କଟକ: ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ। ବ୍ୟସ୍ତବହୁଳ କାଠଯୋଡ଼ି ରିଂ ବନ୍ଧ ପୁରୀଘାଟ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ୫ରୁ ଅଧିକ ଆହତ ହୋଇଛନ୍ତି। ନିୟନ୍ତ୍ରଣ କରିବାକୁ ଯାଇଥିବା ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ୪ଟି ଗାଡ଼ି ଭାଙ୍ଗି ଚୂରମାର ହୋଇଥିବା ବେଳେ ଜଣେ ପୋଲିସ କନ୍ଷ୍ଟେବଳଙ୍କ ମୁଣ୍ଡଫାଟି ଗୁରୁତର ଆହତ ହୋଇଛନ୍ତି।
ଏପଟେ ଘଟଣାସ୍ଥଳରେ ଉତ୍ତେଜନାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାନୁଯାୟୀ, ଗୁରୁବାର ଦୁଇ ସାହି ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ଆଜି (ଶୁକ୍ରବାର) ରାତିପ୍ରାୟ ୭ଟାରେ ଗଣେଶ ଘାଟ ନିକଟ ହୋଟେଲ୍ ବ୍ଲୁ ଲାଗୁନ ସାମନାରେ ସଂଜୟ ଚା ଦୋକାନ ଠାରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର କିଛି ସମୟ ପରେ ବୁରୁଜ ସାହି ସ୍ଲମ ନଂ ୪୩ ବାସିନ୍ଦା ଓ ଗଣେଶ ଘାଟ ସାହିରୁ ଏକାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ। ଗଣେଶ ଘାଟର ଜଣେ ବ୍ୟକ୍ତିଙ୍କୁ ନିକଟରେ ଥିବା ଏକ ମନ୍ଦିର ପିଣ୍ଡାରେ କାଚ ବୋତଲ ଓ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ସେଠାରେ ଥିବା ତିନିଟି ବାଇକକୁ ଉତ୍ତ୍ୟକ୍ତ ଲୋକେ ପିଟି ଭାଙ୍ଗି ଦେଇଛନ୍ତି। ଏକ ଯାତ୍ରୀବାହୀ ଅଟୋକୁ ମଧ୍ୟ ପିଟି ଭାଙ୍ଗିଦେଇଛନ୍ତି। ଯେଉଁ ଚା ଦୋକାନ ନିକଟରେ ଏହି ବିବାଦ ଆରମ୍ଭ ହୋଇଥିଲା, ଉକ୍ତ ଦୋକାନକୁ ଭାଙ୍ଗି ଦିଆଯାଇଛି। ଦୋକାନରେ ସମସ୍ତ ଖାଦ୍ୟ ସାମଗ୍ରୀଗୁଡ଼ିକୁ ନଷ୍ଟ କରିଦିଆଯାଇଛି।
ଗଣ୍ଡଗୋଳ ଘଟାଇଥିବା ଦୁଇ ସାହିର ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
