ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ୱରେ ନୂଆ ନୂଆ ଚର୍ଚ୍ଚା ଓ ଆକଳନ ସାମ୍ନାକୁ ଆସୁଛି। ଯଦି ଭବିଷ୍ୟତରେ ଏଆଇ ସହାୟତାରେ ମଣିଷର ବୟସ ବଢ଼ିବା ପ୍ରକ୍ରିୟାକୁ ଅଟକାଯାଇ ପାରେ, ତେବେ ମଣିଷ ପ୍ରାୟ ୧,୪୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଏକ ନୂଆ ତତ୍ତ୍ୱ ଚର୍ଚ୍ଚା ସୃଷ୍ଟି କରିଛି । ସ୍ୱିଡେନର ଦାର୍ଶନିକ ତଥା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ନିକ୍ ବୋଷ୍ଟ୍ରୋମ୍ ଏକ ପୋଡକାଷ୍ଟ ଏବଂ ନିଜର କାର୍ଯ୍ୟପତ୍ର ଅପଟିମାଲ ଟାଇମିଂ ଫର ସୁପରଇଂଟେଲଜେନ୍ସିରେ ଏହି ଧାରଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହା କୌଣସି ନିଶ୍ଚିତ ଦାବି ନୁହେଁ, ବରଂ ଏକ ଗାଣିତିକ ମଡେଲ ଓ ସମ୍ଭାବନା ଉପରେ ଆଧାରିତ । ବିକଶିତ ଦେଶଗୁଡ଼ିକରେ ୨୦ରୁ ୨୫ ବର୍ଷ ବୟସ୍କ ସୁସ୍ଥ ଯୁବକ-ଯୁବତୀଙ୍କ ବାର୍ଷିକ ମୃତ୍ୟୁ ହାର ପ୍ରାୟ ୦.୦୭ ପ୍ରତିଶତ ରହିଥାଏ ।
ଯଦି ବୟସ ବଢ଼ିବା ସହିତ ଏହି ମୃତ୍ୟୁ ଆଶଙ୍କା ବଢ଼ିବା ବନ୍ଦ ହୋଇଯାଏ ଏବଂ ଶରୀର ଦୀର୍ଘ ସମୟ ଧରି ଯୁବାବସ୍ଥା ଭଳି ସକ୍ରିୟ ରହେ, ତେବେ ହାରାହାରି ଅବଶିଷ୍ଟ ଜୀବନକାଳ ପ୍ରାୟ ୧,୪୦୦ ବର୍ଷ ବାହାରିଥାଏ ବୋଲି ଏହି ହିସାବ କହୁଛି । ବୋଷ୍ଟ୍ରୋମଙ୍କ ମତ ଅନୁଯାୟୀ, ଭବିଷ୍ୟତର ସୁପରଇଣ୍ଟେଲିଜେଣ୍ଟ୍ ଏଆଇ ଔଷଧ ଆବିଷ୍କାର, ରୋଗର ଚିକିତ୍ସା ଏବଂ ଶରୀରରେ ବୟସ ବଢ଼ିବା ଯୋଗୁଁ ହେଉଥିବା କ୍ଷତିକୁ ବୁଝିବା ଓ ନିୟନ୍ତ୍ରଣ କରିବା ପ୍ରକ୍ରିୟାକୁ ବହୁଗୁଣିତ କରିପାରେ । ପୂର୍ବରୁ ଆନ୍ଥ୍ରୋପିକ୍ ସିଇଓ ଡାରିଓ ଆମୋଡେଇ ମଧ୍ୟ ଏଆଇ ଦ୍ୱାରା ଭବିଷ୍ୟତରେ କ୍ୟାନସର, ହୃଦରୋଗ ଓ ଅନ୍ୟ ରୋଗର ଚିକିତ୍ସାରେ ବଡ଼ ପରିବର୍ତ୍ତନ ଆସିବା ନେଇ ମତ ରଖିଥିଲେ । ଏହି ତତ୍ତ୍ୱ ଶୁଣିବାକୁ କୌଣସି ସାଇନ୍ସ-ଫିକ୍ସନ୍ କାହାଣୀ ଭଳି ଲାଗିଲେ ମଧ୍ୟ, ଏହାର ବାସ୍ତବ ରୂପାୟନ ଅନେକ ବଡ଼ ବୈଜ୍ଞାନିକ ସଫଳତା ଉପରେ ନିର୍ଭର କରେ । ବର୍ତ୍ତମାନ ସ୍ଥିତିରେ ବାର୍ଦ୍ଧକ୍ୟକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କୌଣସି ପ୍ରମାଣିତ ଚିକିତ୍ସା ପଦ୍ଧତି ନାହିଁ ଏବଂ ଦୁର୍ଘଟଣା କିମ୍ବା ଅନ୍ୟ ବାହ୍ୟ କାରଣ ମଧ୍ୟ ଜୀବନକାଳକୁ ପ୍ରଭାବିତ କରିଥାଏ ।
