Latest Odisha News

BREAKING NEWS

ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଗାଡ଼ି; ୭ ମୃତ, ୫ ଆହତ

ଡେରାଡୁନ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲା ରିଖଣୀଖାଲ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଗଭୀର ଖାଇକୁ ଖସିପଡ଼ିବା ଫଳରେ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି ।

ରିଖଣୀଖାଲର କଲୱାଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡ଼ିଟି ଭାଙ୍ଗଲୱାଡ଼ ଗାଁ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ଖବର ପାଇବା ମାତ୍ରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳକୁ ପୋଲିସ ଟିମ୍‌ ମଧ୍ୟ ପଠାଯାଇଥିଲା । ଦୁର୍ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ୫ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଛି । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ ।

ଏହି ଦୁର୍ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଏୟାରଲିଫ୍ଟ କରି ଉନ୍ନତ ଚିକିତ୍ସା କେନ୍ଦ୍ରକୁ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୌଡ଼ି ଗଡ଼ୱାଲର ରିଖଣୀଖାଲ ଅଞ୍ଚଳର କଲୱାଡ଼ିରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ସମ୍ପର୍କରେ ଜାଣି ସେ ଗଭୀର ମର୍ମାହତ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ଦେବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଆହତଙ୍କୁ ଏୟାରଲିଫ୍ଟ କରି ଉନ୍ନତ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବାକୁ ମଧ୍ୟ ସେ କହିଛନ୍ତି। ଏଥିସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି ଯେ, ପୌଡ଼ି ଗଡ଼ୱାଲ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଛି।

ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି।

Leave A Reply

Your email address will not be published.