ଭୁବନେଶ୍ୱର: ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ରାଜ୍ୟର ଅନ୍ତତଃ ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ରୁ ତଳକୁ ଖସି ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଶୁକ୍ରବାର ଦିନ ସୂଚନା ଦେଇଛି।
କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ଚିହ୍ନଟ ହୋଇଛି, ଯେଉଁଠାରେ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା ସବୁଠାରୁ ଥଣ୍ଡା ସ୍ଥାନ ରହିଛି, ଯେଉଁଠାରେ ତାପମାତ୍ରା ୧୧.୮ ଡିଗ୍ରୀ ସେଲସିୟସ୍ ରହିଥିଲା। ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ସେଲସିୟସ୍ ଏବଂ ଫୁଲବାଣୀରେ ୧୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି କେନ୍ଦୁଝର ୧୩.୪°C, କିରେଇ ୧୩. ୫°C, ରାଉରକେଲା ଓ ସେମିଳିଗୁଡା ୧୩. ୬°C, କୋରାପୁଟ ଓ ଭବାନୀପାଟଣା ୧୪°C, ବଲାଙ୍ଗୀର ୧୪.୩°C, ଦେବଗଡ଼ ୧୪. ୪°C, ସମ୍ବଲପୁର ୧୪. ୮°C ରହିଛି। ଅପରପକ୍ଷରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ତାପମାତ୍ରା ଠାରୁ ୫ ଡିଗ୍ରୀ କମ୍ ଅଟେ।
ତେବେ ଗତ ତିନି ଦିନ ମଧ୍ୟରେ ଏଠାରେ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍ ଖସି ଆସିଛି। ତାପମାତ୍ରାର ଏହି ହ୍ରାସ ଯୋଗୁଁ ପାଗରେ ଏକ ସ୍ପଷ୍ଟ ପରିବର୍ତ୍ତନ ଦେଖାଦେଇଛି।
