Latest Odisha News

BREAKING NEWS

ଥାଳିରୁ ଦୂରେଇ ଯାଉଛି ଡାଲି:ବର୍ଷକରେ ୧୯ ପ୍ରତିଶତ ମହଙ୍ଗା ହେଲା ହରଡ଼ ଡାଲି

ନୂଆଦିଲ୍ଲୀ: ଯୋଗାଣ ଅଭାବ ଓ ପ୍ରତିକୂଳ ପାଗ ଯୋଗୁଁ ଦେଶରେ ଡାଲି ଜାତୀୟ ଶସ୍ୟର ଦର ଆକାଶଛୁଆଁ ହୋଇଛି। ଖାଉଟି ବ୍ୟାପାର ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ହରଡ଼, ବିରି ଏବଂ ବୁଟ ଡାଲିର ଖୁଚୁରା ମୂଲ୍ୟରେ ୧୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଥିମଧ୍ୟରୁ ହରଡ଼ ଡାଲି ସର୍ବାଧିକ ମହଙ୍ଗା ହୋଇ ସାଧାରଣ ଖାଉଟିଙ୍କ ରୋଷେଇ ଘର ବଜେଟ୍ ବିଗାଡ଼ି ଦେଇଛି।

ସରକାରୀ ଆକଳନ ମୁତାବକ, ସର୍ବଭାରତୀୟ ସ୍ତରରେ ହରଡ଼ ଡାଲିର ହାରାହାରି ଖୁଚୁରା ଦର ବର୍ଷକରେ ୧୯ ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୧୩୬ ଟଙ୍କା ୬୦ ପଇସାରେ ପହଞ୍ଚିଛି, ଯାହା ଗତବର୍ଷ ୧୧୪ ଟଙ୍କା ୯୫ ପଇସା ଥିଲା। ସେହିପରି ବିରି ଡାଲି ଦର ୧୨ ପ୍ରତିଶତ ବଢ଼ି କିଲୋ ପିଛା ୧୨୭ ଟଙ୍କା ଏବଂ ବୁଟ ଡାଲି ୧୧ ପ୍ରତିଶତ ବୃଦ୍ଧି ପାଇ ୯୫ ଟଙ୍କା ୪୫ ପଇସା ହୋଇଛି। ଅନ୍ୟପଟେ ମୁଗ ଡାଲି କିଲୋ ପିଛା ୧୧୪ ଟଙ୍କା ୯୦ ପଇସା ଏବଂ ମସୁର ଡାଲି ୮୯ ଟଙ୍କା ୩୫ ପଇସାରେ ବିକ୍ରି ହେଉଛି।

ଦେଶର ପ୍ରମୁଖ ମହାନଗରଗୁଡ଼ିକରେ ଡାଲି ଦର ଆହୁରି ଅଧିକ ରହିଛି। ମୁମ୍ବାଇରେ ହରଡ଼ ଡାଲି କିଲୋ ପିଛା ୧୫୭ ଟଙ୍କା, ବିରି ୧୫୫ ଟଙ୍କା ଏବଂ ବୁଟ ଡାଲି ୧୧୭ ଟଙ୍କାରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ହରଡ଼ ଓ ବିରି ଡାଲି କିଲୋ ପିଛା ୧୫୦ ଟଙ୍କା ଥିବାବେଳେ ବୁଟ ଡାଲି ୧୦୦ ଟଙ୍କାରେ ପହଞ୍ଚିଛି। ସେହିପରି ଚେନ୍ନାଇରେ ହରଡ଼ ଡାଲି ୧୪୭ ଟଙ୍କା, ବିରି ୧୩୩ ଟଙ୍କା ଏବଂ ବୁଟ ଡାଲି ୮୧ ଟଙ୍କା ରହିଛି।

ବିଶେଷଜ୍ଞଙ୍କ ମତରେ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ପାଗ ଖରାପ ଯୋଗୁଁ ହରଡ଼ ଉତ୍ପାଦନ ପ୍ରଭାବିତ ହୋଇଛି। ବାର୍ଷିକ ୪୫ ଲକ୍ଷ ଟନ୍ ଚାହିଦା ତୁଳନାରେ ଚଳିତ ବର୍ଷ ମାତ୍ର ୨୮ ଲକ୍ଷ ଟନ୍ ଉତ୍ପାଦନ ହେବା ନେଇ ଆଶଙ୍କା କରାଯାଉଛି। ବଜାରରେ ଦର ନିୟନ୍ତ୍ରଣ କରିବା ପାଇଁ ସରକାର ନିଜର ୧୦ ଲକ୍ଷ ଟନ୍ ବଫର ଷ୍ଟକ୍ ଖୋଲା ବଜାରରେ ଛାଡ଼ିବାକୁ ଯୋଜନା କରୁଛନ୍ତି। ଏହା ସହିତ ହଳଦିଆ ମଟର ଓ ବୁଟ ଉପରୁ ଆମଦାନୀ ଶୁଳ୍କ ହଟାଇବା ସହ ଅନ୍ୟ ଦେଶରୁ ଡାଲି ଆମଦାନୀ ବଢ଼ାଇବାକୁ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନୂଆ ଫସଲ ବଜାରକୁ ଆସିବା ପର୍ଯ୍ୟନ୍ତ ଆଗାମୀ କିଛି ମାସ ଧରି ଏହି ଦରବୃଦ୍ଧି ଜାରି ରହିବାର ଆଶଙ୍କା ରହିଛି, ଯାହା ମଧ୍ୟବିତ୍ତ ପରିବାରଙ୍କ ଚିନ୍ତା ବଢ଼ାଇ ଦେଇଛି।

Leave A Reply

Your email address will not be published.