇଥିଲେ । ଜିଲ୍ଲାର ସ୍ଥିତି ଦେଖି ତୁରନ୍ତ ରିଲିଫ ସହାୟତା ଓ ପୁନରୁଦ୍ଧାର କାମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । କେବଳ ସେତିକି ନୁହେଁ ନିକଟରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଂଜାମରେ ପହଂଚି ଚାଷ ଜମି ଓ ଚାଷୀର ସ୍ଥିତି ଦେଖିଥିଲେ । ତାପରେ ବି କ୍ଷତିପୂରଣ ଦେବାରେ କାହିଁକି ବିଳମ୍ବ ବୋଲି ପ୍ରଶ୍ନ କରିଛି ବିଜେଡି । ବାତ୍ୟା ମୁକାବିଲାରେ ବିଜେପି ସରକାର ଫେଲ୍ ବୋଲି କହିବା ସହ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଛି ବିଜେଡି । ଫଳରେ ଗଂଜାମ ଜିଲ୍ଲାର ଅର୍ଥନୀତି ସମ୍ପୂଣ୍ଣ ର୍ ଭାଙ୍ଗିପଡିଛି । ଏହି ସଙ୍କଟ ସମୟରେ ଗଂଜାମବାସୀ ସରକାରଙ୍କଠାରୁ ସହଯୋଗ ଆଶା ରଖିଥିବା ବିଜେଡି କହିଛିା ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ବିଚାର କରି ପଦକ୍ଷେପ ନେବାକୁ ସରକାରଙ୍କୁ ଦାବି କରିଛି ବିଜେଡି ।

ବିଜେଡିର ୧୫ ଦାବି:-
୧-ଫସଲ ଋଣ ଛାଡ
୨- କ୍ଷୟକ୍ଷତି ନେଇ ଚାଷୀଙ୍କ ଫସଲ ବୀମା ଦାବି ଶୀଘ୍ର ଫଇସଲା ହେଉ
୩-ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌
୪-କ୍ଷତିପୂରଣ ମାନଦଣ୍ଡରେ ବୃଦ୍ଧି
୫-ରବି ଋତୁ ପୂର୍ବରୁ କେନାଲ ମରାମତି
୬-ଶାଖା ନାଳର ପୁନରୁଦ୍ଧାର
୭-ଲିଫ୍ଟ ଇରିଗେସନ ପୁନରୁଦ୍ଧାର ଓ ବିଦ୍ୟୁତ ଶୁଲ୍କ ଛାଡ
୮- ପାଣିରେ ରହି ରଙ୍ଗ ବଦଳିଥିବା ଧାନକୁ ସ୍ଥାନୀୟ ପିଡିଏସରେ ବ୍ୟବହାର ପାଇଁ କ୍ରୟ ହେଉ
୯-ପଂଜୀକୃତ ଆଖୁଚାଷୀଙ୍କୁ ଆର୍ଥିକ ସହାୟତା
୧୦-ପରିବା ଚାଷୀଙ୍କୁ ଆର୍ଥିକ ସହାୟତା
୧୧-ଚାଷୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ସବସିଡି ମୂଲ୍ୟରେ ଦିଆଯାଉ
୧୨- ଛୋଟ ଓ ମଧ୍ୟମ ଉଦ୍ୟୋଗୀଙ୍କ କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ
୧୩-ସହରରେ ଜଳନିଷ୍କାସନ ପାଇଁ ବାହାନା ଓ ସାପୁଆ ନାଳର ନବୀକରଣ ହେଉ
୧୪-ଜଗନ୍ନାଥପ୍ରସାଦ ବ୍ଲକକୁ ବନ୍ୟା ପ୍ରଭାବିତ ଅଂଚଳ ଘୋଷଣା ହେଉ
୧୫-ଗୋସେବା ଅନୁଷ୍ଠାନ ଓ ଗୋସେବକଙ୍କୁ ଆର୍ଥିକ ସହାୟତା ପ୍ରଦାନ ହେଉ

Leave A Reply

Your email address will not be published.