Latest Odisha News

ଓଡ଼ିଶା ସରକାର ଧାମରାରେ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବେ

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ଧାମରାରେ ଏକ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବନ୍ଦର ବିକାଶ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଧାମରାରେ ଏକ ଉଚ୍ଚମାନର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାମରାଠାରେ ଏକ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିନିମନ୍ତେ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭଦ୍ରକର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜାମୁଝାଡ଼ି-ଧାମରା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଧାମରା ବନ୍ଦର ଅଞ୍ଚଳରେ ଏକ ପୋଲିସ ଷ୍ଟେସନ ଏବଂ କମ୍ୟୁନିଟି ହସପିଟାଲ କାର୍ଯ୍ୟକ୍ଷମ କରିବା ନିମେନ୍ତ ବୈଠକରେ ସ୍ଥିର ହୋଇଥିଲା ।

ଇତିମଧ୍ୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ଧାମରାଠାରେ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ଼ (ସିବିଏସଇ) ଅନୁମୋଦିତ ଏକ ଉଚ୍ଚମାନର ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଉଛି । ନିଗମ ସାମାଜିକ ପ୍ରତିବଦ୍ଧତା (ସିଏସଆର) କାର୍ଯ୍ୟକ୍ରମ ବାବଦରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଗତ ୪ବର୍ଷ ମଧ୍ୟରେ ପ୍ରାୟ ୧୯କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ଚଳିତ ଆର୍ଥୀକ ବର୍ଷ ପାଇଁ ପ୍ରାୟ ୯କୋଟି ଟଙ୍କାର ପ୍ରାବଧାନ କରିଛନ୍ତି ବୋଲି ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁର୍ବତ ତ୍ରିପାଠୀ ଜଣାଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଧାମରା ବନ୍ଦର ନିର୍ମାଣ ଓ ବିକାଶରେ ବନ୍ଦର କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ୧୮ କିମି ପର୍ଯ୍ୟନ୍ତ ନାଭିଗେସନ ଚାନେଲ୍ ପ୍ରସ୍ତୁତ କରାଯାଇଛି, ଏବଂ ୬୨ କିମି ବାଣିଜ୍ୟ କରିଡ଼ୋର୍ ରେଳଲାଇନ୍ ନିର୍ମାଣ କରାଯାଉଛି । ୨୦୧୭-୧୮ ମସିହାରେ ଏହି ବନ୍ଦର ମାଧ୍ୟମରେ ସମୁଦାୟ ୨୧.୧୪ ନିୟୁତ ଟନର ପଦାର୍ଥ ଆମଦାନୀ ଓ ରପ୍ତାନୀ କରାଯାଉଛି ।

ଧାମରାକୁ ଏକ ବନ୍ଦର ଭିତ୍ତିକ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ରଭାବେ ବିକସିତ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରାଯାଇଛି । ଶିଳ୍ପାଞ୍ଚଳ ପ୍ରତିଷ୍ଠା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୫୦୦ ଏକର ଯାଗା ଏବଂ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ୪୪୪ ଏକର ଜାଗା ଚିହ୍ନଟ କରାଯାଇଛି ବୋଲି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭଦ୍ରକର ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାଶ ଜଣାଇଥିଲେ । ଧାମରା ଅଞ୍ଚଳରେ ଥିବା ସରକାରୀ ଜମିର ସୀମା ଚିହ୍ନଟ କରି ସେସବୁକୁ ଜବରଦଖଲମୁକ୍ତ ରଖିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ କୃଷି ଉତ୍ପାଦନ କମିଶନର୍ ଗଗନ କୁମାର ଧଳ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମନୋଜ କୁମାର ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଚନ୍ଦ୍ର ଶେଖର କୁମାର, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.