ନୂଆଦିଲ୍ଲୀ: ସୟଦ ମୋଦୀ ଇଣ୍ଟରନ୍ୟାସନାଲ ୨୦୨୬ ମହିଳା ସିଙ୍ଗଲ୍ସ ଫାଇନାଲରେ ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ତନ୍ଭୀ ଶର୍ମା ପରାସ୍ତ ହୋଇଛନ୍ତି । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଥାଇଲାଣ୍ଡର ଚତୁର୍ଥ ସିଡ୍ ସୁପାନିଡା କାଟେଥୋଙ୍ଗ୍ ତନ୍ଭୀଙ୍କୁ ୧୧-୨୧, ୨୧-୧୨, ୨୧-୧୫ ସେଟ୍ରେ ହରାଇ ଟାଇଟଲ୍ ହାତେଇଛନ୍ତି । ଏହି ପରାଜୟ ସହ ତନ୍ଭୀ ଚଳିତ ବର୍ଷ ନିଜର ଦ୍ୱିତୀୟ ସୁପର ୩୦୦ ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଦ୍ୱିତୀୟ ସିଡ୍ ତନ୍ଭୀ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ବ୍ରେକ୍ ସୁଦ୍ଧା ୧୧-୭ରେ ଆଗୁଆ ରହିଥିଲେ ଏବଂ ୨୧-୧୧ରେ ପ୍ରଥମ ସେଟ୍ ଜିତି ୧-୦ ଅଗ୍ରଣୀ ନେଇଥିଲେ । ଦ୍ୱିତୀୟ ସେଟ୍ରେ ସୁପାନିଡା କଡ଼ା ଟକ୍କର ଦେବା ସହ ବ୍ରେକ୍ ପରେ କ୍ରମାଗତ ୭ ପଏଣ୍ଟ ହାସଲ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ ଏବଂ ୨୧-୧୨ରେ ସେଟ୍ ଜିତି ସ୍କୋର ୧-୧ କରିଥିଲେ ।
ତୃତୀୟ ତଥା ନିର୍ଣ୍ଣାୟକ ସେଟ୍ରେ ତନ୍ଭୀ ବ୍ରେକ୍ ସୁଦ୍ଧା ୧୧-୯ରେ ଆଗୁଆ ଥିଲେ ମଧ୍ୟ ଶେଷ ଭାଗରେ କିଛି ସଟ୍ ବାହାରକୁ ଯିବାରୁ ପଛରେ ପଡ଼ିଥିଲେ । ସୁପାନିଡା ୫ଟି ମ୍ୟାଚ୍ ପଏଣ୍ଟ ହାସଲ କରିବା ପରେ ତନ୍ଭୀଙ୍କ ଏକ ସଟ୍ ନେଟ୍ରେ ବାଜିବାରୁ ସେ ୨୧-୧୫ରେ ସେଟ୍ ଓ ଟାଇଟଲ୍ ଜିତିଥିଲେ । ୫୪ ମିନିଟ୍ ଧରି ଚାଲିଥିବା ଏହି ଫାଇନାଲ ପୂର୍ବରୁ ତନ୍ଭୀ ସେମିଫାଇନାଲରେ ଭାରତର ଉନ୍ନତି ହୁଡ୍ଡାଙ୍କୁ ୨୧-୧୧, ୧୦-୨୧, ୧୩-୨୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ସୟଦ ମୋଦୀ ଇଣ୍ଟରନ୍ୟାସନାଲ ସେମିଫାଇନାଲରୁ ଉନ୍ନତି ତୃତୀୟ ଥର ପାଇଁ ବାଦ୍ ପଡ଼ିଛନ୍ତି । ଚଳିତ ବର୍ଷ ତାଇପେ ଓପନ ଜିତିଥିବା ତନ୍ଭୀ ଫାଇନାଲରେ ହାରିବା ଯୋଗୁଁ ନିଜର ଦ୍ୱିତୀୟ ସୁପର ୩୦୦ ଟାଇଟଲ୍ ଜିତିବାର ସୁଯୋଗ ହାତଛଡ଼ା କରିଛନ୍ତି ।
