କଟକ: ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟି ଟିମର ବଡ଼ଧରଣର ଚଢ଼ାଉ। କଟକ ବାଲିଯାତ୍ରାରେ ବାସି ଖାଦ୍ୟ ବିକ୍ରି ଅଭିଯୋଗକୁ ନେଇ ଚଢ଼ାଉ ହୋଇଛି। ମେଳାରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ସକାଳୁ ଅଚାନକ ଚଢ଼ାଉ କରିଛି କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ । ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ ଆଜି ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଏକାଧିକ ଖାଦ୍ୟ ଦୋକାନ ଯାଞ୍ଚ କରାଯିବା ସହ ବିପୁଳ ପରିମାଣର ବାସି ଖାଦ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବାଲିଯାତ୍ରା ପଡ଼ିଆରେ ଲାଗିଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଫୁଡ୍ ସେଫ୍ଟି ଟିମ୍ ଅଚାନକ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକାଧିକ ଦୋକାନରୁ ବାସି ଖାଦ୍ୟ ମିଳିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ପାଖାପାଖି ୨ କ୍ୱିଣ୍ଟାଲ ବାସି ଖାଦ୍ୟ ଜବତ କରାଯାଇଛି । ଏହାସହ ବ୍ୟବହାର ଅନୁପଯୋଗୀ ତେଲ, ଏକ୍ସପାୟରୀ କ୍ଷୀର ଓ ଦହି ମଧ୍ୟ ଠାବ ହୋଇଛି।
ଗତକାଲି ଥିଲା ବାଲିଯାତ୍ରାର ତୃତୀୟ ସନ୍ଧ୍ୟା । ମେଳା ଶେଷ ହେବା ପରେ ଅନେକ ଖାଦ୍ୟ ଷ୍ଟଲ୍ରେ ବାସି ଖାଦ୍ୟ ରଖାଯାଇଥିବା ଜଣାପଡ଼ିଥିଲା । ଆଜି ସକାଳୁ କଟକ ମହାନଗର ନିଗମର ଦୁଇ ଜଣିଆ ଫୁଡ୍ ସେଫ୍ଟି ଟିମ୍ ବିଭିନ୍ନ ଷ୍ଟଲ୍ରେ ଯାଞ୍ଚ କରିଥିଲେ। ଏହି ସମୟରେ ବାସି ଖାଦ୍ୟ ସହ ମିଆଦ ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ ଠାବ ହୋଇଥିଲା। ବାଲିଯାତ୍ରାରେ ବାରିପଦାର ପ୍ରସିଦ୍ଧ ମୁଢ଼ି ମାଂସ ଖାଇବାକୁ ମଧ୍ୟ ଲୋକଙ୍କ ଭିଡ଼ ଜମିଥାଏ । ହେଲେ ଏହି ଷ୍ଟଲ୍ରେ ଅପମିଶ୍ରିତ ମାଂସ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଚଢ଼ାଉ ପରେ ଫୁଡ୍ ସେଫ୍ଟି ଟିମ୍ ମାଂସକୁ ନଷ୍ଟ କରିଛି ।
