ସାନ୍ ଜୁଆନ୍: ମୁକୁଟ ଖୋଜିନେଲା ତାର ରାଣୀ । ଚଳିତ ବର୍ଷର ମିସ୍ ୟୁନିଭର୍ସ ହେଲେ ଜେନିଫର ବାରେଟୋ । ୨୦୨୬ର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ । ମିସ୍ ୟୁନିଭର୍ସର ୭୫ ତମ ସଂସ୍କରଣରେ ଜେନିଫର ଏହି ସମ୍ମାନଜନକ ସୁନ୍ଦରୀ ମୁକୁଟର ଅଧିକାରୀ ହୋଇଛନ୍ତି । ମେକ୍ସିକୋର ଫାତିମା ବୋଶ ଜେନିଫରଙ୍କୁ ତାଙ୍କ ଉତ୍ତରାଧିକାରୀ ବା ପରବର୍ତ୍ତୀ ମିସ୍ ୟୁନିଭର୍ସ ଭାବେ ମୁକୁଟ ପିନ୍ଧାଇଛନ୍ତି । ପ୍ରଥମ ଥର ପାଇଁ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ଉପାଧି ଜିତିବାରେ ପ୍ରଥମ ବିବାହିତା ଏବଂ ମା ହୋଇଥିବା ସୁନ୍ଦରୀ ହୋଇଛନ୍ତି ମିସ୍ ୟୁନିଭର୍ସ ବିଜେତା । ୩ବର୍ଷ ପୂର୍ବେ ଆୟୋଜକ ବିବାହିତ ମହିଳା କିମ୍ବା ମା’ ହୋଇସାରିଥିବା ପ୍ରତିଯୋଗୀଙ୍କ ଉପରୁ କଟକଣା ହଟାଇଦେଇଥିଲେ । ଡୋମିନିକାନ୍ ରିପବ୍ଲିକର ମେଲିସା ନୁନେଜ୍ ପ୍ରଥମ ରନର-ଅପ୍ ହୋଇଥିବା ବେଳେ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର-ଅପ୍ ହୋଇଛନ୍ତି । ଶ୍ରେଷ୍ଠ ୫ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଫିଲିପାଇନ୍ସ, ନ୍ୟୁଜିଲାଣ୍ଡ, ଭେନେଜୁଏଲା, ଡୋମିନିକାନ୍ ରିପବ୍ଲିକ୍ ଏବଂ ପୁଏର୍ତ୍ତୋ ରିକୋର ପ୍ରତିଯୋଗୀ ସାମିଲ ଥିଲେ । ଚୂଡାନ୍ତ ପଯ୍ରା୍ୟାୟରେ ସମସ୍ତ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ୨୭ ବର୍ଷୀୟା ମନୋବିଜ୍ଞାନୀ ତଥା ସମାଜସେବୀ ସୁନ୍ଦରୀ ଜେନିଫର ।
ଫାଇନାଲରେ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଥିଲା –ଏବେକାର ସମୟରେ ବିଶ୍ୱକୁ ନିଜ ନେତାଙ୍କଠାରୁ ସବୁଠାରୁ ଅଧିକ କଣ ଆବଶ୍ୟକ? ଏଥିରେ ଜେନିଫରଙ୍କ ଉତ୍ତର ଜୁରୀଙ୍କୁ ପ୍ରଭାବିତ କରିଥିଲା । ଜେନିଫର କହିଥିଲେ, ଦେଶକୁ ବୃତ୍ତିଗତ ଭାବେ ସହାନୁଭୂତିଶୀଳ ନେତାଙ୍କ ଆବଶ୍ୟକତା ରହିଛି । ଜଣେ ନେତା ଜନତାଙ୍କ ମୂଲ୍ୟବୋଧ ପାଇଁ ଠିଆ ହେବା ଉଚ୍ଚିତ । ଏକ ଉଦାହରଣ ସ୍ଥାପନ କରିବା ଉଚ୍ଚିତ ଏବଂ ମାନଦଣ୍ଡକୁ ବୃଦ୍ଧି କରିବା ଉଚ୍ଚିତ ବୋଲି ସେ କହିଥିଲେ । ମିସ୍ ୟୁନିଭର୍ସ ହେଲେ ସେ ସମ୍ପ୍ରଦାୟର ଆବଶ୍ୟକତା ପୂରଣ କରୁଥିବା ନେଟୱାର୍କ ନିର୍ମାଣ କରିବାର ଧାରଣାକୁ ସମର୍ଥନ କରିବେ ବୋଲି କହିଥିଲେ ।
ଜେନିଫରଙ୍କ ମିସ୍ ୟୁନିଭର୍ସ ବିଜୟ ମୁକୁଟ ପିନ୍ଧିବା ପୁଏର୍ତ୍ତୋ ରିକୋ ଦେଶ ପାଇଁ ଷଷ୍ଠ ବିଜୟ ହୋଇଥିବା ବେଳେ ଗୋଟିଏ ସହର ପାଇଁ ଦ୍ୱିତୀୟ ଗୌରବ । ପୂର୍ବରୁ ଜେନିଫରଙ୍କ ସହରରୁ ଡେନିସ୍ ୨୦୦୧ରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ସେହିପରି ଅନ୍ୟ ୫ ପୁଏର୍ତ୍ତୋ ସୁନ୍ଦରୀ ଯେଉଁମାନେ ପୂର୍ବରୁ ମିସ୍ ୟୁନିଭର୍ସ ହୋଇଛନ୍ତି ସେମାନେ ହେଲେ, ୧୯୭୦ରେ ମାରିସୋଲ ମାଲାରେଟ୍, ୧୯୮୫ରେ ଦେବୋର୍ଚ୍ଚ, ୧୯୯୩ରେ ଦୟାନାରା ଟୋରେସ୍, ୨୦୦୧ରେ ଦେନିଶ ଓ ୨୦୦୬ରେ ଜୁଲେକା ରିଭେରା ।
ମିସ୍ ୟୁନିଭର୍ସ ଅନୁଷ୍ଠାନ ନିଜ ୭୫ ବର୍ଷ ପୂତ୍ତି ର୍ ତଥା ହୀରକ ଜୟନ୍ତୀ ପାଳନ ଅବସରରେ ନୂତନ ମୁକୁଟ ଉନ୍ମୋଚିତ କରିଥିଲା । ୭୫ ବର୍ଷ ଇତିହାସକୁ ବହନ କରୁଥିବା ମୁକୁଟରେ ଲାଗିଥିଲା ୩୧୫୦ଟି ହୀରା । ଏହି ଅସାଧାରଣ ମୁକୁଟ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଉତ୍ସବର ସହ ପାଳନ କୁରଛି ବୋଲି କୁହାଯାଇଛି । ୧୩୦ ଦେଶର ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗୀତା ହୋଇଥିଲା । କିନ୍ତୁ ୧୫ ଦେଶ ସେଥିରୁ ବାହାରି ଯାଇଥିଲେ । ସାନ୍ ଜୁଆନରେ ସୁନ୍ଦରୀ ପ୍ରତିଯୋଗୀତାର ଫାଇନାଲ ଅନୁଷ୍ଠିତ ହୋଇଥିବା ବେଳେ ମିସ୍ ୟୁନିଭର୍ସର ପରବତ୍ତି ର୍ ତଥା ୭୬ତମ ସଂସ୍କରଣ ଭିଏତନାମରେ ଅନୁଷ୍ଠିତ ହେବ ।
