Latest Odisha News

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି ।

ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।

ଚିତ୍ରରେ ଦର୍ଶିତ ହୋଇଥିବା ଏହି ମୂର୍ତ୍ତିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ଏଏସଆଇ ପକ୍ଷରୁ ଅପସାରଣ କରାଯାଇଛି ।

“କୋଣାର୍କ ମନ୍ଦିରରେ ଥିବା ଏକ ପୁରାତନ ମୈଥୁନରତ ଦମ୍ପତ୍ତିଙ୍କ ମୂର୍ତ୍ତିରେ ନାରୀ ମୂର୍ତ୍ତି ଆଣ୍ଠୁ ଭାଗଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି । ଚାହିଁଥିଲେ ଏହି ଭଗ୍ନ ଅଂଶଟିକୁ ପରେ ଯୋଡ଼ାଯାଇ ପାରିଥାଆନ୍ତା, କିନ୍ତୁ ଏବେ ତାହା ମିଳୁନାହିଁ । ଏହା ପ୍ରତ୍ନତ୍ୱାତ୍ତ୍ୱିକ ବିଭାଗର ଚରମ ଅବହେଳା ଯୋଗୁଁ ଏପରି ହୋଇଛି । ତଳୁ ଦେଖିଲେ ମୈଥୁନ ମୂର୍ତ୍ତିର ଏହି ଭଙ୍ଗାଅଂଶ ସ୍ପଷ୍ଟ ଦେଖିହେଉଛି ।” ଏହି ଅଭିଯୋଗ କରିଛନ୍ତି କୋଣାର୍କ ସୁରକ୍ଷା ସମିତିର ସାଧାରଣ ସମ୍ପାଦକ ଅନୀଲ ଧୀର ।

ରାଜ୍ୟ ସରକାରଙ୍କ ସହିତ ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗ କୋଣାର୍କ ମନ୍ଦିରର ସୁରକ୍ଷା ଲାଗି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଶ୍ରୀ ଧୀର କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଏହି ବିଶ୍ୱପ୍ରସିଦ୍ଧ ଐତିହ୍ୟ ପ୍ରତି କୌଣସି ବିପଦ ନାହିଁ । ଗତବର୍ଷ ଡିସେମ୍ବର ୧୦ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରୁରକିର ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ର ପ୍ରତ୍ନତତ୍ୱବିତ୍ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ । କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ଏହି ବୈଠକରେ ଚିନ୍ତାବ୍ୟକ୍ତ କରାଯାଇଥିବା ବେଳେ ଏହି ପୁରାତନ ମନ୍ଦିରର ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ମତ ପୋଷଣ କରାଯାଇଥିଲା ।

କୋଣାର୍କ ମନ୍ଦିରର ପୁରାତନ ଶିଳ୍ପକଳାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ଫେବୃଆରୀରେ ଟ୍ୱିଟର୍ ୟୁଜର୍ସମାନେ କ୍ଷୋଭ ପ୍ରକାଶ କରିଥିଲେ । ଏଏସଆଇର ନିମ୍ନମାନର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟକୁ ନେଇ ୟୁଜର୍ସମାନେ ଟ୍ୱିଟ୍ କରି ସମାଲୋଚନା କରିଥିଲେ ।

Comments are closed.