Odisha Jobs Bonanza: ଓଡ଼ିଶାରେ ଖୋଲିବ ନିଯୁକ୍ତିର ନୂଆ କବାଟ! ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ରୋଜଗାର! ଝାରସୁଗୁଡ଼ାରେ ବେଦାନ୍ତର ବଡ଼ ଉପହାର…
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ନିଯୁକ୍ତି କ୍ଷେତ୍ର ପାଇଁ ଆସିଛି ଏକ ବଡ଼ ଖୁସି ଖବର। ରାଜ୍ୟରେ ୩,୮୧୦.୨୫ କୋଟି ଟଙ୍କାର ୧୯ଟି ନୂଆ ଶିଳ୍ପ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୧୧,୨୫୧ ଜଣଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ର ୧୫୨ତମ ବୈଠକରେ ଏହି ଅନୁମୋଦନ ମିଳିଛି। ରାଜ୍ୟର ୧୦ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ଗଢ଼ିଉଠିବ। ପର୍ଯ୍ୟଟନ, ବୟନ ଶିଳ୍ପ, ଇସ୍ପାତ, ସ୍ୱାସ୍ଥ୍ୟସେବା, ଶକ୍ତି ଓ ସବୁଜ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।
ପର୍ଯ୍ୟଟନ ଓ ହୋଟେଲ ଶିଳ୍ପରେ ୬୦୭ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରୁ ପ୍ରାୟ ୧,୫୦୦ ନିଯୁକ୍ତି ସୃଷ୍ଟି ହେବ। କୋରାପୁଟରେ ସାଚେତି ହସ୍ପିଟାଲିଟିର ୫-ଷ୍ଟାର ରିସର୍ଟ ପାଇଁ ୧୨୧ କୋଟି ଓ ୧୮୪ ନିଯୁକ୍ତି, TVR ଇଷ୍ଟେଟ୍ସ ଆଣ୍ଡ ରିସର୍ଟସର ଇକୋ ରିସର୍ଟ ପାଇଁ ୧୦୪ କୋଟି ଓ ୧୭୭ ନିଯୁକ୍ତି ଏବଂ ନିଳାଦ୍ରି ହୋଟେଲ୍ସର ୱେଲନେସ୍ ରିସର୍ଟ ପାଇଁ ୭୨ କୋଟି ଓ ୨୪୦ ନିଯୁକ୍ତି ରହିଛି।
କଟକରେ ନିଖିଲ ଆସୋସିଏଟ୍ସ ୮୨ କୋଟି ଟଙ୍କାରେ ହୋଟେଲ ନିର୍ମାଣ କରିବ, ଯେଉଁଥିରେ ୧୪୬ ଜଣଙ୍କୁ ନିଯୁକ୍ତି ମିଳିବ। ଝାରସୁଗୁଡ଼ାରେ ଆଲ୍ଟୋନ୍ ରିସୋର୍ସେସ୍ ୮୦ କୋଟି ଟଙ୍କାର ରିସର୍ଟ ନିର୍ମାଣ କରି ୩୬୩ ଜଣଙ୍କୁ ନିଯୁକ୍ତି ଦେବ। ବାଲେଶ୍ୱରରେ ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କର ସମ୍ପ୍ରସାରଣ ପାଇଁ ୭୮ କୋଟି ଓ ୧୬୫ ନିଯୁକ୍ତି ଏବଂ ହାଇଲାଣ୍ଡ ହୋଟେଲ୍ସର ୭୦ କୋଟି ଟଙ୍କାର ହୋଟେଲ ପ୍ରକଳ୍ପରେ ୨୨୫ ନିଯୁକ୍ତି ସୁଯୋଗ ରହିଛି।
ଖୋର୍ଦ୍ଧାରେ ବଡ଼ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ ବଡିକେୟାର କ୍ରିଏସନ୍ସ ଲିମିଟେଡ୍। ୨୨୫ କୋଟି ଟଙ୍କାର ଏହି ପ୍ରକଳ୍ପରେ ବାର୍ଷିକ ୬.୬ କୋଟି ପୋଷାକ ଉତ୍ପାଦନ କ୍ଷମତା ରହିବ ଏବଂ ୫,୫୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହା ସମସ୍ତ ପ୍ରକଳ୍ପ ମଧ୍ୟରେ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିବାକୁ ଥିବା ପ୍ରକଳ୍ପ।
ସୁନ୍ଦରଗଡ଼ରେ ରତ୍ନମଣି ମେଟାଲ୍ସ ୨୫୦ କୋଟି ଟଙ୍କାରେ କାର୍ବନ ଷ୍ଟିଲ୍ ପାଇପ୍ କାରଖାନା ସ୍ଥାପନ କରିବ। ଏଥିରେ ୨୫୦ ନିଯୁକ୍ତି ସୃଷ୍ଟି ହେବ। ଗଞ୍ଜାମରେ କ୍ୱାଲଭିଅନ୍ ସିଷ୍ଟମ୍ସ ୨୧୭.୬୭ କୋଟି ଟଙ୍କାର ଷ୍ଟିଲ୍ ଫ୍ୟାବ୍ରିକେସନ୍ ୟୁନିଟ୍ ମାଧ୍ୟମରେ ୩୮୯ ଜଣଙ୍କୁ ଏବଂ ସୁନ୍ଦରଗଡ଼ରେ ବାଇଡ୍ ଇଞ୍ଜିନିୟର୍ସ ୫୭.୪୪ କୋଟି ଟଙ୍କାର ପ୍ରକଳ୍ପରେ ୩୦୦ ଜଣଙ୍କୁ ନିଯୁକ୍ତି ଦେବ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ୍ ମେଟାଲ୍ ଲିମିଟେଡ୍ ୩୧୧.୫୨ କୋଟି ଟଙ୍କାରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ ନିର୍ମାଣ କରିବ। ଏଥିରେ ୭୧୦ ନିଯୁକ୍ତି ହେବ। ଖୋର୍ଦ୍ଧାରେ ପେଣ୍ଟାଓନ୍ ଲାଇଫକେୟାର ୬୨.୪୧ କୋଟି ଟଙ୍କାରେ ସ୍ୱାସ୍ଥ୍ୟ ଉତ୍ପାଦ ନିର୍ମାଣ ୟୁନିଟ୍ କରି ୪୫୨ ଜଣଙ୍କୁ ନିଯୁକ୍ତି ଦେବ।
କେନ୍ଦ୍ରାପଡ଼ାରେ EV ଇନୋଭେଜିକ୍ ଇଣ୍ଡିଆ ୫୨ କୋଟି ଟଙ୍କାରେ ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍ ବୋଟ୍ ନିର୍ମାଣ କାରଖାନା କରିବ। ଏଥିରେ ୧୦୦ ନିଯୁକ୍ତି ରହିଛି। ସୁନ୍ଦରଗଡ଼ରେ ନେଟ୍ ଜିରୋ ରିନ୍ୟୁଏବଲ୍ସ ୧୧୬.୪୯ କୋଟି ଟଙ୍କାରେ ରିସାଇକ୍ଲିଂ ୟୁନିଟ୍ ସ୍ଥାପନ କରି ୩୮୦ ଜଣଙ୍କୁ ନିଯୁକ୍ତି ଦେବ।
ସୁନ୍ଦରଗଡ଼ରେ ଶ୍ରୀ ମହାବୀର ଫେରୋ ଆଲଏଜ୍ ୯୧୨.୮୦ କୋଟି ଟଙ୍କାରେ ୧୩୫ ମେଗାୱାଟ୍ କ୍ଷମତା ବିଶିଷ୍ଟ କୋଇଲା ୱାଶେରି ରିଜେକ୍ଟ ଆଧାରିତ ତାପଜ ବିଦ୍ୟୁତ୍ ପ୍ରକଳ୍ପ କରିବ। ଏଥିରେ ୮୦୦ ନିଯୁକ୍ତି ହେବ। କଟକରେ ମାଆଦୁର୍ଗା ଥର୍ମାଲ୍ ପାୱାର କମ୍ପାନୀ ଏହାର ବିଦ୍ୟୁତ୍ କେନ୍ଦ୍ରର କ୍ଷମତା ୬୦ରୁ ୧୨୦ ମେଗାୱାଟ୍କୁ ବୃଦ୍ଧି କରିବ। ୪୮୨.୯୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୪୨୫ ନିଯୁକ୍ତି ହେବ।
କେନ୍ଦୁଝରରେ କ୍ରାକର୍ସ ଇଣ୍ଡିଆ (ଆଲଏଜ୍) ୪୫୦ କୋଟି ଟଙ୍କାରେ DRI ପ୍ଲାଣ୍ଟକୁ ସମ୍ପ୍ରସାରଣ କରି ବାର୍ଷିକ ୦.୧୫ MTPA କ୍ଷମତାର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ୟୁନିଟ୍ ସ୍ଥାପନ କରିବ। ଏଥିରେ ୨୭୫ ନିଯୁକ୍ତି ସୃଷ୍ଟି ହେବ। ଜଗତସିଂହପୁରରେ ଏନର୍ଗନ୍ ପଲିମାଟିକ୍ ୬୫.୦୨ କୋଟି ଟଙ୍କାରେ ପଲିପ୍ରୋପିଲିନ୍ ବୁଣା ବସ୍ତା ଓ ବ୍ୟାଗ୍ ନିର୍ମାଣ କାରଖାନା କରି ୧୭୦ ଜଣଙ୍କୁ ନିଯୁକ୍ତି ଦେବ।
ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଓଡ଼ିଶାରେ ଏକ ବିବିଧ ଓ ପ୍ରତିଯୋଗିତାମୂଳକ ଶିଳ୍ପ ବ୍ୟବସ୍ଥା ଗଢ଼ିବା ସରକାରଙ୍କ ଲକ୍ଷ୍ୟ। କେବଳ ନିବେଶ ଆକର୍ଷଣ ନୁହେଁ, ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟକାରିତା, ସ୍ଥାନୀୟ ଶିଳ୍ପର ସୁଦୃଢ଼ୀକରଣ ଓ ନିଯୁକ୍ତି ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ସମୃଦ୍ଧ ଓଡ଼ିଶା ୨୦୩୬ ଲକ୍ଷ୍ୟକୁ ଆଖି ଆଗରେ ରଖି ଏହି ନିବେଶ ଅନୁମୋଦନକୁ ରାଜ୍ୟର ଶିଳ୍ପ ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଏହି ୧୯ଟି ପ୍ରକଳ୍ପ କେବେ ଭୂମିସ୍ତରରେ କାର୍ଯ୍ୟକ୍ଷମ ହେଉଛି ଏବଂ ଘୋଷିତ ନିଯୁକ୍ତି କେତେ ଶୀଘ୍ର ବାସ୍ତବ ରୂପ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
